ଥାଲାପତି ବିଜୟଙ୍କ ନିର୍ବାଚନ ଇସ୍ତାହାର: ସରକାର ଆସିଲେ ଉଚ୍ଛେଦ ହେବ ରାଜ୍ୟପାଳ ପଦବୀ

Published By : Prameya-News7 Bureau | October 27, 2024 IST

indiatoday

ନୂଆଦିଲ୍ଲୀ: ସିନେ ସୁପର ଷ୍ଟାରରୁ ଏବେ ପକ୍କା ରାଜନେତା ସାଜିଛନ୍ତି ତାମିଲ ମେଗା ଷ୍ଟାର ଥାଲାପତି ବିଜୟ। ୮ ମାସ ତଳେ ସେ ତାଙ୍କ ଦଳ ‘ତାମିଲିଗା ଭେଟ୍ଟ୍ରି କାଜଘାମ(ଟିଭିକେ)’ ଘୋଷଣା କରିଥିଲେ। ରବିବାର ଦଳ ପ୍ରଚାର ଆରମ୍ଭ କରିଛନ୍ତି ବିଜୟ। ଭିଲ୍ଲୁପୁର ଜିଲ୍ଲାର ନିର୍ବାଚନ ପ୍ରଚାର କରି ଅଭିନେତା ତଥା ଟିଭିକେ ମୁକ୍ୟ ବିଜୟ ରାଜ୍ୟ ପାଇଁ ବଡ଼ ଘୋଷଣା କରିଛନ୍ତି। ତାଙ୍କ ଦଳ ଜିତିଲେ ରାଜ୍ୟ ପାଇଁ ତାଙ୍କର କ’ଣ ସବୁ ଲକ୍ଷ ରହିଛି ସେ ନେଇ ବିଜୟ ପ୍ରଚାର ବେଳେ ଖୋଲାଖୋଲି ଘୋଷଣା କରିଛନ୍ତି। ତାଙ୍କ ପ୍ରତିଶ୍ରୁତିରେ ତାମିଲ ଭାଷାକୁ କୋର୍ଟର ପ୍ରଶାସନିକ ଭାଷା ବନାଇବା ସହିତ ରାଜ୍ୟପାଳ ପଦବୀର ଉଚ୍ଛେଦ କରାଯିବ ବୋଲି ବିଜୟ କହିଛନ୍ତି।

ବିଜୟ ନିଜର ରାଜନୈତିକ ଦଳ ଘୋଷଣା କରିବା ପରେ ତାଙ୍କ ସଭାରେ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ। ପ୍ରବଳ ଗରମ ସତ୍ତ୍ୱେ ମେଗା ଷ୍ଟାରଙ୍କ ରାଲିରେ ଅଭୁତପୂର୍ବ ଜନସମାଗମ ଦେଖିବାକୁ ମିଳିଥିଲା। ରବିବାର ଦଳ ପାଇଁ ପ୍ରଚାର ବେଳେ ବିଜୟ କହିଥିଲେ ତାଙ୍କ ଦଳ ସରକାର ଗଢ଼ିଲେ ତାମିଲନାଡୁରେ ତାମିଲକୁ "କୋର୍ଟ ଏବଂ ମନ୍ଦିରର ଭାଷା" କରାଯିବ। ଏବଂ ଆଞ୍ଚଳିକ ଐତିହ୍ୟକୁ ସମ୍ମାନ କରୁଥିବା ସାଂସ୍କୃତିକ ଉତ୍ଥାନ କାର୍ଯ୍ୟ କରାଯିବ ବୋଲି ବିଜୟ କହିଛନ୍ତି।
 ୫୦ ବର୍ଷର ବିଜୟ ଜନସଭାରେ ସମ୍ବୋଧନ କଲା ବେଳେ ତାମିଲନାଡୁର ରାଜ୍ୟ ସଂଗୀତ ବାଜିଥିଲା ଓ ବିଜୟ ନିଜ ଦଳର ପତାକା ଉଡ଼ାଇଥିଲେ। ଏବଂ ତାଙ୍କ ଦଳରେ ଆଦର୍ଶ ପେରିୟାରଙ୍କ ଆଦର୍ଶ ସହିତ ଯୋଡ଼ି ହୋଇ ରହିଛି ବୋଲି କହିଥିଲେ। ସେ କହିଥିଲେ “ହଁ ପେରିୟାର ହେଉଛନ୍ତି ଆମ ଆଦର୍ଶର ନେତା। ଆମ ଦଳ ସମସ୍ତ ଧାର୍ମିକ ବିଶ୍ୱାସକୁ ସମ୍ମାନ କରେ। ତଥାପି ଆମେ ମହିଳାଙ୍କ ଶିକ୍ଷା, ମହିଳା ସଶକ୍ତିକରଣ ଏବଂ ସାମାଜିକ ନ୍ୟାୟ ପରି ନୀତିକୁ ସମର୍ଥନ କରୁଛୁ ଯାହା ପାଇଁ ପେରିୟର୍ ଅନେକ କାମ କରିଥିଲେ। ଏହି ମୂଲ୍ୟବୋଧକୁ ଆମ ଦଳ ଆଗକୁ ନେବ। ” 

କେବଳ ସେତିକି ନୁହେଁ, ସମ୍ବିଧାନ ପ୍ରଣେତା ବି. ଆର୍ ଆମ୍ବେଦକରଙ୍କ ସାମାଜିକ ନ୍ୟାୟର ଲଢ଼େଇକୁ ମଧ୍ୟ ତାଙ୍କ ଦଳର ଆଦର୍ଶ ବୋଲି ବିଜୟ କହିଥିଲେ। ତା’ ସହିତ ଆମ ଦଳ ପ୍ରଥମ ଦଳ ଯିଏ ଗର୍ବର ସହିତ ମହିଳାଙ୍କୁ ଆଦର୍ଶନ ବୋଲି ମାନୁଛି ବୋଲି ବିଜୟ କହିଥିଲେ। 

ନିର୍ବାଚନ ପାଇଁ ଟିଭିକେ ଦଳର ନିର୍ବାଚନ ଇସ୍ତାହାର

ରାଜ୍ୟପାଳ ପଦ ହଟାଇବା
କୋର୍ଟରେ ତାମିଲକୁ ପ୍ରଶାସନିକ ଭାଷା ଭାବେ ପ୍ରୋତ୍ସାହିତ କରିବା
ମହିଳାଙ୍କ ପାଇଁ ସମାନ ସୁଯୋଗ।
ଜାତିଗତ ଜନଗଣନା କରିବା
ଷ୍ଟେଟ୍ ଲିଷ୍ଟରେ ଶିକ୍ଷାକୁ ପୁନଃ ସ୍ଥାପନ କରିବା ଇତ୍ୟାଦି

ଏହି ନିର୍ବାଚନ ପ୍ରଚାର ବେଳେ ଦଳୀୟ ନେତାମାନେ ସର୍ବଧର୍ମ ସମନ୍ୱୟର ପ୍ରତୀକ ଭାବେ ବିଜୟଙ୍କୁ ଶ୍ରୀମଦ ଭଗବତ ଗୀତା, ବାଇବେଲ ଓ କୁରାନ ଦେଇଥିଲେ। 
 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.