ସିରିୟା ଉପରେ ଇସ୍ରାଏଲର ଭୀଷଣ ଆକ୍ରମଣ, ଥରିଲା ଉପକୂଳ ସହର ଟାର୍ଟସ୍

Published By : Prameya-News7 Bureau | December 16, 2024 IST

ଟାର୍ଟସ୍ ୧୬।୧୨:  ସିରିୟାରେ ଏକଛତ୍ରବାଦୀ ବଶର ଅଲ-ଅସଙ୍କ ଶାସନର ପତ୍ତନ ପରେ ମଧ୍ୟ ଇସ୍ରାଏଲର ଆକ୍ରମଣ ଜାରି ରହିଛି। ସୋମବାର ଇସ୍ରଏଲୀ ଯୁଦ୍ଧବିମାନ ମାନେ ସିରିୟାର ଉପକୂଳ ସହର ଟାର୍ଟସ୍ ଓ ଲଟାକିଆକୁ ଟାର୍ଗେଟ୍ କରିଛନ୍ତି ଓ ଭୀଷଣ ଆକ୍ରମଣ କରିଛନ୍ତି। କୁହାଯାଉଛି ଇସ୍ରାଏଲ ସିରିୟା ଉପରେ କରିଥିବା ବୋମାମାଡ଼ ଏତେ ଭୀଷଣ ଥିଲା ଯେ ମାଟି ଥରି ଉଠିଥିଲା ଓ ରିକ୍ଟର ସ୍କେଲରେ କମ୍ପନ ଅନୁଭୂତ ହୋଇଥିଲା। 

ଡେଲି ମେଲ ରିପୋର୍ଟ ଅନୁସାରେ ଇସ୍ରାଏଲ ଏହି ଆକ୍ରମଣରେ ଟାର୍ଟସକୁ ଟାର୍ଗେଟ କରିଥିଲା ଯେଉଁଠାରେ ଋଷିଆର ବାୟୁସେନା ଘାଟି ରହିଛି। ଏଥିରେ ଆକାଶରେ ଜୋରଦାର ବିସ୍ଫୋରଣ ହୋଇଛି। ଏହି ଆକ୍ରମଣକୁ ଇସ୍ରାଏଲ ଦ୍ୱାରା ସିରିୟା ଉପରେ ୨୦୧୨ ପରେ କରାଯାଇଥିବା ସବୁଠୁ ଘାତକ ଆକ୍ରମଣ ବୋଲି କୁହାଯାଉଛି। ସିରିୟାନ ଅବଜରଭେଟରୀ ଫର ହ୍ୟୁମାନ ରାଇଟସ୍ କହିଛି ଯେ ଇସ୍ରାଏଲୀ ଯୁଦ୍ଧବିମାନମାନେ ବାୟୁରକ୍ଷା ୟୁନିଟ୍ ଓ ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ଆକ୍ରମଣ ଲାଗି ରଖାଯାଇଥିବା କ୍ଷେପଣାସ୍ତ୍ର ଡିପୋ ସମେତ ଅନ୍ୟ ଅଞ୍ଚଳକୁ ଟାର୍ଗେଟ କରିଥିଲା। 

ବିସ୍ପୋରଣ ପରେ ଡିପୋରେ ମହଜୁଦ ଅସ୍ତ୍ରରେ ମଧ୍ୟ ବିସ୍ଫୋରଣ ହୋଇଥିଲା। ଫଳରେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି। ଟାର୍ଟସ୍ ସିରିୟାରେ ଋଷିଆର ଦୁଇଟି ସୈନ୍ୟ ଘାଟି ମଧ୍ୟରୁ ଗୋଟିଏ ରହିଛି। ଏହାକୁ ନୌସେନା ଘାଟି ସମେତ ଗୋଳାବାରୁଦ ଡିପୋ ରୂପେ ମଧ୍ୟ ବ୍ୟବହାର କରାଯାଏ। ସୋଭିୟେତ ସଂଘ ଦ୍ୱାରା ୧୯୭୧ରେ ପ୍ରଥମ ଥର ଟାର୍ଟସରେ ଏକ ନୌସେନା ଘାଟି ସ୍ଥାପନା କରାଯାଇଥିଲା। ୨୦୧୭ ପର୍ଯ୍ୟନ୍ତ ଏହି ଫ୍ୟାସେଲିଟିକୁ ସାମରିକ ଘାଟି ବଦଳେ ମେଟେରିୟାଲ ଟେକ୍ନିକାଲ ପଏଣ୍ଟ ସପୋର୍ଟ ରୂପେ ବ୍ୟବହାର କରାଯାଉଥିଲା। ଏହା ଛଡା ଭୂମଧ୍ୟ ସାଗରକୁ ପ୍ରବେଶ ଲାଗି ଋଷିଆର ଏକମାତ୍ର ପ୍ରବେଶ ବିନ୍ଦୁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.