ଫିଲିସ୍ତିନ ଲେଖାଥିବା ବ୍ୟାଗ୍ ଧରି ସଂସଦରେ ପହଞ୍ଚିଲେ ପ୍ରିୟଙ୍କା ଗାନ୍ଧୀ, ଜାଣନ୍ତୁ କ’ଣ କହିଲା ବିଜେପି

Published By : Prameya-News7 Bureau | December 16, 2024 IST

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋମବାର ଫିଲିସ୍ତିନ ଲେଖାଥିବା ଏକ ବ୍ୟାଗ ଧରି ସଂସଦରେ ପହଞ୍ଚିଥିଲେ । ଫିଲିସ୍ତନ ଲୋକଙ୍କ ପ୍ରତି ସମର୍ଥନ ଏବଂ ଏକତା ପ୍ରଦର୍ଶନ ଦେଖାଇବା ପାଇଁ କଂଗ୍ରେସ ସାଂସଦ ଏହି ବ୍ୟାଗ୍ ଧରି ପହଞ୍ଚିଥିବା କୁହାଯାଇଛି । ୱାୟନାଡରୁ ସାଂସଦ ପ୍ରିୟଙ୍କା ଗାଜାରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ବିରୋଧରେ ସମୟ ସମୟରେ ସ୍ୱର ଉଠାଇ ଆସୁଛନ୍ତି ।

ସେପଟେ ଏହାକୁ ନେଇ ପ୍ରୟିଙ୍କା ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛି ଶାସକ ଦଳ । ପ୍ରିୟଙ୍କା ଗାନ୍ଧୀ ତୁଷ୍ଟୀକରଣ ରାଜନୀତି କରୁଥିବା ବିଜେପି କହିଛି । କେନ୍ଦ୍ରମନ୍ତ୍ରୀ ଏସପି ସିଂହ କହିଛନ୍ତି ଯେ ମୁସଲିମ୍ ଭୋଟ ତୁଷ୍ଟୀକରଣ ପାଇଁ ପ୍ରିୟଙ୍କା ଫିଲିସ୍ତିନ ଲେଖାଥିବା ବ୍ୟାଗ ଧରି ଆସିଛନ୍ତି । ସେହିପରି ପୁରୀ ସାଂସଦ ସମ୍ୱିତ୍ ପାତ୍ର କହିଛନ୍ତି ଯେ ଗାନ୍ଧୀ ପରିବାର ସବୁବେଳେ ତୁଷ୍ଟୀକରଣ କରୁଛି । 

ପ୍ରିୟଙ୍କା ଗାନ୍ଧୀ ସଂସଦକୁ ଧରି ଯାଇଥିବା ବ୍ୟାଗରେ ଫିଲିସ୍ତିନ ଲେଖା ଥିଲା । ଏଥିରେ ତରଭୂଜ ପରି ଫିଲିସ୍ତିନୀ ପ୍ରତୀକ ମଧ୍ୟ ରହିଛି । ଯାହାକୁ ଫିଲିସ୍ତିନୀ ଏକତାର ପ୍ରତୀକ ବୋଲି ମଧ୍ୟ କୁହାଯାଏ । ତରଭୂଜ ଫିଲିସ୍ତିନୀ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ଫିଲିସ୍ତିନୀ ଲୋକ ନିଜ ମଧ୍ୟରେ ଏକତାର ପ୍ରଦର୍ଶନ ପାଇଁ ଅଧିକାଂଶ ସମୟରେ କଟା ହୋଇଥିବା ତରଭୂଜର ଫଟୋ ଏବଂ ଇମୋଜି ବ୍ୟବହାର କରନ୍ତି ।

କିଛି ଦିନ ପୂର୍ବରେ ଫିଲିସ୍ତିନ ଦୂତବାସ ପ୍ରଭାରୀ ଅବେଦ ଏଲରାଜେଗ ଅବୁ ଜାଜର କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥିଲେ । ୱାୟନାଡରେ ବିଜୟ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଗତ ଜୁନରେ ପ୍ରିୟଙ୍କା ଗାନ୍ଧୀ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ସମାଲୋଚନା କରିଥିଲେ । ଗାଜାରେ ଇସ୍ରାଏଲ୍ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ସେ ନିନ୍ଦା କରିଥିଲେ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.