ନୂଆଦିଲ୍ଲୀ: ମୋବାଇଲ୍ ଗ୍ରାହକଙ୍କୁ ବଡ଼ ଝଟକା । ଦେଶରେ ମୋଇବାଲ୍ ଟାରିଫ୍ ୬ ମାସ ଭିତରେ ଦ୍ୱିତୀୟ ଥର ପାଇଁ ବଢିଛି । ଭାରତୀ ଏୟାରଟେଲ୍ ରିଚାର୍ଜ ମୂଲ୍ୟରେ ୧୦ରୁ ୧୨ ପ୍ରତିଶତ ଯାଏ ବଢାଇଛି । ଅନ୍ୟ କମ୍ପାନିଗୁଡ଼ିକ ବି ଖୁବଶୀଘ୍ର ଟାରିଫ୍ ବୃଦ୍ଧି କରିପାରନ୍ତି । ଟ୍ରାଇର ନିର୍ଦ୍ଦେଶ ସତ୍ତ୍ୱେ ଭଏସ୍ ପ୍ୟାକ୍ ମଙ୍ଗା କରାଯାଇଛି । ଭାରତୀ ଏୟାରଟେଲ୍ ଟାରିଫ୍ ପ୍ଲାନରୁ ଡାଟା ହଟାଇବା ପରେ କେବଳ ଭଏସ୍ ପ୍ୟାକର ମୂଲ୍ୟକୁ ୧୦ରୁ ୧୨ ପ୍ରତିଶତ ବଢାଇଛି । ତେବେ ଟ୍ରାଇର ଫୋକସ୍ ମୂଲ୍ୟ ହ୍ରାସ ଉପରେ ଥିଲା । ଉଲ୍ଲେଖଯୋଗ୍ୟ ଯେ ଟ୍ରାଇ ୨ଜି ପ୍ୟାକ୍ରୁ ଡାଟାକୁ ବାଦ ଦେଇ ଟାରିଫ୍ ହ୍ରାସ କରିବା ପାଇଁ କହିଥିଲା ।
ଏୟାରଟେଲ୍ର ଟାରିଫ୍ ବୃଦ୍ଧି କଥା ଯଦି କହିବା ତେବେ ପୂର୍ବରୁ ୧୯୯୯ ଟଙ୍କାରେ ୨୪ ଜିବି ଡାଟା ମିଳୁଥିଲା, ତାହା ଏବେ ବଢି ୨୨୪୯ ଟଙ୍କା ହୋଇଛି । ସେହିପରି ୫୦୯ ଟଙ୍କାରେ ୬ ଜିବି ଡାଟା ମିଳୁଥିଲା, କିନ୍ତୁ ଏବେ ଏହା ବଢି ୫୬୯ ଟଙ୍କା ହୋଇଛି । ଅନ୍ୟ ପ୍ଲାନ୍ ଗୁଡ଼ିକରେ ମଧ୍ୟ ଖୁବଶୀଘ୍ର ପରିବର୍ତ୍ତନ କରାଯାଇପାରେ । ଟ୍ରାଇ ଟେଲିକମ୍ କମ୍ପାନିଗୁଡ଼ିକୁ କେବଳ ଭଏସ୍ ପ୍ଲାନ ଲଞ୍ଚ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ଏପରି କରିବା ସହ କମ୍ପାନିଗୁଡ଼ିକ ଚୁପ୍ଚାପ୍ ମୂଲ୍ୟ ମଧ୍ୟ ବୃଦ୍ଧି କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ବିନା ଡାଟା ପ୍ୟାକ୍କୁ ଶସ୍ତା କରିବା ଉପରେ ଟ୍ରାଇର ଫୋକସ୍ ଥିଲା । ଏଥିପାଇଁ ଟେଲିକମ୍ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲା । ଟେଲିକମ୍ କମ୍ପାନିଗୁଡ଼ିକ କେବଳ ଭଏସ୍ ପ୍ୟାକ୍ ଦେବା ଆରମ୍ଭ କରିଛନ୍ତି ସତ, କିନ୍ତୁ ଏଥିରେ ଗ୍ରାହକଙ୍କୁ କୌଣସି ଲାଭ ମିଳିବ ନାହିଁ । ଉଦାହରଣ ପାଇଁ ଏୟାରଟେଲ୍ର ବାର୍ଷିକ ପ୍ଲାନ ୧୯୯୯ ଟଙ୍କା ଥିଲା, ଯେଉଁଥିରେ ଗ୍ରାହକଙ୍କୁ ୨୪ ଜିବି ଡାଟା ମିଳୁଥିଲା । କିନ୍ତୁ ଏବେ କମ୍ପାନି ଏଥିରୁ ୨୪ ଜିବି ଡାଟା ହଟାଇ ଦେଇଛି ଏବଂ ଏହି ପ୍ଲାନ୍ ଗ୍ରାହକଙ୍କୁ କେବଳ ଭଏସ୍ ପ୍ଲାନ୍ ନାଁରେ ଅଫର୍ କରିଛି । ଅର୍ଥାତ୍ ଗ୍ରାହକଙ୍କୁ ଯଦି ଏଥିରେ ଡାଟା ଦରକାର ତେବେ ଅତିରିକ୍ତ ରିଚାର୍ଜ କରିବାକୁ ପଡ଼ିବ ।
ଯଦି ଟ୍ରାଇର ନିର୍ଦ୍ଦେଶକୁ ସଠିକ୍ ଭାବେ ପାଳନ କରାଯାଇଥାନ୍ତା, ତେବେ ଦେଶର ପ୍ରାୟ ୧୫ କୋଟି ୨ଜି ୟୁଜରଙ୍କୁ ବଡ଼ ଆଶ୍ୱସ୍ତି ମିଳିଥାନ୍ତା, ଯେଉଁମାନେ ଦୁଇଟି ସିମ୍ କାର୍ଡ ବ୍ୟବହାର କରୁଛନ୍ତି । ଯେଉଁଥିରୁ ଗୋଟିଏକୁ କେବଳ କଲ୍ ଏବଂ ଏସ୍ଏମ୍ଏସ୍ ପାଇଁ ବ୍ୟବହାର କରୁଛନ୍ତି । ଟ୍ରାଇର ଉଦ୍ଦେଶ୍ୟ ଥିଲା ଉପଭୋକ୍ତାଙ୍କୁ ଡାଟା ନଥିବା ପ୍ୟାକ୍ ଶସ୍ତାରେ ଉପଲବ୍ଧ କରାଇବା । କିନ୍ତୁ ଟାରିଫ୍ ବୃଦ୍ଧି କରି ଟ୍ରାଇର ସେହି ଉଦ୍ଦେଶ୍ୟକୁ ଟେଲିକମ୍ପ କମ୍ପାନିଗୁଡିକ ଫୁଙ୍କି ଉଡାଇ ଦେଇଛନ୍ତି ।
ଜୁଲାଇରେ ହୋଇଥିବା ଟାରିଫ୍ ବୃଦ୍ଧିରେ ଟେଲିକମ୍ କମ୍ପାନିଗୁଡ଼ିକୁ ଭାରି ପଡ଼ିଥିଲା । ଗୋଟିଏ ପଟେ ଗ୍ରାହକଙ୍କ ସଂଖ୍ୟା ହ୍ରାସ ପାଇଥିଲା, ଅନ୍ୟପଟେ ଡାଟା ବ୍ୟବହାର ମଧ୍ୟ ପ୍ରଥମ ଥର ପାଇଁ ହ୍ରାସ ପାଇଥିଲା । ଦେଶେରେ ପ୍ରଥମ ଥର ପ୍ରତି ୟୁଜର ଡାଟା ବ୍ୟବହାର ହ୍ରାସ ପାଇଥିଲା । ଟ୍ରାଇ ଜୁଲାଇରୁ ସେପ୍ଟେମ୍ୱର ମଧ୍ୟରେ ଡାଟା ଜାରି କରିଛି । ଯେଉଁଥିରେ କୁହାଯାଇଛି ଯେ ଜୁଲାଇରେ ପ୍ରଥମ ଥର ପାଇଁ ଦେଶରେ ପ୍ରତି ୟୁଜର ହାରାହାରି ମାସିକ ୨୧.୩୦ ଜିବି ଡାଟା ବ୍ୟବହାର କରିଥିଲେ । ଏବେ ଏହି ସଂଖ୍ୟା ହ୍ରାଇ ପାଇ ମାସିକ ୨୧.୧୦ ଜିବି ପ୍ରତିଶତ ବ୍ୟକ୍ତି ହୋଇଛି ।