ସିରିଆରେ ଅସଦଙ୍କ ହତ୍ୟା କାରଖାନା, ୭୨ ପ୍ରକାର ଶୈଳୀରେ ୧.୫ ଲକ୍ଷଙ୍କୁ ହତ୍ୟା...

Published By : Prameya-News7 Bureau | December 16, 2024 IST

ନୂଆଦିଲ୍ଲୀ ୧୬।୧୨: ସିରିଆରେ ପତନ ହୋଇଛି ଅସଦ ରାଜ୍‌ । ଦେଶ ଛାଡି ଚାଲିଯାଇଛନ୍ତି ରାଷ୍ଟ୍ରପତି ବଶର ଅଲ-ଅସଦ ।  ଏହାପରେ ବିଦ୍ରୋହୀ ଗୋଷ୍ଠୀ ସିରିଆର ବିଭିନ୍ନ ସ୍ଥାନ ସହିତ କୁଖ୍ୟାତ ସେଡନାୟା ଜେଲ୍‌ ଉପରେ କରିଛନ୍ତି କବ୍ଜା । ଜେଲ୍‌ର ହଜାର ହଜାର କଏଦୀଙ୍କୁ କରିଛନ୍ତି ମୁକ୍ତି । ଏବେବି ଅନେକ ଲୋକ ଜେଲ୍‌ରୁ ହୋଇ ପାରିନାହାନ୍ତି ମୁକ୍ତି । ଏହାର କାରଣ ହେଉଛି ଜେଲ୍‌ର କାଳକୋଠରୀ । ଜେଲ୍‌ ଭିତରର ଚିତ୍ର ଏବଂ କଏଦୀଙ୍କ କଥା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ । 

ଅସଦଙ୍କ ବିରୋଧରେ ସ୍ବର ଉଠାଉଥିବା ଲୋକଙ୍କୁ ପଠାଯାଉଥିଲା କୁଖ୍ୟାତ ସେଡନାୟା ଜେଲ୍‌କୁ । ସେଠାରେ ଲୋକଙ୍କୁ ପଶୁହତ୍ୟା କାରଖାନାରେ ରଖାଯାଉଥିଲା । ଆଉ ୭୨ରୁ ଅଧିକ ପ୍ରକାରର ଦଣ୍ଡ ଲୋକଙ୍କୁ ଦିଆଯାଉଥିଲା । ଜେଲରେ ୧.୫୭ ଲକ୍ଷରୁ ଅଧିକ ଲୋକଙ୍କୁ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଛି । ସେମାନଙ୍କ ମଧ୍ୟରେ ୫ ହଜାର ୨୭୪ ଜଣ ଶିଶୁ ଏବଂ ୧୦ ହଜାର ୨୨୧ ମହିଳା ରହିଥିଲେ । 

ବନ୍ଦୀ ଜୀବନରୁ ମୁକ୍ତି ପାଇଥିବା କିଛି ଲୋକ ଜେଲ୍‌ରେ ଅସଦଙ୍କ ଅତ୍ୟାଚର ବିଷୟରେ ବଖାଣିଛନ୍ତି । ସେ କହିଛନ୍ତି କି ଜେଲ୍‌ରେ ଗୋଟିଏ ଛୋଟ କୋଠରୀରେ ୨୫ ଲୋକଙ୍କୁ ରଖାଯାଏ । ଜେଲରେ ସମସ୍ତେ ପୁରା ଚୁପ ରହିଥାନ୍ତି । କଏଦୀଙ୍କୁ କିଛି କହିବାକୁ ଅନୁମତି ନଥାଏ । ସେଥିପାଇଁ ସେମାନେ କାନ୍ଥରେ ସନ୍ଦେଶ ଲେଖିଥାନ୍ତି । ସେଡନାୟା ଜେଲ୍‌ ଭିତରେ ପହଞ୍ଚିବା ପାଇଁ ଏକ ବୁଲାଣୀ ସିଢି ରହିଥାଏ । ଯାହା ଲୁହା ଦ୍ବାରା ଘେରି ହୋଇ ରହିଥାଏ । ଏଠାରୁ ହିଁ ଜେଲର ୩ଟି ଓ୍ବିଙ୍ଗ୍ ବା ଭାଗକୁ ଯିବାକୁ ରାସ୍ତା ରହିଥାଏ । ଜେଲର ଏହି ଓ୍ବିଙ୍ଗ୍କୁ ଭିନ୍ନ ଭିନ୍ନ କ୍ରୁରତା ପାଇଁ ବିଭକ୍ତ କରାଯାଇଥାଏ । 

