କଟକ ୧୪/୦୩: ଆଜି ଦୋଳ ପୂର୍ଣ୍ଣିମା । ଦୁଲୁକୁଛି ଭାଇଚାରର ସହର କଟକ । ବିମାନରେ ଝୁଲିଝୁଲି ଯାଉଛନ୍ତି ରାଧା ଗୋବିନ୍ଦ । ପାରମ୍ପରିକ ବାଦ୍ୟ ସାଙ୍ଗକୁ ବାଜା ମହୁରୀରେ କମ୍ପୁଛି ପରିବେଶ । ଐତିହ୍ୟ ସହର କଟକରେ ଅନୁଷ୍ଠିତ ହୋଇଛି ୭୨ ସଙ୍କୀର୍ତ୍ତନ ମଣ୍ଡଳୀର ଦୋଳ ମେଲଣ । ଯେଉଁଥିରେ କଟକ ସହରର ବିଭିନ୍ନ ସାହିରୁ ପାଞ୍ଚ ଅଶିଟି ବିମାନ ସାମିଲ ହୋଇଥିଲେ ।
କଟକ ଦୋଳିମୁଣ୍ଡାଇରୁ ବିମାନ ଶୋଭାଯାତ୍ରା ବାହାରି ବଜ୍ରକବାଟୀ, ମଙ୍ଗଳାବାଗ, ମାତାମଠ, ହୋଇ ୭୨ ମଠରେ ପହଞ୍ଚିବା ପରେ ଏକାଠି ହୋଇ ରାଧା ଗୋବିନ୍ଦ ହୋଲି ଖେଳିବା ସହ ଭୋଗ ଖାଇଥିଲେ । ଏହି ମେଲଣ ପରମ୍ପରା କାହିଁ କେବେ ଠାରୁ ଚାଲିଆସିଛି । କୁହା ଯାଏ ଚୈତନ୍ୟ ଦେବଙ୍କ ଆଗମନ ସମୟରେ ବାଲିଯାତ୍ରା ପଡିଆରେ ତାଙ୍କୁ ସ୍ବାଗତ ପାଇଁ ମେଲଣ ଆୟୋଜିତ ହୋଇଥିଲା । ତେବେ ଏହି ମେଲଣରେ ସୁନା ଚାନ୍ଦି ବିମାନ ସହ ପାରମ୍ପରିକ ବାଦ୍ୟ ଦୋଳ ପୂର୍ଣ୍ଣିମାକୁ ଅଧିକ ରଙ୍ଗୀନ କରିଥିଲା ।
ଏହି ମେଲଣରେ ସବୁ ସାହି ମୂରବୀ, ରାଜନୈତିକ ଦଳ, ଜିଲ୍ଲାପ୍ରଶାସନ, ପୋଲିସ ପ୍ରଶାସନ ସାମିଲ ହୋଇଥିଲେ । ଦୋଳ ମେଲଣକୁ ନେଇ କଟକ ସହରରେ ଉତ୍ସବର ପରିବେଶ । ଶେଷରେ ଭୋଗ ଖାଇ ଶେଷ ହୁଏ ମେଲଣ । ଦୁର୍ଗା ପୂଜା ଭଳି ବର୍ଷକୁ ଥରେ ହେଉଥିବା ଏହି ମେଲଣକୁ ସମସ୍ତେ ଅପେକ୍ଷା କରିଥାନ୍ତି । ସାଂସ୍କୃତିକ ସହର କଟକରେ ଏଭଳି ମେଲଣକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଥାଏ ବୋଲି କହିଛନ୍ତି କଟକ ବାସିନ୍ଦା।