ନୂଆଦିଲ୍ଲୀ, ୧୨/୦୮: କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କୁ ଲୋକସଭାରୁ ନିଲମ୍ବନ କରାଯାଇଛି । ଗୁରୁବାର ମୌସୁମୀ ଅଧିବେଶନ ସମୟରେ ଧ୍ବନି ମତରେ ତାଙ୍କର ନିଲମ୍ବନ ପାରିତ ହୋଇଥିଲା। ଅଧୀର ରଞ୍ଜନଙ୍କ ନିଲମ୍ବନକୁ ବିରୋଧ କରି ଶୁକ୍ରବାର ଲୋକସଭାରେ ମୌସୁମୀ ଅଧିବେଶନର ଅନ୍ତିମ କାର୍ଯ୍ୟଦିବସରେ ବିରୋଧୀ ‘ଇଣ୍ଡିଆ’ର ସାଂସଦମାନେ ହଙ୍ଗାମା କରିଥିଲେ ଏବଂ ଗୃହରୁ ଉଠି ଚାଲିଯାଇଥିଲେ। ନିଲମ୍ବନ ବିରୋଧରେ ସାଂସଦ ଭିତରେ ଡା.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ବିରୋଧ ଯାତ୍ରା କରିଥିଲେ। ଆଉ ଏବେ ଏକ ପ୍ରେସ୍ ବିଜ୍ଞପ୍ତିରେ ଅଧୀର ରଞ୍ଜନ ନିଜର ନିଲମ୍ବନ ନେଇ ପାଲଟା ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଆବଶ୍ୟକ ପଡ଼ିଲେ ଏହା ବିରୋଧରେ ସୁପ୍ରିମକୋର୍ଟ ଯିବେ।
ଗଣମାଧ୍ୟମରେ ଅଧୀର ରଞ୍ଜନ କହିଛନ୍ତି, ‘‘ ଏହା ଏକ ନୂଆ ଘଟଣା ଯାହା କେବେ ସଂସଦରେ ଅନୁଭବ କରିନଥିଲି। ଏହା ବିରୋଧୀଙ୍କ ସ୍ବର ଚପାଇବାକୁ ସତ୍ତାଧାରୀ ଦଳ ତରଫରୁ ଜାଣିଶୁଣି କରାଯାଇଥିବା ଯୋଜନା। ଏହା ସଂସଦୀୟ ଲୋକତନ୍ତ୍ରର ଭାବନାକୁ ଦୁର୍ବଳ କରିବ।’’ ସେହିଭଳି ମନୀଷ ତିଓ୍ବାରୀଙ୍କ ବୟାନକୁ ନେଇ ପଚରାଯାଇଥିବା ପ୍ରଶ୍ନରେ ଅଧୀର ରଞ୍ଜନ କହିଥିଲେ ‘‘ଯଦି ଆବଶ୍ୟକ ପଡ଼େ ତାହେଲେ ମୁଁ ସୁପ୍ରିମକୋର୍ଟ ଯାଇପାରେ।’’ ପ୍ରକୃତରେ କଂଗ୍ରେସ ନେତା ଏବଂ ଓକିଲ ମନୀଷ ତିଓ୍ବାରୀ ନିଜର ଏକ ବୟାନରେ କହିଥିଲେ ଯେ, ସେ ଅଧୀର ରଞ୍ଜନଙ୍କ ନିଲମ୍ବନକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ।
ଆହୁରି ପଢ଼ନ୍ତୁ: ଯେଉଁଠି ରାଜା ଅନ୍ଧ…ସେଠି ଦ୍ରୌପଦୀଙ୍କ ହେଉଛି ବସ୍ତ୍ରହରଣ; ସରକାରଙ୍କୁ ଅଧୀର ରଞ୍ଜନଙ୍କ ଟାର୍ଗେଟ୍
ସୂଚନାଥାଉକି, ଲୋକସଭାରେ ଅବିଶ୍ବାସ ପ୍ରସ୍ତାବ ଉପରେ ହୋଇଥିବା ଚର୍ଚ୍ଚା ସମୟରେ ଅଧୀର ରଞ୍ଜନ ଚୌଧୁରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ କରିଥିବା କିଛି ଟିପ୍ପଣୀ ଏବଂ ଆଚରଣ କାରଣରୁ ଗୁରୁବାର ତାଙ୍କୁ ଗୃହରୁ ନିଲମ୍ବିତ କରାଯାଇଥିଲା ଏବଂ ତାଙ୍କ ବିରୋଧରେ ମାମଲାର ଯାଞ୍ଚ ପାଇଁ ବିଶେଷାଧିକାର କମିଟି ପାଖକୁ ପଠାଇଦିଆଯାଇଥିଲା। ରାଜ୍ୟସଭାରେ ବିରୋଧୀ ନେତା ମଲ୍ଲିକାର୍ଜୁନ୍ ଖଡ଼ଗେ ଅଧୀର ରଞ୍ଜନ ଚୌଧୁରୀଙ୍କ ପକ୍ଷ ନେଇଥିଲେ। ଶୁକ୍ରବାର ଖଡଗେ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ପାଇଁ ‘ନୀରବ ମୋଦୀ’ ଶବ୍ଦର ବ୍ୟବହାର କରିବା ଫଳରେ ତାଙ୍କର ପାର୍ଟୀ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଲୋକସଭା ନିଲମ୍ବନ ଠିକ୍ ନୁହେଁ। କାରଣ ନୀରବର ଅର୍ଥ ଶାନ୍ତ ।