ବନାରସ ୨୪।୨: ମହାଶିବରାତ୍ରି ବାରଣାସୀର ସବୁଠୁ ବଡ଼ ପର୍ବ। ବିଶେଷ କରି ଏଥର ମହାକୁମ୍ଭର ଶେଷ ସ୍ନାନ ସହ ଜାଗର ଅନୁଷ୍ଠିତ ହେଉଥିବାରୁ ବାରଣାସୀରେ ବିପୁଳ ଭକ୍ତଙ୍କ ସମାଗମ ଅନୁମାନ କରାଯାଉଛି। ଏଣୁ କାଶୀ ବିଶ୍ୱନାଥ ମନ୍ଦିରକୁ ପହଞ୍ଚିବାକୁ ଥିବା ୧୫ଲକ୍ଷରୁ ଅଧିକ ଭକ୍ତଙ୍କ ସୁଗମ ଦର୍ଶନ ନିମନ୍ତେ ପ୍ରତ୍ୟେକ ବ୍ୟବସ୍ଥାକୁ ସୁଧାରିବା ନିମନ୍ତେ ପଦକ୍ଷେପ ନିଆଯାଇଛି। ଏହି କ୍ରମରେ ମହାଶିବରାତ୍ରିରେ କାଶୀ ବିଶ୍ୱନାଥ ମନ୍ଦିରରେ ଭିଆଇପି ଦର୍ଶନ ବନ୍ଦ କରାଯାଇଛି।
ଭିଡ଼କୁ ନଜରରେ ରଖି ମହାଶିବରାତ୍ରିରେ ଦାରାନଗରରୁ କାଶୀ ବିଶ୍ୱନାଥ ମନ୍ଦିର ମାର୍ଗରେ ବାହାରିବାକୁ ଥିବା ସବୁଠୁ ବଡ଼ ଶିବ ବରଯାତ୍ରୀକୁ ଜାଗରର ପରବର୍ତ୍ତି ଦିନ ଅର୍ଥାତ ୨୭ ତାରିଖରେ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଅତିରିକ୍ତ ଲାଇନ ଓ ଅତିରିକ୍ତ ସୁରକ୍ଷା କର୍ମୀଙ୍କ ମୁତୟନ ସହିତ ମହାକୁମ୍ଭରୁ ଆସିଥିବା ସାଧୁ, ସନ୍ଥ ଓ ସାଧାରଣ ଶ୍ରଦ୍ଧାଳୁଙ୍କ ମନ୍ଦିର ପ୍ରବେଶ କାଳରେ ମନ୍ଦିର ପ୍ରଶାସନର ବ୍ୟବସ୍ଥା ଯେପରି ସୁଚାରୁ ଜାରି ରହିବ ସେଥି ପ୍ରତି ମଧ୍ୟ ଖାସ ଧ୍ୟାନ ଦିଆଯାଇଛି। ଏହା ଛଡା କାଶୀ ବିଶ୍ୱନାଥ ମନ୍ଦିରରେ ୨୫ରୁ ୨୭ ଫେବୃଆରୀ ପର୍ଯ୍ୟନ୍ତ ପ୍ରୋଟକଲ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।
ମହାଶିବରାତ୍ରି ଅବସରରେ କାଶୀ ବିଶ୍ୱନାଥଙ୍କ ଦରବାର ୩୨ ଘଣ୍ଟା ପର୍ଯ୍ୟନ୍ତ ଅନବରତ ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲା ରହିବ। ମହାଶିବରାତ୍ରି ପର୍ବକୁ ନେଇ କାଶୀ ବିଶ୍ୱନାଥ ମନ୍ଦିର ପ୍ରଶାସନ ପକ୍ଷରୁ ବିଶ୍ୱଭୂଷଣ ମିଶ୍ର ସୋମବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଫେବୃଆରୀ ୨୬ ତାରିଖ ଦିନ ମହାଶିବରାତ୍ରିରେ ବିଶ୍ୱନାଥଙ୍କ ମଙ୍ଗଳ ଆଳତୀ ଭୋର ୨ଟା ୧୫ ମିନିଟରେ ପ୍ରାରମ୍ଭ ହେବ ଏହା ୩ଟା ୧୫ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ଏହା ପରେ ଦର୍ଶନାର୍ଥୀଙ୍କ ନିମନ୍ତେ ମନ୍ଦିରର କବାଟ ଖୋଲିଦିଆଯିବ।