ଜେଲ୍‌ର ଗୋଟିଏ ଭାଗରେ ରହିଛି ବିଶାଳକାୟ ଆଇରନ୍‌ ପ୍ରେସ୍‌ । ଲୋକଙ୍କୁ ଚାପି ମାରିବା ପାଇଁ ଏହାକୁ ବ୍ୟବହାର କରାଯାଏ । ଜେଲ୍‌ ପ୍ରଶାସନ ଦ୍ବାରା କଏଦୀଙ୍କୁ ୭୨ ପ୍ରକାରର ନିର୍ଯ୍ୟାତନା ଦିଆଯାଇଥାଏ । ଏଥିରେ ଯୌନାଙ୍ଗରେ କରେଣ୍ଟ ଦେବା, କଏଦୀଙ୍କୁ ରଡ, ବନ୍ଧୁକ କିମ୍ବା ଜ୍ୱଳନଶୀଳ କୀଟନାଶକ ସହିତ ଜାଳିବା ପରି ଦଣ୍ଡ ଦିଆଯାଏ । ଏହାବ୍ୟତୀତ କାନ୍ଥ ଓ ଜେଲ୍‌ର କବାଟରେ କଏଦୀଙ୍କ ମୁଣ୍ଡ ରଖି ଚାପିଦେବା, ଶରୀରରେ ଛୁଞ୍ଚି କିମ୍ବା ପିନ ଫୋଡିବା ପରି ଭୟାନକ ଦଣ୍ଡ ଦେଇଥାନ୍ତି ଅସଦଙ୍କ ବିଶ୍ବସ୍ତ ଜେଲ୍‌ କର୍ମଚାରୀ । 

ସେଡନାୟା ଜେଲ ୨ଟି ବାରୁଦ ସୁଡଙ୍ଗ ଦ୍ବାରା ଘେରି ରହିଛି । ବିଦ୍ରୋହୀମାନେ ଜେଲରୁ ୧୫୦୦ ବନ୍ଧକଙ୍କୁ ବାହାର କରିଛନ୍ତି ସତ କିନ୍ତୁ ସିସିଟିଭି ଫୁଟେଜରୁ ଜଣାପଡିଛି ଯେ ଆହୁରି ଅନେକ କଏଦୀ ଜେଲରେ ଥିବା ଅଣ୍ଡରଗ୍ରାଉଣ୍ଡ ସେଲ ବା ରେଡ ୱିଙ୍ଗରେ ବନ୍ଦୀ ରହିଛନ୍ତି । କିନ୍ତୁ ଏହି ଓ୍ବିଙ୍ଗ୍ କେଉଁଠାରେ ଅଛି ସେକଥା କାହାକୁ ବି ଜଣାନାହିଁ ? କୁହାଯାଉଛି କି ରେଡ୍‌ ଓ୍ବିଙ୍ଗରେ ପ୍ରାୟ ୧ଲକ୍ଷକୁ ଅଧିକ ଲୋକ ବନ୍ଦୀ ଅଛନ୍ତି । ଅସଦଙ୍କ ବିଶ୍ୱସ୍ତ ଜେଲ୍‌ ଅଧିକାରୀ ମଧ୍ୟ ଜେଲ୍‌ ଛା଼ଡି ପଳାୟନ କରିଛନ୍ତି । ତେଣୁ ଏହି ରେଡ୍‌ ଓ୍ବିଙ୍ଗ୍ କେଉଁଠାରେ ଅଛି ସେ କଥା କେହି ଜାଣି ନାହାଁନ୍ତି ? ବର୍ତ୍ତମାନ ବିଦ୍ରୋହୀ ଗୋଷ୍ଠୀଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେଉଛି ଏହି କଏଦୀଙ୍କୁ ଉଦ୍ଧାର କରିବା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.