ବଜେଟ ଇଫେକ୍ଟ, iPhoneର ମୂଲ୍ୟ କମାଇଲା Apple, ଜାଣନ୍ତୁ କେତେ ହେଲା ଶସ୍ତା ?

Published By : Prameya-News7 Bureau | July 26, 2024 IST

ନୂଆଦିଲ୍ଲୀ: କମିବ iPhoneର ମୂଲ୍ୟ। ଶୁକ୍ରବାର, ଆଇଫୋନ୍‌ ମୂଲ୍ୟରେ ହ୍ରାସ ନେଇ ଘୋଷଣା କରିଛି ଆପଲ। କମ୍ପାନିର ବିବୃତ୍ତି ଅନୁଯାୟୀ ଆମଦାନୀ ହେଉଥିବା ଆଇଫୋନ୍‌ ଦାମ୍‌ରେ ୫,୯୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଛି।ଯେଉଁଥରେ ରହିଛି ଆଇଫୋନ୍‌ ୧୫ ପ୍ରୋ ଏବଂ ପ୍ରୋ ମ୍ୟାକ୍ସ ମଡଲେ। ପ୍ରକୃତରେ, ଗତ ବୁଧବାର କେନ୍ଦ୍ର ସରକାର ବଜେଟରେ ଆମଦାନୀ ହେଉଥିବା ମୋବାଇଲ ଉପରେ ସୀମା ଶୁଳ୍କ ହ୍ରାସ କରିଥିଲେ। ଆଉ ଏହି ଅନୁଯାୟୀ ଆପଲ ଏହାର ଫୋନ୍‌ ମୂଲ୍ୟକୁ ହ୍ରାସ କରିଛି।

ଆଇଫୋନ୍‌ ୧୫ ପ୍ରୋର ମୂଲ୍ୟରେ ୫,୧୦୦ ଟଙ୍କା ଏବଂ ଆଇଫୋନ ୧୫ ପ୍ରୋ ମ୍ୟାକ୍ସର ମୂଲ୍ୟରେ ୫,୯୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହେବ। ଆଇଫୋନ୍‌ ୧୮ ପ୍ରୋର ମୂଲ୍ୟ ବର୍ତ୍ତମାନ ୧୨୯,୮୦୦ ଟଙ୍କା ରହିଥିବାବେଳେ ପ୍ରୋ ମ୍ୟାକ୍ସର ମୂଲ୍ୟ ୧,୫୪,୦୦୦ ଟଙ୍କା ରହିଛି। ସେହିଭଳି କମ୍ପାନିର ଏଣ୍ଟ୍ରିଲେଭଲ ସ୍ମାର୍ଟଫୋନ୍‌ iPhone SEର ମୂଲ୍ୟରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ଏହି ଦାମ୍‌ ହ୍ରାସ ଫଳରେ ଆଇଫୋନ୍‌ ଏସଇର ମୂଲ୍ୟ ୪୯,୯୦୦ ଟଙ୍କାରୁ ୪୭,୬୦୦ ଟଙ୍କା ହୋଇଛି। ଯାହା ପ୍ରାୟ ୪.୬ ପ୍ରତିଶତ ହ୍ରାସ।ତେବେ ଏହି ହ୍ରାସ ଫଳରେ କମ୍ପାନି ଘରୋଇ ବଜାରରେ ଏହାର ଉପସ୍ଥିତିକୁ ଆହୁରି ମଜଭୁତ କରିବାକୁ ଚେଷ୍ଟା କରିବ।

ସେହିଭଳି ଦେଶରେ ଆସେମ୍ବଲ ହେଉଥିବା ଅନ୍ୟ ଆଇଫୋନ ମଡେଲ ମୂଲ୍ୟରେ କମ୍ପାନି ସାମାନ୍ୟ ହ୍ରାସ କରିଛି। ଏହି ମଡେଲ ମଧ୍ୟରେ ରହିଛି ଆଇଫୋନ ୧୫, ଆଇଫୋନ ୧୫ ପ୍ଲସ, ଆଇଫୋନ ୧୪, ଆଇଫୋନ ୧୪ ପ୍ଲସ। ଏହି ମଡେଲରେ ୩୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇଛି। ପ୍ରକୃତରେ ଏହି ମଡେଲ ଗୁଡ଼ିକ ଦେଶରେ ହିଁ ଆସେମ୍ବଲ ହେଉଛି। ତେଣୁ ଏସବୁ ମଡେଲ ଉପରେ ସୀମା ଶୁଳ୍କ ହ୍ରାସର କୌଣସି ପ୍ରଭାବ ପଡ଼ିନାହିଁ।ସେହିଭଳି ସୀମା ଶୁଳ୍କ ହ୍ରାସର ଫାଇଦା ସାମସଙ୍ଗ ଏବଂ ଅନ୍ୟ କମ୍ପାନିମାନେ ମଧ୍ୟ ନେଇପାରିବେନାହିଁ। କାରଣ ଏହି କମ୍ପାନିମାନେ ଭାରତରେ ହିଁ ମୋବାଇଲ ଆସେମ୍ବଲ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ବୁଧବାର କେନ୍ଦ୍ର ସରକାର ଆଣିଥିବା ସାଧାରଣ ବଜେଟରେ ଆମଦାନୀ ହେଉଥିବା ମୋବାଇଲ ଉପରେ କଷ୍ଟମ ଡ୍ୟୁଟିକୁ ୫ ପ୍ରତିଶତକୁ ହ୍ରାସ କରିଛନ୍ତି। ଯାହା ପୂର୍ବରୁ ୨୨ ପ୍ରତିଶତ ରହିଥିଲା। ମୋବାଇଲ ଚାର୍ଜର ଏବଂ ପ୍ରିଣ୍ଟ ସରକିଟ ବୋର୍ଡ ଆସେମ୍ବ୍ଲି(ପିସିବିଏ)ର ମୂଲ୍ୟ ହ୍ରାସ ନେଇ ମଧ୍ୟ ବଜେଟରେ ଘୋଷଣା ହୋଇଥିଲା। ଏହାର ମୂଲ୍ୟରେ ୨୦ ପ୍ରତିଶତରୁ ୧୫ ପ୍ରତିଶତକୁ ହ୍ରାସ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.