ମୁମ୍ବାଇ: ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ୨: ଦ ରୁଲ୍’ର କ୍ରେଜ୍ ଥମିବାର ନାଁ ନେଉନି। ଜୋରଦାର ବକ୍ସ ଅଫିସ୍ କଲେକ୍ସନ ପ୍ରଥମ ଓ୍ଵିକେଣ୍ଡରେ ହେବା ପରେ ଫିଲ୍ମର କାରବାର ହ୍ରାସ ଘଟିବା ଫିଲ୍ମରେ ଏହି ଟ୍ରେଣ୍ଡ ଚାଲି ଆସିଛି। ଦ୍ଵିତୀୟ ଓ୍ଵିକେଣ୍ଡ ଆସୁ ଆସୁ ଫିଲ୍ମର ଗତି ପୂରା ମନ୍ଥର ପଡ଼ିଯାଏ। ମାତ୍ର ‘ପୁଷ୍ପା ୨: ଦ ରୁଲ୍’ ବକ୍ସ ଅଫିସ୍ରେ ଓ୍ଵାଇଲ୍ଡ ଫାୟର ସାବ୍ୟସ୍ତ ହୋଇଛି। ଶନିବାର ଓ ରବିବାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଯେଉଁ ଉତ୍ସାହ ଦେଖିବାକୁ ମିଳିଛି ତାହା ଟ୍ରେଡ ବିଶେଷଜ୍ଞଙ୍କ ଚକିତ କରିଛି। ପ୍ରଥମ ରବିବାରର ରେକର୍ଡ ଆୟ ପରେ ଫିଲ୍ମ ଦ୍ଵିତୀୟ ସପ୍ତାହାନ୍ତରେ ଏମିତି କମାଲ୍ କରିଛି, ଯାହା ବଡ଼ ବଡ଼ ହିନ୍ଦୀ ଫିଲ୍ମ ପ୍ରଥମ ଓ୍ଵିକେଣ୍ଡରେ କରି ପାରନ୍ତି ନାହିଁ।
ଶୁକ୍ରବାର ୨୭.୫୦ କୋଟି ଟଙ୍କାର କାରବାର କରିଥିବା ପୁଷ୍ପା ୨ ଶନିବାର ଧୂଆଁଧାର ୪୬ କୋଟିରୁ ଅଧିକ କାରବାର କରିଛି। ରବିବାର ଫିଲ୍ମକୁ ନେଇ କ୍ରେଜ୍ ଅଧିକ ବଢିଥିଲା, ଯାହାର ପରିଣାମ ରିଲିଜ୍ର ୧୧ତମ ଦିନରେ ଫିଲ୍ମ ୫୪ କୋଟି ଟଙ୍କାର ବକ୍ସ ଅଫିସ୍ କଲେକ୍ସନ କରିଛି। ଏହି ତିନି ଦିନରେ ଅର୍ଥାତ ଶୁକ୍ରବାର, ଶନିବାର ଓ ରବିବାର ବକ୍ସ ଅଫିସରେ ‘ପୁଷ୍ପା ୨: ଦ ରୁଲ୍’ ୧୨୮ କୋଟି ଟଙ୍କା ବ୍ୟବସାୟ କରିଛି।
ଉଲ୍ଲେଖନୀୟ ଅଧିକାଂଶ ହିନ୍ଦୀ ସିନେମା ପ୍ରଥମ ଓ୍ଵିକେଣ୍ଡରେ ୧୦୦ ଛୁଇଁ ପାରନ୍ତି ନାହିଁ। ଚଳିତ ବର୍ଷ ଦୀପାବଳିରେ ବକ୍ସ ଅଫିସ୍ରେ ମୁହାଁମୁହିଁ ହୋଇଥିବା ସିଙ୍ଘମ ଏଗେନ ଓ ଭୁଲ୍ ଭୁଲେୟା ୩ର ପ୍ରଥମ ଓ୍ଵିକେଣ୍ଡ କଲେକ୍ସନ ୧୨୫ କୋଟିରୁ କମ ଥିଲା। ଏମିତିରେ ପୁଷ୍ପା ୨ର ହିନ୍ଦୀ ଭର୍ସନ ଦ୍ଵିତୀୟ ଓ୍ଵିକେଣ୍ଡରେ ସବୁଠୁ ଅଧିକ ଆୟ କରିବାର ରେକର୍ଡ କରିଛି।
ପୁଷ୍ପା ୨ ପୂର୍ବରୁ ଏହି ରେକର୍ଡ ରାଜକୁମାର ରାଓ ଓ ଶ୍ରଦ୍ଧା କପୁରଙ୍କ ସ୍ତ୍ରୀ ୨ ନାମରେ ଥିଲା। ଏହି ହରର କମେଡି ଚଳଚ୍ଚିତ୍ର ଦ୍ଵିତୀୟ ଓ୍ଵିକେଣ୍ଡରେ ୯୩.୮୫ କୋଟି କାରବାର କରି ଗଦର-୨ର ୯୦ କୋଟିର ରେକର୍ଡ ଭାଙ୍ଗିଥିଲା। ପୁଷ୍ପା ୨ ଯେଉଁ ବ୍ୟବଧାନରେ ସ୍ତ୍ରୀ ୨ର ରେକର୍ଡ ଭାଙ୍ଗିଛି ତାହା ଦର୍ଶାଉଛି ଯେ, ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ କେଉଁଭଳି ଥିଏଟରରେ ଧମାଲ କରୁଛି।
ପୁଷ୍ପା ୨ ହିନ୍ଦୀରେ ୧୧ ଦିନରେ ୫୬୧.୫ କୋଟି ଟଙ୍କାର ନେଟ୍ କଲେକ୍ସନ କରିଛି। ଏବେ ଗଦର ୨, ପଠାନ ଓ ବାହୁବଳୀ ୨ଠୁ ଅଧିକ କାରବାର କରି ସାରିଛି। ଏବେ ସ୍ତ୍ରୀ ୨(୬୨୭ କୋଟି) ଓ ଯବାନ(୫୮୪ କୋଟି) ପରେ ତୃତୀୟ ସବୁଠୁ ବଡ଼ ହିନ୍ଦୀ ଫିଲ୍ମ ହୋଇ ସାରିଛି।