ଅମର୍ତ୍ତ୍ୟ ସେନ୍ ଙ୍କୁ ପସନ୍ଦ ଆସୁନି IPC ସ୍ଥାନରେ ଲାଗୁ ହୋଇଥିବା ଭାରତୀୟ ନ୍ୟାୟ ସଂହିତା, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | July 07, 2024 IST

କୋଲକାତା ୭।୭: ନୋବେଲ ପୁରସ୍କାରରେ ସମ୍ମାନୀତ ଅର୍ଥଶାସ୍ତ୍ରୀ ଅମର୍ତ୍ତ୍ୟ ସେନ୍ କହିଛନ୍ତି ଯେ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ସ୍ଥାନରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଲାଗୁ କରିବା ଏକ ସ୍ୱାଗତଯୋଗ୍ୟ ପରିବର୍ତ୍ତନ ବୋଲି ସେ ସ୍ୱୀକାର କରିପାରିବେନି। କାରଣ ବ୍ୟାପକ ଚର୍ଚ୍ଚା ବିନା ଏହାକୁ ଅଣାଯାଇଛି। ଶାନ୍ତିନିକେତନରେ ସାମ୍ବାଦିକଙ୍କ ସହ ଆଲୋଚନାରେ ସେନ କହିଛନ୍ତି ଯେ ନୂଆ ଆଇନ ତିଆରି ପୂର୍ବରୁ ବ୍ୟାପକ ଚର୍ଚ୍ଚାର ଆବଶ୍ୟକତା ଥିଲା। 

ସେ କହିଛନ୍ତି ଯେ ଏହାକୁ ଲାଗୁ କରିବା ପୂର୍ବରୁ ସବୁ ହିତାଧିକାରୀଙ୍କ ସହିତ ଏ ବାବଦେ ବ୍ୟାପକ ଚର୍ଚ୍ଚା କରିଥିବାର କୌଣସି ପ୍ରମାଣ ବି ନାହିଁ। ଏହା ଛଡା ଏହି ବିଶାଳ ଦେଶରେ ମଣିପୁର ଭଳି ରାଜ୍ୟ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟ ମଧ୍ୟ ଅଛନ୍ତି। ସବୁ ରାଜ୍ୟଙ୍କ ସମସ୍ୟା ଏକଭଳି  ହୋଇ ନପାରେ। ଏଣୁ ସେନ କହିଛନ୍ତି ଯେ ସବୁ ସମ୍ବଦ୍ଧିତ ପକ୍ଷଙ୍କ ସହିତ ଚର୍ଚ୍ଚା ନ କରି ବିନା ବହୁମତରେ ଏପରି ପରିବର୍ତ୍ତନ ଆଣିବାର କୌଣସି ପଦକ୍ଷେପକୁ ସ୍ୱାଗତଯୋଗ୍ୟ ପଦକ୍ଷେପ କୁହାଯାଇ ପାରିବନି। 

ସେନଙ୍କୁ ଗତ ଲୋକସଭା ନିର୍ବାଚନ ସମ୍ପର୍କରେ ମଧ୍ୟ ସାମ୍ବାଦିକ ପଚାରିଥିଲେ। ଏ ବାବଦେ ସେ କହିଛନ୍ତି ଯେ ନିର୍ବାଚନର ଫଳାଫଳ ଦର୍ଶାଉଛି ଯେ ଏପ୍ରକାର (ହିନ୍ଦୁତ୍ୱ) ରାଜନୀତି ଅନେକାଂଶରେ ବିଫଳ ହୋଇଛି। ସେହିପରି ଅର୍ଥଶାସ୍ତ୍ରୀ ଦେଶର ବେକାରୀ ସମସ୍ୟା ପଛର ମୁଖ୍ୟ କାରଣ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଉପେକ୍ଷା ହିଁ ଦେଶରେ ବେକାରୀ ସମସ୍ୟା ବଢିବାର କାରଣ। ତେବେ ନୂଆ ଶିକ୍ଷାନୀତି ୨୦୨୦ରେ ସେପରି କିଛି ଥିବା ଭଳି ଲାଗୁ ନାହିଁ। ସେ କହିଛନ୍ତି ଯେ ନୂଆ ଶିକ୍ଷା ନୀତିରେ କିଛି ବି ନୂଆ ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.