ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଅଜିତ ପାୱାର ଓ ଶରଦ ପାୱାର ମଧ୍ୟରେ ଲଢ଼େଇ ଜାରି ରହିଛି। ଶରଦ ପାୱାରଙ୍କ ଗ୍ରୁପ୍ରେ ଥିବା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଅଜିତ ପାୱାର ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କ ପାଖରେ ଆବେଦନ କରିଛନ୍ତି। ଶୁକ୍ରବାର ସ୍ପିକରଙ୍କ ଅଫିସ୍ରେ ଏହି ଆବେଦନ କରାଯାଇଥିବା ସୂଚନା ମିଳିଛି।
ଏହା ପୂର୍ବରୁ ଶରଦ ପାୱାରଙ୍କ ଟିମ୍ ପକ୍ଷରୁ ଅଜିତଙ୍କ ଟିମ୍ରେ ଥିବା ୪୧ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଆବେଦନ କରାଯାଇଥିଲା। ଜବାବରେ ଅଜିତ ମଧ୍ୟ ଶରଦଙ୍କ ସପକ୍ଷରେ ଥିବା ବିଧାୟକଙ୍କୁ ଅଯୋଗ୍ୟ ଗୋଷଣା କରିବାକୁ ଦାବି କରିଛନ୍ତି।
ଅଜିତଙ୍କ ଆବେଦନରେ ଜୟନ୍ତ ପାଟିଲ, ଜିତେନ୍ଦ୍ର ଅୱଧ, ରୋହିତ ପାୱାର, ରାଜେଶ ଟୋପେ, ଅନୀଲ ଦେଶମୁଖ, ସନ୍ଦୀପ କ୍ଷୀରସାଗର, ମାନସିଂହ ନାୟକ, ପ୍ରଜାକ୍ତା ତାନପୁରେ, ରବୀନ୍ଦ୍ର ବୁସ୍ରା, ବାଲାସାହେବ ପାଟିଲଙ୍କ ନାଁ ରହିଛି। ତେବେ ନୱାବ ମଲ୍ଲିକ, ସୁମନ ପାଟିଲ, ଅଶୋକ ପାୱାର ଏବଂ ଚେତନ ଟୁପେଙ୍କୁ ଏହି ତାଲିକାରୁ ବାଦ୍ ଦିଆଯାଉଛି।
କିଛି ଦିନ ପୂର୍ବରୁ ଏନସିପିର ଉଭୟ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଦଳର ବରିଷ୍ଠ ନେତାମାନେ ପାର୍ଟିରେ କୌଣସି ବିଭାଜନ ନାହିଁ ବୋଲି କହିଥିଲେ। ଆଉ ଏବେ ଦୁଇ ନେତାଙ୍କ ପରସ୍ପରର ବିଧାୟକଙ୍କ ବିରୁଦ୍ଧରେ ଅଯୋଗ୍ୟ ଘୋଷଣା ଆବେଦନ ପୁଣି ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଫଳରେ ଦଳର ରାଜନୀତିକୁ ଆହୁରି ଜଟିଳ ହୋଇଯାଇଛି। ପ୍ରକୃତରେ ଏନ୍ସିପି ଫାଟ ଅଛି ନା ଶରଦ ଓ ଅଜିତ ଜାଣିଶୁଣି ଗେମ୍ ଖେଳୁଛନ୍ତି ବୋଲି ଚର୍ଚ୍ଚା ହେଉଛି।
ସେପଟେ ଅଜିତ ପାୱାର ନିଜକୁ ଏନ୍ସିପିର ଅଧ୍ୟକ୍ଷ ଘୋଷଣା କରି ଇଲେକ୍ସନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଅକ୍ଟୋବର ୬ ତାରିଖରେ ଇଲେକ୍ସନ କମିଶନ ଏହାର ଶୁଣାଣି କରିବେ। ସୂଚନା ଥାଉକି ଚଳିତ ବର୍ଷ ଜୁଲାଇ ମାସରେ ଅଜିତ ପାୱାର ଶରଦଙ୍କ ବିରୁଦ୍ଧରେ ବିଦ୍ରୋହ କରି ୪୧ ବିଧାୟକଙ୍କ ସହ ଯାଇ ମହାରାଷ୍ଟ୍ର ସରକାରରେ ମେଣ୍ଟ କରି ସରକାର ଗଠନ କରିଥିଲେ। ବର୍ତ୍ତମାନ ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ଯେହେତୁ ସେ ବିଜେପି ସରକାରରେ ଅଛନ୍ତି, ତେଣୁ ବିଜେପି ତାଙ୍କର ସମସ୍ତ ଦୁର୍ନୀତିକୁ ଘୋଡ଼ାଇ ଦେଉଛନ୍ତି ବୋଲି ବିରୋଧୀ ଟାର୍ଗେଟ୍ କରିଛନ୍ତି।
ମହାରାଷ୍ଟ୍ର ରାଜନୀତିରେ ଶିବସେନାରେ ବି ଫାଟ ସୃଷ୍ଟି ହୋଇଥିଲା। ଏକନାଥ ସିନ୍ଦେ ଉଦ୍ଧବଙ୍କ ବିରୁଦ୍ଧରେ ବିଦ୍ରୋହ କରି ଯାଇ ବିଜେପି ସହ ହାତ ମିଳାଇ ସରକାର ଗଠନ କରିଥିଲେ। ତେଣୁ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଆପ୍ୟାୟିତ କରିଛି। ତେବେ ଶିବସେନାର ଫାଟ ବୁଝି ହେଉଛି ହେଲେ ଏନ୍ସିପି ରାଜନୀତି ଏବେ ବି ଲୋକଙ୍କ ପାଇଁ ଅବୁଝା ବୋଲି ଚର୍ଚ୍ଚା ହେଉଛି।