ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦାମୀ ପାର୍ଟିର ମୁଖ୍ୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ କରୁଛନ୍ତି । କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା ଲାଗୁ ନେଇ ଘୋଷଣା ବି କରିସାରିଛନ୍ତି । ଏହାରି ଭିତରେ ଏକ ସର୍ଭେକୁ ଉଲ୍ଲେଖ କରି କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀର ୬୦ ପ୍ରତିଶତ ମହିଳା ତାଙ୍କ ଦଳକୁ ଭୋଟ୍ ଦେବାକୁ ଯାଉଥିବା ବେଳେ ୪୦ ପ୍ରତିଶତ ତାଙ୍କ ସପକ୍ଷରେ ନାହାନ୍ତି । ସୋମବାର ପ୍ରଥମ ମହିଳା ଅଦଲାତ ଏବଂ ପରେ ବଦରପୁରରେ ଏକ ପଦଯାତ୍ରା ପୂର୍ବରୁ ଜନସଭାକୁ ସମ୍ୱୋଧନ କରି କେଜ୍ରିୱାଲ ଏହି କଥା କହିଛନ୍ତି ।
ବଦରପୁରରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, 'ଗତକାଲି ଏକ ସର୍ଭେ ଆସିଛି । ଏଥିରେ ଦିଲ୍ଲୀର ୬୦ ପ୍ରତିଶତ ମହିଳା ଆମ ଆଦମୀ ପାର୍ଟିକୁ ଭୋଟ ଦେବାକୁ ଯାଉଛନ୍ତି । ମୁଁ ଭାବୁଥିଲି ମୋ ତପତ୍ସ୍ୟାରେ କିଛି ଅଭାବ ରହିଯାଇଛି, ଯେଉଁଥି ପାଇଁ ୪୦ ପ୍ରତିଶତ ମହିଳା ମୋତେ ଭୋଟ ଦେଉନାହାନ୍ତି । ୬୦ ପ୍ରତିଶତରେ କାମ ଚାଲିବ ନାହିଁ । ଶତ ପ୍ରତିଶତ ମହିଳା ଆମ୍ ଆଦାମୀ ପାର୍ଟିକୁ ଭୋଟ୍ ଦିଅନ୍ତୁ । ମୁଁ ମୋର ମାଆ-ଭଉଣୀଙ୍କୁ ଏହି କାମରେ ଲଗାଇ ଯାଉଛି । ଆମ୍ ଆଦାମୀ ପାର୍ଟିକୁ ଭୋଟ୍ ଦେବା ପାଇଁ ସମସ୍ତଙ୍କୁ ରାଜି କରାନ୍ତୁ ।'
କେଜ୍ରିୱାଲ ଆହୁରି କହିଛନ୍ତି, 'ମୁଁ ପୁରୁଷମାନଙ୍କୁ ମଧ୍ୟ ଆମ୍ ଆଦାମୀ ପାର୍ଟିକୁ ଭୋଟ୍ ଦେବା ପାଇଁ ଅପିଲ୍ କରୁଛି । ମୁଁ ବିଶ୍ୱାସ କରେ ଯେ ପୁରୁଷଙ୍କଠାରୁ ମହିଳା ଅଧିକ ବୁଦ୍ଧିମାନ । ଅଧିକ ପୁରୁଷ ବିଜେପି ସହ ବୁଲୁଛନ୍ତି । ବିଜେପି ସହ ନବୁଲିବା ପାଇଁ ମୁଁ ମୋର ସମସ୍ତ ମାଆ-ଭଉଣୀଙ୍କୁ ସେମାନଙ୍କ ଘରର ପୁରୁଷଙ୍କୁ ବୁଝାଇବା ପାଇଁ ନିବେଦନ କରୁଛି ।'