ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତା ପାଇଁ ବଦଳୁଛି ବିଶ୍ୱ । AI ଏବେ ପାଲଟିଛି ଏଲିଆନ୍ ଇଣ୍ଟେଲିଜେନ୍ସ । ନିଜେ ଶିଖୁଛି, ନିଜକୁ ପରିବର୍ତ୍ତନ କରୁଛି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଆଲଗୋରିଦିମ୍ ଆପେ ଆପେ ବିକଶିତ ହେଉଛି । ଏହା କେଉଁ ଆଧାରରେ ଆଗେଇ ଚାଲିଛି ଏଆଇକୁ ସୃଷ୍ଟି କରିଥିଲା ଇଞ୍ଜିନିୟର ବି ଅଜ୍ଞ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଜରିଆରେ ପ୍ରକୃତରେ ଏକ ଭିନ୍ନ ପ୍ରଜାତି ସୃଷ୍ଟି ହେଉଛି । ଯାହା ଭିନ୍ନ ଗ୍ରହର ଏଲିଏନ ଭଳି ଲାଗୁଛି । ଏଆଇ ଏବେ ନିଜେ ଶିଖୁଛି, ମିଛ ମଧ୍ୟ କହୁଛି । ଏହାର ଗୁରୁତର ପ୍ରଭାବ ବିଶ୍ବ ଉପରେ ପଡ଼ିବାକୁ ଯାଉଛି । ଯାହା ପାଇଁ ଲୋକଙ୍କୁ ପ୍ରତି ୨ରୁ ୩ ବର୍ଷରେ ବୃତ୍ତି ବଦଳାଇବାକୁ ପଡିପାରେ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।
ଏଆଇ ଏବେ ଆମିବା ସ୍ତରରେ ରହିଛି । ଆଗକୁ ଡାଏନୋସରର ରୂପ ନେବ । ଏଆଇ ରକେଟ୍ ଗତିରେ ବିକଶିତ ହେଉଛି । ଚାଟ୍ ଜିପିଟି କିମ୍ବା ଅନ୍ୟ ଏଆଇ ଟୁଲ୍ କାର୍ଯ୍ୟ କ୍ଷମତାକୁ ଦେଖି ସମସ୍ତେ ଉତ୍ସାହିତ ହେଉଛନ୍ତି । ମାତ୍ର ଏହା ଆରମ୍ଭ ମାତ୍ର, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଆମେ ବର୍ତ୍ତମାନ ଏମିବା ସ୍ତରରେ ରହିଛୁ । ଆଗକୁ ଡାଏନୋସର ଦେଖିବା ବାକି ରହିଛି । ଏମିବା, ଡାଏନୋସର ଏବଂ ପୁଣି ମାନବ ଯାଏ ଆସିବାକୁ ଢ଼େର ସମୟ ଲାଗିଛି । ମାତ୍ର ଏଆଇ ରକେଟ୍ ଠାରୁ ଆହୁରି ଦ୍ରୁତଗତିରେ ବିକଶିତ ହେଉଛି । ଏହାକୁ ଡାଏନୋସର ହେବାକୁ ମାତ୍ର କିଛି ଦଶନ୍ଧି ଲାଗିବ । ଆଗାମୀ ୨୦ ବର୍ଷରେ ଏଆଇର ଶକ୍ତି କିଭଳି ହେବ ତାହା ଆକଳନ କରିବା ଅସମ୍ଭବ ।
ଏଆଇ ମିଛ କହିପାରେ । ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଏଆଇ ଇଞ୍ଜିନିୟ । ଏଆଇ ଏକ ଶକ୍ତିଶାଳୀ ଟେକ୍ନୋଲୋଜି । ଖରାପ ଫାଇଦା ଲାଗି ମଣିଷ ଏହାକୁ ବ୍ୟବହାର କରିବାର ଢ଼େର ଆଶଙ୍କା ରହିଛି । ଏହା ଦ୍ୱାରା ସମାଜରେ ଅସମାନତା ବଢ଼ିପାରେ । ଯେଉଁ ଦେଶ ଏଆଇ କ୍ଷେତ୍ରରେ ଶୀର୍ଷରେ ରହିବ ସେ ସାରା ବିଶ୍ୱରେ ରାଜୁତି କରିବ । ବର୍ତ୍ତମାନ ଏଆଇ ରେସ୍ରେ ବିଶ୍ୱର ୨ ପ୍ରମୁଖ ଦେଶ ଆମେରିକା ଏବଂ ଚୀନ ରହିଛନ୍ତି । ଆଗାମୀ ୫ ବର୍ଷରେ ଏଆଇ ପାରମ୍ପରିକ ସେନାକୁ ଅପ୍ରାସଙ୍ଗିକ କରିପାରେ । ଅସ୍ତ୍ରଶସ୍ତ୍ର ସବୁ ସ୍ୱୟଂଚାଳିତ ହେବା ନେଇ ଅନୁମାନ କରାଯାଉଛି । ଆଗକୁ ମାନବ ଏବଂ ମେସିନ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିବ ।