ତେଲେଙ୍ଗାନା ଟନେଲରେ ଫଶିଥିବା ଲୋକଙ୍କ ଜୀବିତ ଉଦ୍ଧାର ସମ୍ଭାବନା କମ, ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ?

Published By : Prameya-News7 Bureau | February 24, 2025 IST

ନଗରକୁରନୁଲ ୨୪।୨: ତେଲେଙ୍ଗାନାର ନଗରକୁରନୁଲ ଟନେଲରେ ଫଶିଥିବା ଇଞ୍ଜିନିୟର ଓ ଶ୍ରମିକଙ୍କ ଉଦ୍ଧାର ନିମନ୍ତେ ରେସକ୍ୟୁ ଅପରେସନ ଜାରି ରହିଛି। ଉଦ୍ଧାର ନିମନ୍ତେ ବୈଷୟିକ ସହାୟତା ମଧ୍ୟ ନିଆଯାଉଛି। ତେବେ ପାଣି ଓ କାଦୁଅ ଯୋଗୁ ଉଦ୍ଧାର ଅଭିଯାନରେ ବାଧା ଆସୁଛି। ସୂତ୍ର ଅନୁସାରେ ଉଦ୍ଧାର ଅଭିଯାନରେ ଏନଡିଆରଏଫ ସନ୍ଧାନୀ କୁକୁରଙ୍କର ମଧ୍ୟ ସହାୟତା ନେଇଛନ୍ତି। ଏଥି ମଧ୍ୟରେ ତେଲେଙ୍ଗାନା ମନ୍ତ୍ରୀ ଜେ. ରାଓ କୃଷ୍ଣ ସୋମବାର କହିଛନ୍ତି ଯେ ଟନେଲରେ ଫଶିଥିବା ଲୋକେ ଜୀବିତ ଥିବାର ଆଶା ଖୁବ କମ୍। 

ଇତି ମଧ୍ୟରେ ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣାରେ ଶ୍ରମିକଙ୍କ ଜୀବନ ବଞ୍ଚାଇଥିବା ରାଟ୍ ମାଇନରଙ୍କୁ ଟିମ୍‌କୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ କରାଯାଇଛି ଓ ଅତ୍ୟନ୍ତ ସାବଧାନତା ପୂର୍ବକ ଅପରେସନ ଚଳାଯାଇଛି। ମନ୍ତ୍ରୀ କହିଛନ୍ତି ଯେ ଅପରେସନ ପୁରା ହେବାକୁ ୩-୪ ଦିନ ସମୟ ଲାଗି ପାରେ। ଉଦ୍ଧାରକାରୀ ଦଳଙ୍କ କାର୍ଯ୍ୟରେ ବିଭିନ୍ନ ବାଧା ଆସୁଛି ଏଣୁ କାମ ମନ୍ଥର ଗତିରେ ଚାଲିଛି। ଟନେଲରେ ପାଖାପାଖି ୨୫ ଫୁଟ ପର୍ଯ୍ୟନ୍ତ କାଦୁଅ ଜମି ରହିଛି। 

ଉଦ୍ଧାରକାରୀଙ୍କ ଅନୁସାରେ ସୁଡଙ୍ଗର ଏବେ ଅପରପାର୍ଶ୍ୱ ମଧ୍ୟ ଦେଖାଯାଉଛି। ଉଦ୍ଧାରକାରୀ ଦଳ ଶ୍ରମିକଙ୍କ ନାମ ଧରି ଜୋରରେ ଡାକୁଛନ୍ତି ହେଲେ କାହାର ଜବାବ ମିଳୁ ନାହିଁ। ଯେଉଁ ଶ୍ରମିକ ଓ ଇଞ୍ଜିନିୟର ଟନେଲରେ ଫଶି ରହିଛନ୍ତି ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ମନୋଜ କୁମାର ଓ ଶ୍ରୀନିବାସ ଥିବା ବେଳେ ପଞ୍ଜାବର ଗୁରୁପ୍ରିତ ସିଂହ, ଜମ୍ମୁ-କାଶ୍ମୀରର ସନି ସିଂହ, ଝାଡଖଣ୍ଡର ଅନୁଜ, ସନ୍ତୋଷ ଓ ସନ୍ଦୀପ ସାହୁ ଅଛନ୍ତି। ମନ୍ତ୍ରୀଙ୍କ ଅନୁସାରେ ମେସିନ ସାହାଯ୍ୟରେ କାଦୁଅ ଓ ମାଟି ହଟା ଯାଉଛି। 

କାଦୁଅ ଓ ମାଟି ହଟାଇବା ପାଇଁ ଟନେଲରେ ପୁଣି କନଭେୟର ବେଲ୍ଟ ଚାଲୁ କରାଯାଇଛି। ବିଜେପି ନେତା ରଚନା ରେଡ୍ଡୀଙ୍କ ଅନୁସାରେ ଟନେଲ ପାଖାପାଖି ୧୪ କିଲୋମିଟର ଲମ୍ବ। ଦୁର୍ଘଟଣା ଘଟିବାର ୨ ଦିନ ବିତିଗଲାଣି ଏବେବି ଲୋକେ ଜୀବିତ ଥିବାର ଆଶା କରାଯାଉଛି। କାରଣ ଟନେଲରେ ଏୟାର ପକେଟସ୍ ତିଆରି କରାଯାଇଛି। ଏହି ଉଦ୍ଧାର ଅଭିଯାନରେ କେନ୍ଦ୍ର ସରକାର ସବୁ ପ୍ରକାରର ସହାୟତା କରୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.