୩୯ ବର୍ଷ ପରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ପଦରେ ଜଣେ ଅଣ ଓଡ଼ିଆ IAS

Published By : Prameya-News7 Bureau | June 28, 2024 IST

ଭୁବନେଶ୍ଵର: ବହୁ କଳ୍ପନା ଜଳ୍ପନାର ଅବସାନ ଘଟିଛି। ରାଜ୍ୟର ମୁଖ୍ୟ ଶାସନ ସଚିବ ହୋଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ମନୋଜ ଆହୁଜା। ଏହା ସହିତ ଦୀର୍ଘ ୩୯ ବର୍ଷ ପରେ ଜଣେ ଅଣ ଓଡ଼ିଆ ଆଇଏଏସ ଅଫିସର ରାଜ୍ୟର ମୁଖ୍ୟ ଶାସନ ସଚିବ ହେବାକୁ ଯାଉଛନ୍ତି। ମହୋନ  ମାଝୀଙ୍କ ନୂତନ ସରକାର ଆହୁଜାଙ୍କୁ ଏହି ଗୁରୁ ଦାୟିତ୍ଵ ଦେଇଛନ୍ତି। ବର୍ତ୍ତମାନ ମୁଖ୍ୟ ସଚିବ ଥିବା ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଜୁନ ୩୦ ତାରିଖରେ ସରିବାକୁ ଯାଉଛି। ପ୍ରଦୀପଙ୍କଠୁ ଦାୟିତ୍ଵ ଗ୍ରହଣ କରିବେ ଆହୁଜା। 

ଗତ ୪ ଦଶନ୍ଧି ଧରି ଏହି ପଦରେ ସର୍ବଦା ଓଡ଼ିଆ ପ୍ରଶାସନିକ ଅଧିକାରୀ ରହି ଆସିଥିଲେ। ଆଉ ମୋହନ ମାଝୀଙ୍କ ନବ ନିର୍ବାଚିତ ସରକାରରେ ଏହାର ବ୍ୟତିକ୍ରମ ଘଟିଛି। ଅଣ ଓଡ଼ିଆ ଆଇଏଏସ ଅଫିସର ମନୋଜ ଆହୁଜାଙ୍କୁ ମୁଖ୍ୟ ସଚିବ ପଦରେ ନିଯୁକ୍ତ କରିଛନ୍ତି।  ମନୋଜ ଆହୁଜାଙ୍କ ପୂର୍ବରୁ ୧୯୮୩ ଏପ୍ରିଲରୁ ୧୯୮୫ ଡିସେମ୍ବର ପର୍ଯ୍ୟନ୍ତ ଜ୍ଞାନ ଚନ୍ଦ ଓଡ଼ିଶାର ମୁଖ୍ୟ ସଚିବ ରହିଥିଲେ। 

୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡରର ଆଇଏଏସ ମନୋଜ ଆହୁଜା ଓଡ଼ିଶା ସରକାରରେ ଇସ୍ପାତ ଓ ଖଣି ସଚିବ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ  ବିଭାଗର ସଚିବ ଭାବେ କାର୍ଯ୍ୟ କରିଛନ୍ତି। ସେ ବାଣିଜ୍ୟିକ କର ଆୟୁକ୍ତ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ସେହି ସମୟରେ ଏହି ଦାୟିତ୍ଵରେ ଥିଲେ ଯେତେବେଳେ ରାଜ୍ୟଗୁଡ଼ିକର ମୂଳ ବର୍ଦ୍ଧିତ କର(ଭାଟ୍) ବ୍ୟବସ୍ଥାକୁ ଜାତୀୟ ସ୍ତରରେ ଆରମ୍ଭ କରାଯାଇଥିଲା। ଆଉ ଜିଏସଟି ପ୍ରଣାଳୀରେ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଥିଲା। 

ଆହୁଜା ଜଣେ କ୍ରୀଡ଼ା ପ୍ରେମୀ। ସେ ସାଇକେଲ୍ ଚଳାଇବା ଏବଂ ଦୁଃସାହସିକ କ୍ରୀଡ଼ାରେ ଭାଗ ନେବାକୁ ପସନ୍ଦ କରନ୍ତି। ତାଙ୍କର ପତ୍ନୀ  ହେଉଛନ୍ତି ଆରତି ଆହୁଜା, ଯିଏ ୧୯୯୦ ବ୍ୟାଚର ଆଇଏଏସ ଅଧିକାରିଣୀ। ସେ ମଧ୍ୟ ମଧ୍ୟ ଓଡ଼ିଶା କ୍ୟାଡରର ଆଇଏଏସ ଅଫିସର ଥିଲେ। ଚଳିତ ବର୍ଷ ଆରମ୍ଭରେ ସେ ଶ୍ରମ ଓ ରୋଜଗାର ସଚିବ ପଦରୁ ଅବସର ନେଇଛନ୍ତି। 

ଟେକ୍ନୋକ୍ରାଟରୁ ପ୍ରଶାସନିକ ଅଧିକାରୀ ହୋଇଥିବା ଆହୁଜା କେନ୍ଦ୍ର ସରକାର ଓ ରାଜ୍ୟ ସରକାରରେ ଅନେକ ଗୁରୁତ୍ଵପୂର୍ଣ୍ଣ ପଦରେ କାମ କରିଛନ୍ତି। ତାଙ୍କ ସହକର୍ମୀ କହିଛନ୍ତି, ସେ ଜଣେ ପରିଶ୍ରମୀ ଏବଂ କର୍ତ୍ତବ୍ୟନିଷ୍ଠ  ଅଧିକାରୀ। ନିଜ କାର୍ଯ୍ୟ ଶୈଳୀରେ ଶୀର୍ଷ ନେତୃତ୍ଵଙ୍କ ସେ ବିଶ୍ଵାଭାଜନ ହୋଇ ପାରିଛନ୍ତି। 

ସୂଚନାଯୋଗ୍ୟ, ଆହୁଜା କେନ୍ଦ୍ରୀୟ ଡେପୁଟେସନରେ ଥିଲେ। ତାଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର କରିଥିବା ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ କରିଥିଲେ। ଗତ କାଲି କ୍ୟାବିନେଟ୍ ନିଯୁକ୍ତି ସଂକ୍ରାନ୍ତୀୟ କମିଟି ତାଙ୍କୁ ଓଡିଶା ଫେରିବା ପାଇଁ ଅନୁମତି ଦେଇଥିଲେ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେ ଓଡିଶାର ମୁଖ୍ୟ ଶାସନ ସଚିବ ହେଲେ ତାଙ୍କ କାର୍ଯ୍ୟକାଳ ଛଅ ମାସ ରହିପାରେ। କାରଣ ଆହୁଜା ଆସନ୍ତା ଡିସେମ୍ବରରେ ଅବସର ନେବେ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.