ମୁମ୍ବାଇ: ସେଞ୍ଚୁରିଆନରେ ଖେଳାଯାଇଥିବା ତୃତୀୟ ଟି-୨୦ ମୁକାବିଲାକୁ ୧୧ ରନରେ ଜିତି ନେଇଛି ଭାରତ । ଶେଷ ଓଭର ପର୍ଯ୍ୟନ୍ତ ଲଢ଼େଇ କରି ଶେଷରେ ପରାସ୍ତ ହୋଇଛି ଦକ୍ଷିଣ ଆଫ୍ରିକା । ଫଳରେ ୪ଟି ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ଟିମ୍ ଇଣ୍ଡିଆ ଆଗରେ ରହିଛି । ସେଞ୍ଚୁରିଆନ୍ ଟି-୨୦ରେ ତିଲକ୍ ବର୍ମାଙ୍କ ଶତକ ଏବଂ ଅର୍ଶଦୀପ ସିଂହ ୩ ଓ୍ବିକେଟ ବଳରେ ଭାରତୀୟ ଟିମ୍ ଏହି ମ୍ୟାଚରେ ବିଜୟୀ ହୋଇଛି । ତୃତୀୟ ଟି-୨୦ରେ ପେସ୍ ବୋଲର ରେକର୍ଡ ବ୍ରେକିଂ ପ୍ରଦର୍ଶନ ଦେଖାଇଛନ୍ତି । ଟି-୨୦ ଅନ୍ତରାଷ୍ଟ୍ରୀୟ ମୁକାବିଲାରେ ସେ ଭୁବନେଶ୍ବର କୁମାର ଏବଂ ଯଶପ୍ରୀତ୍ ବୁମରାଙ୍କୁ ପଛରେ ପକାଇ ଦେଇଛନ୍ତି ।
ସେଞ୍ଚୁରୀଆନରେ ଟି-୨୦ ମ୍ୟାଚରେ ୩ ଓ୍ବିକେଟ୍ ନେଇଥିବା ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି ଅର୍ଶଦୀପ ସିଂହ । ଏହାଛଡ଼ା ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଭାରତୀୟ ପେସ୍ ବୋଲର ଭାବେ ୯୦ରୁ ଅଧିକ ଓ୍ବିକେଟ୍ ହାସଲ କରିଛନ୍ତି । ଅର୍ଶଦୀପଙ୍କ ପୂର୍ବରୁ ଭୁବନେଶ୍ବର କୁମାର ମାତ୍ର ୮୭ ମ୍ୟାଚରୁ ୯୦ ଅକ୍ତିଆର କରିଥିଲେ । ଅର୍ଶଦୀପ ମାତ୍ର ୫୯ ମ୍ୟାଚରେ ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି । ସେ ୫୯ ମ୍ୟାଚ ଖେଳି ୯୨ ଓ୍ବିକେଟ୍ ହାସଲ କରିଛନ୍ତି । ସେହିପରି ଟି-୨୦ର ଏହି ଫର୍ମାଟରେ ଯଶପ୍ରୀତ୍ ବୁମରା ୭୦ ମ୍ୟାଚ ଖେଳି ୮୯ ଓ୍ବିକେଟ୍ ନେବାରେ ସଫଳ ହୋଇଛନ୍ତି ।
ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସ୍ପିନ୍ ବୋଲର ୟୁଜବେନ୍ଦ୍ର ଚହଲ ସର୍ବାଧିକ ଓ୍ବିକେଟ୍ ହାସଲ କରିଛନ୍ତି । ସେ ମୋଟ୍ ୮୦ଟି ମ୍ୟାଚ ଖେଳି ୯୬ ଓ୍ବିକେଟ୍ ନେଇଛନ୍ତି । ଅର୍ଶଦୀପ ସିଂହ ଆଉ ୫ଟି ଓ୍ବିକେଟ୍ ହାସଲରେ ଏହି ଫର୍ମାଟରେ ସର୍ବାଧିକ ଓ୍ବିକେଟ୍ ନେଇ ଭାରତୀୟ ବୋଲର ହୋଇଯିବେ ।