ସିଏମ୍‌ଏସ୍ ଭ୍ୟାନ୍‌ରୁ ଲୁଟ୍ ଉଦ୍ୟମ, ଗନ୍ ମ୍ୟାନ୍‌ଙ୍କୁ ଆକ୍ରମଣ କରି ଲୁଟିନେଲେ ବନ୍ଧୁକ

Published By : Prameya-News7 Bureau | October 15, 2024 IST

ବଡବିଲ ୧୫।୧୦: ଲୁଟ୍ ପାଇଁ ଆସିଥିଲେ ଦୁର୍ବୃତ୍ତ । ଗନ୍ ମ୍ୟାନ୍‌ଙ୍କୁ ଆକ୍ରମଣ କରି ତାଙ୍କ ଠାରୁ ଅସଲି ବନ୍ଧୁକ ଛଡ଼ାଇ ନେଇ ନିଜର ନକଲି ବନ୍ଧୁକଙ୍କୁ ଛାଡ଼ିଦେଇ ପଳାଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ସହରରେ ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା କମାରଯୋଡ଼ା ନିକଟରେ ଏକ କ୍ୟାସ୍ ମ୍ୟାନେଜମେଣ୍ଟ ସର୍ଭିସ୍ (CMS) ଗାଡ଼ିରେ ପାଖାପାଖି ୩୮ ଲକ୍ଷ ଟଙ୍କା ନେଇ ୪ ଜଣ କର୍ମଚାରୀ ଜୁରୁଡ଼ି ଉଦ୍ଦେଶ୍ୟରେ ଯାଉଥିଲେ । ତେବେ କମାରଯୋଡ଼ା ନିକଟରେ ଥିବା ଗାଡ଼ିକୁ ରଖି ୨ ଜଣ କର୍ମଚାରୀ ରିଲିଆନ୍ସ ସ୍ମାର୍ଟ ପଏଣ୍ଟରୁ କ୍ୟାସ୍ ଆଣିବା ପାଇଁ ଯାଇଥିଲେ । ଏହି ସମୟରେ ୩ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଭ୍ୟାନରୁ ଲୁଟ୍ ଉଦ୍ୟମ କରିଥିଲେ । ବନ୍ଧୁକ ଓ ଛୁରୀ ଦେଖାଇ ଲୁଟ୍ ଉଦ୍ୟମ ବେଳେ, ଗନ୍ ମ୍ୟାନ ସେମାନଙ୍କୁ ବାଧା ଦେବାରୁ ଦୁର୍ବୃତ୍ତମାନେ ତାଙ୍କୁ ଲୁହା ରଡ୍ ରେ ଆକ୍ରମଣ କରିଥିଲେ ଏବଂ ତାଙ୍କ ଠାରୁ ଡବଲ ବ୍ୟାରେଲ ଗନ୍ ଛଡ଼ାଇ ନେଇଥିଲେ । ଏହି ସମୟରେ ସେଠାରେ ଭିଡ଼ ଏକତ୍ରିତ ହେବାରୁ ଦୁର୍ବୃତ୍ତ ମାନେ ବାଇକ୍ ଯୋଗେ ଚମ୍ପଟ ମାରିଥିଲେ । ତେବେ ସେମାନେ ସାଥିରେ ଆଣିଥିବା ନକଲି ବନ୍ଧୁକ ସହ ଛୁରୀ ଖଣ୍ଡା ଆଦି ଛାଡ଼ିଦେଇ ପଳାଇଥିଲେ । ଦୁର୍ବୃତ୍ତଙ୍କ ମାଡ଼ରେ ଗନ୍ ମ୍ୟାନ୍ ବଳରାମ ପୃଷ୍ଟି ଆହତ ହୋଇ ନିକଟସ୍ଥ ଯୋଡ଼ା ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ପାଇ ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତ ମାନେ ଜୁରୁଡ଼ି ପଟକୁ ଫେରାର ହୋଇଥିବା କୁହାଯାଉଛି । ପୋଲିସ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ତଲାସୀ ଜାରି ରଖିଛି । 

You Can Read:

ଧାନ କ୍ରୟ ବେଳେ ସିଲ୍‌ ହେବ ପଡ଼ୋଶୀ ରାଜ୍ୟ ସୀମା, ବାହାର ରାଜ୍ୟ ଚାଷୀ କରିପାରିବେନି ବିକ୍ରି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.