ବିଜାପୁର ପୋଲିସକୁ ବଡ ସଫଳତା, ଆତ୍ମସମର୍ପଣ କଲେ ୧୭ ମାଓବାଦୀ

Published By : Prameya-News7 Bureau | March 14, 2025 IST

ମାଲକାନଗିରି ୧୪/୦୩: ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୋଲିସକୁ ବଡ ସଫଳତା । ମାଓବାଦୀଙ୍କ ଗାଙ୍ଗାଲୁର ଏରିଆ କମିଟି ମୁଖ୍ୟ ଦିନେଶ ମୋଡିଅମଙ୍କ ସହ ୧୭ ଜଣ ସକ୍ରିୟ ମାଓବାଦୀ ବିଜାପୁର ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଦିନେଶ ମୋଡିଅମ ଗତ ୨୦ ବର୍ଷ ଧରି ମାଓ ସଂଗଠନରେ ରହିଥିବା ବେଳେ ଗତ ପାଞ୍ଚ ବର୍ଷ ଧରି ଗାଙ୍ଗାଲୁର ଏରିଆ କମିଟିର କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ । 

ଦିନେଶର ମିଲିଟାରୀ ପ୍ଲାଟୁନ ଲାଗି ଗାଙ୍ଗାଲୁର ଜଙ୍ଗଲ ଭିତରେ ଦୀର୍ଘ ବର୍ଷ ଧରି ପ୍ରବେଶ କରିପାରୁନଥିଲେ ସୁରକ୍ଷା କର୍ମୀ । ହେଲେ ମାଓବାଦୀଙ୍କୁ ମୁଳପୋଛ କରିବା ଲାଗି ଲାଗି ତାରିଖ ଘୋଷଣା ହୋଇ ସାରିଥିବା ବେଳେ ଛତିଶଗଡରେ ଲଗାତାର ଭାବେ ସୁରକ୍ଷା କର୍ମୀଙ୍କ ଅପରେସନରେ ଶତାଧିକ ମାଓବାଦୀ ନିହତ ହେବା ପରେ ଭୟଭୀତ ହୋଇ ପଡିଛି ଲାଲ୍ ବାହିନୀ । 


ଆତ୍ମସମର୍ପଣ କରିଥିବା ମୋଟ ୧୭ ଜଣ ମାଓବାଦୀଙ୍କ ମଧ୍ୟରୁ ୯ ଜଣଙ୍କ ମୁଣ୍ଡ ଉପରେ ୨୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ ଛତିଶଗଡ ସରକାର । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ରହିଛନ୍ତି ଜଣେ DVCM ମେମ୍ବର, ଦୁଇ ଜଣ ACM, ଦୁଇ ଜଣ ମିଲିସିଆ ପ୍ଲାଟୁନ୍ କମାଣ୍ଡର, ଜଣେ ଜନତାନା ସରକାର ସଭାପତି । ଗାଙ୍ଗାଲୁର ଏରିଆ କମିଟି ଡିଭିସିଏମ୍ ଦିନେଶ ମୋଡିଅମ ଓ ତାଙ୍କ ଏସିଏମ୍ ପତ୍ନୀ ଯୋତି ତାଟିଙ୍କ ସହ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । 

ଆଭ୍ୟନ୍ତରୀଣ ଅଞ୍ଚଳରେ ନୂତନ ସୁରକ୍ଷା ଶିବିର ପ୍ରତିଷ୍ଠା ହେବା ସହିତ, ସରକାରଙ୍କ ବିକାଶମୁଖୀ କାର୍ଯ୍ୟ, ରାସ୍ତାର ସମ୍ପ୍ରସାରଣ, ପରିବହନ ସୁବିଧା, ପାଣି, ବିଦ୍ୟୁତ୍ ଏବଂ ସରକାରଙ୍କ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାଗୁଡ଼ିକ ଗ୍ରାମବାସୀଙ୍କ ପାଖରେ ପହଞ୍ଚିବା ଆରମ୍ଭ କରିଛି । ସୁରକ୍ଷା ବାହିନୀର ଗ୍ରାମବାସୀଙ୍କ ସହିତ ସକାରାତ୍ମକ ଆଲୋଚନା, କମ୍ୟୁନିଟି ପୋଲିସି ଅଧୀନରେ ଦିଆଯାଉଥିବା କଲ୍ୟାଣକାରୀ ଯୋଜନା ବିଷୟରେ ସୂଚନା ଏବଂ ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତିର ବ୍ୟାପକ ପ୍ରଚାର ମାଓ ସଂଗଠନ ପ୍ରତି ନିରାଶା ସୃଷ୍ଟି କରିଛି ବୋଲି ମାଓନେତା ଦିନେଶ କହିଛନ୍ତି । 

ତେବେ ଆତ୍ମସମର୍ପଣ ପରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ସମସ୍ତ ମାଓବାଦୀଙ୍କୁ ୨୫,୦୦୦ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିବା ବେଳେ ସରକାରଙ୍କନିୟମ ଅନୁସାରେ ସେମାନଙ୍କୁ ଥଇଥାନ କରାଯିବା ବୋଲି ବିଜାପୁର ଏସପି କହିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.