କଂଗ୍ରେସର ଇଭିଏମ୍ ବିରୋଧୀ ଅଭିଯାନକୁ ଗୋଟିଏ ପରେ ଗୋଟିଏ ଝଟକା, ଓମାରଙ୍କ ପରେ ଏବେ ଟିଏମସି ଦେଲା ପରାମର୍ଶ

Published By : Prameya-News7 Bureau | December 16, 2024 IST

ନୂଆଦିଲ୍ଲୀ: ଇଭିଏମରେ ମତଦାନକୁ ବିରୋଧ କରି ଅଭିଯାନ ଆରମ୍ଭ କରିବା ପାଇଁ ଉଦ୍ୟମ କରୁଥିବା କଂଗ୍ରେସକୁ ଝଟକା ପରେ ଝଟକା ଲାଗିଛି । ଗୋଟିଏ ପରେ ଗୋଟିଏ ସହଯୋଗୀ ଇଭିଏମକୁ ନେଇ କଂଗ୍ରେସ କରୁଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଓମାର ଅବଦୁଲାଙ୍କ ପରେ ଟିଏମସି ମଧ୍ୟ କଂଗ୍ରେସର ଆପତ୍ତିରେ ରାଜି ନୁହେଁ । ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ କହିଛନ୍ତି ଯେ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା କୌଣସି ଲାଭ ହେବ ନାହିଁ । ଯଦି କାହା ପାଖରେ ପ୍ରମାଣ ଅଛି ତେବେ ନିର୍ବାଚନ ଆୟୋଗଙ୍କୁ ଦେବା ଦରକାର । ସେଠାରେ ଡୋମୋ ଦେଖାଇ ଇଭିଏମରେ ତ୍ରୁଟି ଥିବା କହିବା ଦରକାର ।

ଅଭିଷେକ ବାନାର୍ଜୀ କହିଛନ୍ତି, ମୋ ମତରେ ଯେଉଁମାନେ ଇଭିଏମ୍ ଉପରେ ପ୍ରଶ୍ନ ଉଠାଉଛନ୍ତି । ସେମାନଙ୍କ ନିର୍ବାଚନ ଆୟୋଗଙ୍କ ନିକଟକୁ ଯିବା ଦରକାର । ଇଭିଏମରେ କଣ ତ୍ରୁଟି ରହିଛି ତାହା କହିବା ଦରକାର । ଅଭିଷେକ ବାନାର୍ଜୀ କହିଛନ୍ତି ଯେ ନିର୍ବାଚନ କମିଶନଙ୍କୁ ଡେମୋ ଦେଖାଯିବା ଦରକାର, ପାଖରେ ଥିବା ପ୍ରମାଣ ପ୍ରସ୍ତୁତ କରିବାକୁ ହେବ । ବୁଥ୍‌ରେ ଯିଏ କାମ କରେ, ଯଦି ମକ୍ ପୋଲ୍ ସମୟରେ ଯାଞ୍ଚ କରିବ ଏବଂ କାଉଣ୍ଟିଂ ସମୟରେ ଯାଞ୍ଚ କରିବ ତେବେ କିଛି ଗଡ଼ବଡ଼ ହେବ ନାହିଁ । ତଥାପି ଇଭିଏମ୍ ହ୍ୟାକ୍ ହୋଇପାରିବ ବୋଲି ଯଦି କିଏ ଭାବୁଛି ତେବେ ନିର୍ବାଚନ ଆୟୋଗଙ୍କ ନିକଟରେ ମେସିନକୁ କିପରି ହ୍ୟାକ୍ କରାଯାଇପାରିବା ତାହା ଦେଖାନ୍ତୁ ।

ଟିଏମସି ସାଂସଦ କହିଛନ୍ତି ଯେ ତଥାପି ଯଦି କାହାର ମନରେ ସନ୍ଦେହ ରହୁଛି ତେବେ ଗ୍ରାଉଣ୍ଡକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି । ମିଡିଆରେ ବୟାନ ଦେଲେ କିଛି ଲାଭ ହେବନି । ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ମଧ୍ୟ ଇଭିଏମ୍ ଉପରେ କଂଗ୍ରେସର ଆପତ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଯେ ଯେତେବେଳେ ଇଭିଏମରୁ ସଂସଦକୁ ଆପଣଙ୍କ ଅଧିକ ସାଂସଦ ପହଞ୍ଚିଥିଲେ ସେତେବେଳେ ବିଜୟର ଉତ୍ସବ ପାଳୁଛି । କିଛି ମାସ ପରେ ନିଜ ସପକ୍ଷରେ ନିର୍ବାଚନ ପରିଣାମ ନଗଲେ ଇଭିଏମ୍ ପସନ୍ଦ ନାହିଁ ବୋଲି କହିପାରିବେ ନାହିଁ । ଓମାରଙ୍କ ଏହି ପ୍ରତିକ୍ରିୟା ଉପରେ କଂଗ୍ରେସ କଡ଼ା ଟିପ୍ପଣୀ କରିଛି । କଂଗ୍ରେସ ସାଂସଦ ମଣିକ୍କମ ଟାଗୋର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ହେବା ପରେ ଆପଣ କିପରି ବଦଳିଗଲେ ?   ମୁଖ୍ୟମନ୍ତ୍ରୀ ହେବା ପରେ ଓମାର ନିଜ ସହଯୋଗୀ ଦଳଙ୍କ ପ୍ରତି ଏଭଳି ଆଚରଣ କାହିଁକି କରୁଛନ୍ତି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.