ବିପଦ କହି ବ୍ୟାନ୍ କରିଥିଲେ ସରକାର: ରିଲାଏନ୍ସର ହାତ ଧରି ନାଁ ବଦଳାଇ ଭାରତରେ ପୁନଃ ପ୍ରବେଶ କଲା ଚୀନ କମ୍ପାନୀ

Published By : Prameya-News7 Bureau | February 07, 2025 IST

ନୂଆଦିଲ୍ଲୀ: ଦିନେ ଡାଟା ସୁରକ୍ଷା ପ୍ରତି ବିପଦ ଥିବା କହି ଚୀନର କିଛି ଆପ୍ ସହିତ ଏହାର ଫେସନ କପଡ଼ା ବ୍ରାଣ୍ଡ୍ ଶିଏନ୍‌କୁ ବ୍ୟାନ୍ କରିଥିଲେ ଭାରତ ସରକାର। ହେଲେ ଆଜି ସେହି ଚୀନ୍ ଫେସନ ବ୍ରାଣ୍ଡ୍ ଅମ୍ବାନୀଙ୍କ ହାତ ଧରି ଭାରତରେ ପ୍ରବେଶ କରିଛି। ଏନେଇ ଉଭୟ କମ୍ପାନୀକୁ ପ୍ରଶ୍ନ କରିବାରୁ ନାଁ ରିଲାଏନ୍ସ ନା ଶିଏନ୍‌ କାହା ପକ୍ଷରୁ କୌଣସି ଉତ୍ତର ମିଳି ନାହିଁ। ଏନେଇ ବିଜ୍‌ନେଶ ଇନ୍‌ସାଇଡର ନାମକ ଏକ ମିଡିଆ ଖବର ପ୍ରକାଶ କରିଛି। 

ଭାରତୀୟ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ୨୦୨୦ ମସିହାରେ ଜାତୀୟ ସୁରକ୍ଷା ଏବଂ ଡାଟା ଗୋପନୀୟତାକୁ ବିପଦ ଥିବା ଦର୍ଶାଇ ଚୀନର ଫେସନ ବ୍ରାଣ୍ଡ୍ ଶିଏନ୍‌ ଏବଂ ଟିକ୍‌ଟକ୍ ସମେତ ପାଖାପାଖି ୪୦ରୁ ଅଧିକ ଚୀନ୍ ଆପ୍‌କୁ ବ୍ୟାନ୍ କରିଥିଲେ। ହେଲେ ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରୀ ବଡ଼ ଚତୁରତାର ସହ ଚୀନ କମ୍ପାନୀ ଶିଏନ୍‌କୁ ପୁଣିଥରେ ଭାରତରେ ପ୍ରବେଶ କରାଇଛି। ‘ଶିଏନ୍‌ ଇଣ୍ଡିଆ ଫାଷ୍ଟ ଫେସନ’ ନାଁରେ କମ୍ପାନୀ ଭାରତ ଭଳି ଏକ ବଡ଼ ମାର୍କେଟ୍‌ରେ ପ୍ରବେଶ କରିଛି। 

ବିଜନେସ୍ ଇନସାଇଡର ଯାଞ୍ଚରୁ ଜଣାପଡ଼ିଛି ଯେ ଜାନୁଆରୀ ୨୭ ତାରିଖ ପର୍ଯ୍ୟନ୍ତ ଆପଲ୍ ଏବଂ ଗୁଗୁଲ୍‌ର ଆପ୍ ଷ୍ଟୋରରେ ଶିଏନ୍‌ କମ୍ପାନୀର ଆପ୍ ଉପଲବ୍ଧ ଥିଲା। ଏହାକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଗ୍ରାହକ ଶାଖା ରିଲାଏନ୍ସ ରିଟେଲ୍ ଦ୍ୱାରା ପରିଚାଳିତ କରାଯାଉଥିଲା ବୋଲି ଆପ୍ ଲିଷ୍ଟିଂରୁ ଜଣାପଡ଼ିଛି। ଆପ୍‌ରେ ଏକ ପପ୍ ଅପ୍ ମେସେଜ୍‌ରେ ଲେଖାଥିଲା “The fashion OG is back” ।

ବିଜନେସ୍ ଇନସାଇଡର(ବିଏସ୍‌) ଅନୁସାରେ, ଆପ୍‌ରେ ଥିବା ଏକ ମେମୋ ଅନୁଯାୟୀ, ଏହି ଚୀନ ବ୍ରାଣ୍ଡ୍‌ ବର୍ତ୍ତମାନ କେବଳ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ, ଯେପରିକି ଦିଲ୍ଲୀ ଏନସିଆର୍, ମୁମ୍ବାଇ ଏବଂ ଭାରତର ଟେକ୍ ହବ୍ ବେଙ୍ଗାଲୁରୁକୁ ନିଜ ଉତ୍ପାଦ ପଠାଉଛି ବୋଲି ଲେଖିଥିଲା। ଏବଂ ଖୁବ୍‌ଶୀଘ୍ର ଏହା ଭାରତ ବାହାରକୁ ବି ସାମଗ୍ରୀ ପଠାଇବା ବୋଲି ମେମୋରେ ଲେଖିଥିଲା। ହେଲେ ବିଏସ୍‌ ପକ୍ଷରୁ ଭାରତୀୟ ଆପ୍ ଷ୍ଟୋରରେ ମୂଳ ଶିଏନ୍ ଆପ୍‌କୁ ଖୋଜିବାରୁ ଏହା ଉପଲବ୍ଧଦ ନାହିଁ ବୋଲି ଏକ ନୋଟିସରେ ଲେଖାଯାଇଥିଲା।

