ଏୟାର ଇଣ୍ଡିଆ ବିମାନରେ ପରିସ୍ରା କାଣ୍ଡ, ଘରୋଇ କମ୍ପାନିର ବରିଷ୍ଠ ଅଧିକାରୀଙ୍କ ଉପରେ ପରିସ୍ରା କଲେ ସହଯାତ୍ରୀ

Published By : Prameya-News7 Bureau | April 09, 2025 IST

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ପୁଣି ଥରେ ପରିସ୍ରା କାଣ୍ଡ ଘଟିଛି । ଦିଲ୍ଲୀରୁ ବ୍ୟାଙ୍କକକ୍ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏଆଇ ୨୩୩୬ର ବିଜନେସ୍ କ୍ଲାସରେ ଜଣେ ପୁରୁଷ ଯାତ୍ରୀ ଏକ ଘରୋଇ କମ୍ପାନିର ବଡ଼ ଅଧିକାରୀଙ୍କ ଉପରେ ପରିସ୍ରା କରିଛନ୍ତି । ଏୟାର ଇଣ୍ଡିଆ ମଧ୍ୟରେ ଏହି ଘଟଣା ସ୍ପଷ୍ଟ କରିଛି । କ୍ରିୟୁ ସଦସ୍ୟ ପୀଡ଼ିତ ଯାତ୍ରୀଙ୍କୁ ଅଭିଯୋଗ କରିବାରେ ସହଯୋଗ କରିବେ ବୋଲି କହିଥିଲି, କିନ୍ତୁ ସେ ଏପରି କରିବାକୁ ମନା କରିଛନ୍ତି । ବିମାନ ବ୍ୟାଙ୍କକକରେ ଲ୍ୟାଣ୍ଡ୍ କରିବା ବେଳେ ଏହି ଘଟଣା ଘଟିଥିଲା । ଏହା ପୂର୍ବରୁ ୨୦୨୨ ନଭେମ୍ୱରରେ ବି ଏୟାର ଇଣ୍ଡିଆ ବିମାନରେ ଏଭଳି ପରିସ୍ରା କାଣ୍ଡ ଦେଖିବାକୁ ମିଳିଥିଲା ।

ମାମଲା ବଢିବା ପରେ ଯାତ୍ରୀ ଜଣକ ପୀଡ଼ିତଙ୍କୁ କ୍ଷମା ମାଗିଛନ୍ତି । ଏୟାର ଇଣ୍ଡିଆ ମୁଖପାତ୍ର କହିଛନ୍ତି, 'ଏପ୍ରିଲ୍ ୯ରେ ଦିଲ୍ଲୀରୁ ବ୍ୟାଙ୍କକକ୍ ଯାଉଥିବା ବିମାନ ଏଆଇ ୨୩୩୬କୁ କଣ୍ଟ୍ରୋଲ କରୁଥିବା କେବିନ୍ କ୍ରିୟୁଙ୍କୁ ଜଣେ ଅନିୟନ୍ତ୍ରିତ ଯାତ୍ରୀଙ୍କ ଦୁର୍ବ୍ୟବହାର ସୂଚନା ମିଳିଥିଲା । କ୍ରିୟୁ ସମସ୍ତ ନିର୍ଦ୍ଧାରିତ ପ୍ରକ୍ରିୟା ପାଳନ କରିଥିଲେ ଓ ମାମଲା ସମ୍ପର୍କରେ ଅଧିକାରୀଙ୍କୁ ସୂଚନା ଦିଆଯାଇଛି ।'

କମ୍ପାନି ଆହୁରି କହିଛି, 'ଘଟଣା ଘଟାଇଥିବା ଯାତ୍ରୀଙ୍କୁ ଚେତାବନୀ ଦିଆଯିବା ସହ ଆମ କ୍ରିୟୁ ପୀଡ଼ିତ ଯାତ୍ରୀଙ୍କୁ ବ୍ୟାଙ୍କକକରେ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବାରେ ସହାୟତା କରିବେ ବୋଲି ମଧ୍ୟ କହିଥିଲେ ।  କିନ୍ତୁ ସେହି ସମୟରେ ଏହାକୁ ସେ ଅସ୍ୱୀକାର କରିଥିଲେ । ଘଟଣାର ଆକଳନ କରିବା ଓ ଦୁର୍ବ୍ୟବହାର କରିଥିବା ଯାତ୍ରୀଙ୍କ ବିରୋଧରେ ଯଦି କୌଣସି କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯାଏ, ତେବେ କମିଟି ସ୍ୱତଃ ତାଙ୍କୁ ଡାକିବ । ଏୟାର ଇଣ୍ଡିଆ ଏପରି ମାମଲାରେ ଡିଜିସିଏ ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା ଏସଓପି ପାଳନ କରିବ ।'

ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କ ଉପରେ ପରିସ୍ରା କରିବାର ଏହି ମାମଲା ପ୍ରଥମ ନୁହେଁ । ୨୦୨୨ ନଭେମ୍ୱରରେ ଏପରି ସମାନ କେସ୍ ସାମନାକୁ ଆସିଥିଲା । ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ଫ୍ଲାଇଟରେ ଶଙ୍କର ମିଶ୍ରା ନାମକ ଜଣେ ଯାତ୍ରୀ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ । ପରେ ଜାନୁଆରୀ ୬ରେ ଅଭିଯୁକ୍ତ ଗିରଫ କରାଯାଇଥିଲା । ଜାନୁଆରୀ ୩୧ରେ କୋର୍ଟ ଶଙ୍କର ମିଶ୍ରାଙ୍କୁ ବେଲ୍ ଦେଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.