ନୂଆଦିଲ୍ଲୀ: ସଂଘର୍ଷ ମଧ୍ୟରେ ସିରିୟାର ପୂର୍ବତନ ରାଷ୍ଟ୍ରପତି ବଶର ଅଲ ଅସଦ ଦେଶ ଛାଡ଼ି ପଳାଇବା ଏବଂ ବିଦ୍ରୋହୀ ଶାସନକୁ ନିଜ ହାତକୁ ନେବା ଘଟଣା ଏବେବି ଚର୍ଚ୍ଚାରେ ରହିଛି। ଆଉ ଏହାରି ମଧ୍ୟରେ ବଶରଙ୍କୁ ନେଇ ହୋଇଛି ଏକ ଆଶ୍ଚର୍ଯ୍ୟକର ଖୁଲାସା । ଫାଇନାନ୍ସିଆଲ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ସିରିୟାର ପୂର୍ବତନ ରାଷ୍ଟ୍ରପତି ବଶର ଅଲ ଅସଦ ଗତ ଦୁଇ ବର୍ଷ ମଧ୍ୟରେ ୨୫୦ ମିଲିୟନ ଡଲାରର ନଗଦ ଟଙ୍କା ମସ୍କୋକୁ ପଠାଇଛନ୍ତି।
ରିପୋର୍ଟରେ କୁହାଯାଇଛି, ୨୦୧୮ରୁ ୨୦୧୯ ମଧ୍ୟରେ ଦେଶରେ ବିଦେଶୀ ମୁଦ୍ରା ଅଭାବ ଦେଖାଯାଇଥିଲା। ହେଲେ ଏହି ସମୟରେ ଅସଦ ପ୍ରାୟ ୧୦୦ ଡଲାରର ନୋଟ୍ ଏବଂ ୫୦୦ ୟୁରୋ ନୋଟ ପ୍ରତିବନ୍ଧିତ ରୁଷ ବ୍ୟାଙ୍କରେ ଜମା କରିବା ପାଇଁ ମସ୍କୋର ନ୍ୟୁକୋଭୋ ବିମାନ ବନ୍ଦରକୁ ପଠାଇଥିଲେ। ଅର୍ଥାତ ବିମାନ ଦ୍ବାରା ସେ ଏହି ଟଙ୍କା ରୁଷକୁ ପଠାଇଥିଲେ। ସେତେବେଳେ ସିରିୟା ରୁଷ ସୈନ୍ୟ ସହାୟତା ଉପରେ ଅଧିକ ନିର୍ଭର ମଧ୍ୟ କରୁଥିଲା। କୁହାଯାଏ ଏହି ସମୟରୁ ହିଁ ଅସଦଙ୍କ ପରିବାର ସଦସ୍ୟ ମସ୍କୋରେ ବିଳାସପୂର୍ଣ୍ଣ ସମ୍ପତ୍ତି କିଣିବା ଆରମ୍ଭ କରିଦେଇଥିଲେ।
ରିପୋର୍ଟରେ ଆହୁରି କୁହାଯାଇଛି ପଶ୍ଚିମ ଦେଶଙ୍କ ଦ୍ବାରା ଲଗାଯାଇଥିବା ପ୍ରତିବନ୍ଧକ ସତ୍ତ୍ବେବି ସିରିୟା ଏହି ନେଣ ଦେଣ କରିଥିଲା। ପ୍ରକୃତରେ ପଶ୍ଚିମ ଦେଶମାନେ ସିରିୟା ସରକାରଙ୍କ ଉପରେ ସିରିୟାର ସମ୍ପତ୍ତି ଲୁଟିବା ଏବଂ ଯୁଦ୍ଧ ଉସ୍କେଇବା ଭଳି ଆପରାଧିକ ଗିତିବିଧିର ଅଭିଯୋଗ ଆଣିବା ସହ ପ୍ରତିବନ୍ଧକ ଲଗାଇଥିଲେ। ସିରିୟାର ବିରୋଧୀ ନେତାମାନେ ମଧ୍ୟ ଏଭଳି ଅଭିଯୋଗ ସିରିୟା ସରକାରଙ୍କ ଉପରେ ଆଣିଥିଲେ। ଆମେରିକାର ପୂର୍ବତନ ସହାୟକ ବିଦେଶ ମନ୍ତ୍ରୀ ଡେଭିଡ ଶେଙ୍କର କହିଛନ୍ତି ଏଭଳି ହେବା ନେଇ ଅନୁମାନ କରାଯାଉଥିଲା। କାରଣ ଅସଦ ଜାଣିଥିଲେ ନିଜର ଲୋକଙ୍କ ଉତ୍ତମ ଜୀବନ ପାଇଁ ଟଙ୍କା ବିଦେଶରେ ହିଁ ସୁରକ୍ଷିତ ରହିବ।
ସୂଚନାଥାଉକି, ହୟାତ ତହରୀର ଅଲ ଶାମ (HTS) ନେତୃତ୍ବରେ ୧୧ ଦିନ ଧରି ଚାଲିଥିବା ବିଦ୍ରୋହୀଙ୍କ ଆକ୍ରମଣରେ ଅସଦ ଡିସେମ୍ବର ୮ରେ ସିରିୟାରୁ ପଳାୟନ କରିଥିଲେ। ନିଜ ବାପା ହାଫିଜ ଅଲ-ଅସଦଙ୍କ ମୃତ୍ୟୁ ପରେ ୨୦୦୦ରୁ ସିରିୟା ଉପରେ ଶାସନ କରିଆସୁଥିଲେ ବଶର ଅଲ ଅସଦ।