ପଢନ୍ତୁ- ବାଉନ୍ସର ଭୟ ଦେଖାଇ ବଳ ପୂର୍ବକ ୩୫୦ କର୍ମଚାରୀଙ୍କୁ ଛଟେଇ କଲା ଇନ୍‌ଫୋସିସ୍‌ ! ବିବାଦ ପରେ ଦେଲା ସଫେଇ

ଡିସେମ୍ବର ମାସରେ ସଂସଦର ଅଭିଭାଷଣରେ ରିଲାଏନ୍ସ ଏବଂ ଶିଏନ୍‌ ଚୁକ୍ତିନାମା ଉପରେ ଆଲୋଚନା ହୋଇଥିଲା। ସେତେବେଳେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ କହିଥିଲେ ଯେ ଦୁଇଟି କମ୍ପାନୀ ଏକ ଇ-କମର୍ସ ପ୍ଲାଟଫର୍ମ ବିକଶିତ କରିବା ପାଇଁ ଏକ ଟେକ୍ନୋଲୋଜୀ ଏଗ୍ରୀମେଣ୍ଟ ସାହାଯ୍ୟରେ ପ୍ରବେଶ କରିଛନ୍ତି। ମନ୍ତ୍ରୀ କହିଥିଲେ “ଏହି ପ୍ଲାଟଫର୍ମଟି ସ୍ଥାନୀୟ ନିର୍ମାତା ଏବଂ ଯୋଗାଣକାରୀଙ୍କ ଏକ ନେଟୱାର୍କ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ। ଯେଉଁମାନେ ଶିଏନ ବ୍ରାଣ୍ଡ ଅଧୀନରେ ପ୍ରଡକ୍ଟ ମେନୁଫେକ୍ଚର କରିବେ ଓ ସେଗୁଡ଼ିକୁ ଘରୋଇ ଏବଂ ବିଶ୍ୱ ସ୍ତରରେ ବିକ୍ରୟ କରିବେ।” 

ସୂଚନା ଥାଉକି ଚୀନର ଶିଏନ୍ ବ୍ରାଣ୍ଡ୍‌ ଆମେରିକାରେ ନାନା କଟକଣାର ସାମ୍ନା କରୁଛି। ଏଭଳି ସ୍ଥିତିରେ କମ୍ପାନୀ  ପ୍ରାୟ ୧.୪୩ ବିଲିୟନ ଜନସଂଖ୍ୟା ବିଶିଷ୍ଟ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଭାରତରେ ପୁନଃପ୍ରବେଶ ପ୍ରବେଶ କରିବା କମ୍ପାନୀ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ରୟଟର୍ସର ରିପୋର୍ଟ ଅନୁସାରେ ଆମେରିକା ହେଇଛି ଶିଏନ କମ୍ପାନୀର ଏକ ସର୍ବବୃହତ ମାର୍କେଟ୍। ଆମେରିକାର କମ୍ପାନୀ ସମସ୍ୟାରେ ସମ୍ମୁଖୀନ ହେଉଥିବା ବେଳେ ଭାରତକୁ ଏବେ ତାର ମୁଖ୍ୟ ବଜାର କରିବାକୁ ଟାର୍ଗେଟ୍ ନେଇଛି। 

ପଢନ୍ତୁ-  ଫୁଡ୍‌ ଓ ଡ୍ରିଙ୍କିଙ୍ଗ୍‌ରେ ଜେପ୍ଟୋ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଡାଉନ୍‌ଲୋଡ୍ ହୋଇଥିବା ଆପ୍: ରିଟେଲ୍‌ରେ କିଏ ଫାଷ୍ଟ ଜାଣନ୍ତୁ

ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଚୀନ ଉପରେ ୧୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। କେବଳ ସେତିକି ନୁହେଁ, ନିର୍ବାଚନ ରାଲି ବେଳେ ଟ୍ରମ୍ପ ଚୀନ ଉତ୍ପାଦନ ଉପରେ ୬୦ ପ୍ରତିଶତ ଶୁଳ୍କ ଲଗାଇବେ ବୋଲି କହିଥିଲେ। ବର୍ତ୍ତମାନ କେବଳ ୧୦ ପ୍ରତିଶତ ଶୁଳ୍କ ଲଗାଯାଇଛି। ହେଲେ କେଉଁ ମୁହୂର୍ତ୍ତରେ ଟ୍ରମ୍ପ ୬୦ ପ୍ରତିଶତ ଶୁଳ୍କ ଲଗାଇପାରନ୍ତି।  

ଆମେରିକା ଏବଂ ଚୀନ୍ ସ୍ଥିତ ରିଟେଲ କନସଲଟେନ୍ସି ଟେକମୋଆଟ୍ କନସଲ୍ଟିଂର ପ୍ରତିଷ୍ଠାତା ଜେଫ୍ରି ଟୋସନ୍ ନଭେମ୍ବରରେ ବିଆଇକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଶିଏନ ଏବଂ ଟେମୁ ଶୁଳ୍କରୁ ରକ୍ଷା ପାଇ ପାରିବେ ନାହିଁ। ଏହି ଦୁଇ ଚୀନ ବ୍ରାଣ୍ଡ ଅପେକ୍ଷାକୃତ ଶସ୍ତା ଓ ଷ୍ଟାଇଲିସ୍‌ ହୋଇଥିବାରୁ ଆମେରିକା ଲୋକେ ଏହି ଦୁଇ ବ୍ରାଣ୍ଡର କପଡ଼ା କିଣିବାକୁ ପସନ୍ଦ କରନ୍ତି। ତେଣୁ ଏହାର ବହୁଳ ଡିମାଣ୍ଡକୁ ରୋକିବାକୁ ଟ୍ରମ୍ପଙ୍କ ପାଖରେ ଅନ୍ୟ କୌଣସି ବାଟ ନାହିଁ ବୋଲି ଟୋସନ କହିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.