୧୪ ନା ୧୫ ମାର୍ଚ୍ଚ, ଜାଣନ୍ତୁ କେବେ ହେବ ରଙ୍ଗର ପର୍ବ ହୋଲି?

Published By : Prameya-News7 Bureau | March 06, 2025 IST

ନୂଆଦିଲ୍ଲୀ ୬।୩:  ଫଗୁଣ ମାସ ଚାଲିଛି, ଏବେ ହୋଲିକୁ ସମସ୍ତଙ୍କ ଅପେକ୍ଷା। ହେଲି ଚଳିତ ବର୍ଷ ହୋଲି ତିଥି (ତାରିଖ)କୁ ନେଇ ଲୋକେ ଏବେବି ଭ୍ରମରେ ଅଛନ୍ତି। ଏହି ସଂଶୟକୁ ଦୂର କରିବାକୁ ଯାଇ ଜାତୀୟ ବ୍ରାହ୍ମଣ ମହାସଂଘ ବିଦ୍ୱତ ପରିଷଦର ପ୍ରଦେଶ ଅଧ୍ୟକ୍ଷ ପଣ୍ଡିତ ରାକେଶ ମିଶ୍ର କହିଛନ୍ତି ଯେ ଚଳିତବର୍ଷ ହୋଲିକା ଦହନ ୧୩ ମାର୍ଚ୍ଚ ରାତ୍ରିରେ ଅନୁଷ୍ଠିତ ହେଉଥିବା ବେଳେ ରଙ୍ଗର ପର୍ବ ହୋଲି ମାର୍ଚ୍ଚ ୧୫ ତାରିଖରେ ପାଳିତ ହେବ। 

ହୋଲିକା ଦହନ ମୂହୂର୍ତ୍ତ
ପଣ୍ଡିତ ରାକେଶ ମିଶ୍ରଙ୍କ ଅନୁସାରେ ମାର୍ଚ୍ଚ ୧୩ ତାରିଖ ଦିନ ପୂର୍ଣ୍ଣିମା ତିଥି ସହିତ ଭଦ୍ରା ମଧ୍ୟ ଆରମ୍ଭ ହୋଇଯିବ। ଏଣୁ ଭଦ୍ରା ସମାପ୍ତି ରାତ୍ର ୧୦ଟା ୩୭ ମିନିଟ ପରେ ୧୦ଟା ବାଜି ୩୮ ମିନିଟରୁ ହୋଲିକା ଦହନ ପର୍ବ ପାଳନୀୟ। ହୋଲିକା ଦହନ ପାଇଁ ରାତି ୧୦ଟା ୩୮ରୁ ୧୧ଟା ୨୬ ମିନିଟ ପର୍ଯ୍ୟନ୍ତ ଶୁଭ ସମୟ ରହୁଛି। ଏହି ସମୟରେ ହୋଲିକା ଦହନ କରାଯିବ। 

ବିଲୁପ୍ତ ହେଉଛି ପରମ୍ପରା
ଦେଶରେ ହୋଲିକା ଦହନ ପରମ୍ପରା ଏବେ ବିଲୁପ୍ତ ହେବାକୁ ଲାଗିଲାଣି। ହୋଲିକା ଦହନର ପୁରୁଣା ପରମ୍ପରା ଉପରେ ଏବେ ଅପ ସଂସ୍କୃତିର ପ୍ରଭାବ ପଡୁଛି। ଦୁଇ ଦଶନ୍ଧୀ ପୂର୍ବେ ଗାଁ ଗହଳିରେ ହୋଲିକା ଦହନ ପାଇଁ ବସନ୍ତ ପଞ୍ଚମୀରୁ ପ୍ରସ୍ତୁତି ଆରମ୍ଭ ହୋଇଯାଉଥିଲା। ଗାଁର ବୟଷ୍କ ଲୋକେ ହୋଲିକା ଦହନ ସ୍ଥଳରେ ବସନ୍ତ ପଞ୍ଚମୀରେ ନୂଆ ବାଉଁଶ ଲଗାଇ ଦେଉଥିଲେ। ହୋଲିର ଦିନକ ପୂର୍ବରୁ ହୋଲିକା ଦହନ ସ୍ଥଳରେ ଲୋକେ ପାଳ,ଘଷି, ସୁଖିଲା କାଠିକୁଟା ଆଦି ଜମା କରୁଥିଲେ। ହେଲେ ବର୍ତ୍ତମାନ ସମୟରେ ଏ ସବୁ କିଛି ହେଉ ନାହିଁ। 

ହୋଲି ଖେଳିବାକୁ କମୁଛି ଆଗ୍ରହ

ପୂର୍ବରୁ ଲୋକେ ହୋଲି ଖେଳିବା ପାଇଁ ସଜବାଜ ହୋଇ ଘରୁ ବାହାରୁଥିଲେ। ହାତରେ ଅବିର ଓ ଫଗୁ ନେଇ ପରସ୍ପରକୁ ରଙ୍ଗ ବୋଳି ହୋଲିର ଶୁଭେଚ୍ଛା ଜଣାଉଥିଲେ। ହେଲେ ଏବେ ଫଟାପୋଷାକ ହୋଲି ନିଜର କାୟା ବିସ୍ତାର କରିବାରେ ଲାଗିଛି। ହୋଲି ପାଳନ ବେଳେ ଗାଁ ଗାଁରେ ହେଉଥିବା ଗଣ୍ଡଗୋଳ ଓ ଝଗଡା ପାଇଁ ରଙ୍ଗର ପର୍ବ ହୋଲି ଏବେ କେବଳ ଔପଚାରିକତାର ରହିଯାଇଛି। ଏଥିରେ ଫଗୁଣର ମଜା ଫିକା ହଉଥିବା ବେଳେ ଲୋକେ ରଙ୍ଗ ଖେଳରୁ ନିଜକୁ ଦୂରେଇଲେଣି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.