ନୂଆଦିଲ୍ଲୀ: ମଙ୍ଗଳବାର ମରିସସ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ପହଞ୍ଚିବା ପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ବାଗତ କରାଯାଇଛି । ଦ୍ବୀପ ଦେଶର ୫୭ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ସାମିଲ୍ ହେବେ । ମୋଦିଙ୍କ ଏହି ଗସ୍ତ ଅବସରରେ ମରିସସ୍ ସହ ଭାରତର ପ୍ରତିରକ୍ଷା ଓ ଆର୍ଥିକ ସହଯୋଗ କ୍ଷେତ୍ରରେ କେତେକ ରାଜିନାମା ସ୍ୱାକ୍ଷର ହେବାର ସମ୍ଭାବନା ରହିଛି ।
ମରିସସ୍ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ଗର୍ବର ବିଷୟ ହେବ । ମୋଦି ତାଙ୍କର ବ୍ୟସ୍ତ ବହୁଳ ସମୟ ଭିତରେ ଏଠାକୁ ଆସିଛନ୍ତି ଏହା ସବୁଠାରୁ ବଡ଼ କଥା । ଏହା ଆମ ପାଇଁ ଖୁସିର ବିଷୟ । ଆସନ୍ତା ୧୨ ତାରିଖରେ ହେବାକୁ ଥିବା ରାଷ୍ଟ୍ରୀୟ ଦିବସ ସମାରୋହରେ ଭାରତର ଏକ ସୈନ୍ୟଦଳ, ନୌସେନାର ଏକ ଯୁଦ୍ଧଜାହାଜ ଓ ବାୟୁସେନାର ଆକାଶଗଙ୍ଗା ସ୍କାଇଡାଇଭିଂ ଟିମ୍ ସାମିଲ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଗସ୍ତରେ ମରିସସ୍ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମଙ୍କ ସହିତ ମିଶି ସିଭିଲ୍ ସର୍ଭିସେସ୍ କଲେଜ୍ ଭବନର ଉଦଘାଟନ କରିବେ । ଏହି ବିଲ୍ଟିଂର ନିର୍ମାଣ ପାଇଁ ୪.୭୫ ମିଲିୟନ ଡଲାର ଖର୍ଚ୍ଚ ହୋଇଛି । ଏହି ପ୍ରକଳ୍ପ ଜାପାନ ସହଭାଗିତାରେ ହୋଇଛି । ଏହା ସହିତ ଭିସି ମାଧ୍ୟମରେ ୨୦ଟି ପ୍ରକଳ୍ପ ଓ ଏରିଆ ହେଲ୍ଥ ସେଣ୍ଟର ଉଦଘାଟନ କରିବେ ।