ଏହା ପରେ ମଧ୍ୟାହ୍ନ ଭୋଗ ଆରତୀ ସକାଳ ୧୧ଟା ୪୦ ମିନିଟରେ ଆରମ୍ଭ ହୋଇ ୧୨ଟା ୨୦ରେ ସମାପ୍ତ ହେବ। ସେହିପରି ମହାଶିବରାତ୍ରୀରେ ବିଶ୍ୱନାଥଙ୍କ ଚାରି ପ୍ରହର ଆରତୀ ନିର୍ଘଣ୍ଟ ମଧ୍ୟ ହୋଇଛି। ଏଥିରେ ପ୍ରଥମ ପ୍ରହର ଆରତୀ ରାତି ୧୦ଟା ବେଳେ ଆରମ୍ଭ ହୋଇ ମଧ୍ୟରାତ୍ରି ସାଢେ ୧୨ଟାରେ ସମାପନ ହେବ। ସେହିପରି ଦ୍ୱିତୀୟ ପ୍ରହର ଆରତୀ ରାତି ସାଢେ ଗୋଟେରୁ ଆରମ୍ଭ ହୋଇ ସାଢେ ୨ଟା ପର୍ଯ୍ୟନ୍ତ ଚାଲିବ। ତୃତୀୟ ପ୍ରହର ଆରତୀ ୩ଟା ୩୦ରେ ଆରମ୍ଭ ହୋଇ ସାଢେ ୪ଟାରେ ସମାପ୍ତ ହେବ ଓ ଚତୁର୍ଥ ପ୍ରହର ଆରତୀ ସକାଳ ୫ଟାରୁ ଆରମ୍ଭ ହୋଇ ୬ଟା ୧୫ ମିନିଟ ପର୍ଯ୍ୟନ୍ତ ଚାଲିବ।
ଏହି ସମୟରେ ମନ୍ଦିରର ଅଲଗା ଅଲଗା ବିଗ୍ରହଙ୍କର ରୁଦ୍ରାଭିଷେକ ମଧ୍ୟ କରାଯିବ। ମହାକୁମ୍ଭରୁ କାଶୀ ପହଞ୍ଚିଥିବା ସାଧୁ ଓ ନାଗା ସନ୍ଥଙ୍କର ମଧ୍ୟ ମହାଶିବରାତ୍ରିରେ କାଶୀ ବିଶ୍ୱନାଥ ମନ୍ଦିର ପ୍ରବେଶ ହେବ। ମିଳୁଥିବା ସୂଚନା ଅନୁସାରେ ନିର୍ଦ୍ଧାରିତ ସମୟ ପାଇଁ ସାଧାରଣ ଭକ୍ତଙ୍କ ନିମନ୍ତେ ମନ୍ଦିର ପ୍ରବେଶ ବନ୍ଦ ରହିବ। ଏଣୁ ମହାଶିବରାତ୍ରି ପର୍ବରେ କାଶୀ ବିଶ୍ୱନାଥ ମନ୍ଦିରରେ ଦର୍ଶନ ନିମନ୍ତେ ଭକ୍ତଙ୍କୁ ୧୮ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଧାଡି ବାନ୍ଧି ଅପେକ୍ଷା କରିବାକୁ ପଡିପାରେ।
ଏଣୁ ମନ୍ଦିର ପ୍ରଶାସନ ପକ୍ଷରୁ ନିଜର ସ୍ୱାସ୍ଥ୍ୟ, ଖାଦ୍ୟ ଓ ପାନୀୟର ଖାସ ବ୍ୟବସ୍ଥା କରି ଭକ୍ତଙ୍କୁ ମନ୍ଦିର ଆସିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଦିବ୍ୟାଙ୍ଗ ଭକ୍ତଙ୍କୁ ମହାଶିବରାତ୍ରି ଅବସରରେ ହେବାକୁ ଥିବା ଭିଡ଼ ଦୃଷ୍ଟିରୁ ମନ୍ଦିରକୁ ଆସି ଦର୍ଶନ ନିମନ୍ତେ ଧାଡି ବାନ୍ଧିବା ବଦଳେ ଅନଲାଇନ ଦର୍ଶନ ନିମନ୍ତେ ନିବେଦନ କରାଯାଇଛି।