କେଦାରନାଥରେ ଭୀଷଣ ହିମ ସ୍ଖଳନ, ଅଳ୍ପକେ ବର୍ତ୍ତିଲେ ଭକ୍ତ, ମନ୍ଦିର ସୁରକ୍ଷିତ , ଦେଖନ୍ତୁ Video

Published By : Prameya-News7 Bureau | June 30, 2024 IST

କେଦାରନାଥ ୩୦।୬: ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ଆରମ୍ଭ ହେବା ପରଠାରୁ ଭକ୍ତଙ୍କ ସୁଅ ଛୁଟିଛି। ଶୈବ ଭକ୍ତମାନେ ଲଗାତାର କେଦାରନାଥକୁ ମୁହାଁଇଛନ୍ତି। ବହୁସଂଖ୍ୟାରେ ଭକ୍ତ ପ୍ରତ୍ୟହ କେଦାରନାଥ ପହଞ୍ଚୁଛନ୍ତି। ଏଥିରେ ମଧ୍ୟରେ ରବିବାର ଏକ ବଡ଼ ଧରଣର ଦୁର୍ଘଟଣା ହେଉ ହେଉ ଟଳି ଯାଇଛି। କେଦାରନାଥ ଧାମ ମନ୍ଦିରର ଠିକ ପଛପଟେ ଥିବା ପାହାଡରୁ ହୀମ ସ୍ଖଳନ ହୋଇଥିଲା। ଏହାକୁ ଦେଖି ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। 

କେଦାରନାଥରେ ରବିବାର ହୋଇଥିବା ଏହି ହୀମ ସ୍ଖଳନର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସ୍ପଷ୍ଟ ଦେଖାଯାଇ ପାରେ ଯେ ମନ୍ଦିରର ପଛପଟ ପାହାଡରୁ ବରଫ ଅତଡା ମାଡିଆସୁଛି। ଏହାକୁ ଦେଖି ଲୋକେ ଆତଙ୍କିତ ହୋଇପଡିଥିଲେ। ତେବେ ମନ୍ଦିର ପଛପଟେ ଥିବା ଗାନ୍ଧି ସରୋବର ଯୋଗୁ ହୀମସ୍ଖଳନ ସେହିଠାରେ ଅଟକି ଯାଇଛି ଓ ଆଗକୁ ବଢି ପାରିନି। ଫଳରେ କେଦାରନାଥଙ୍କ ମନ୍ଦିର ସମେତ ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ଶହଶହ ଲୋକଙ୍କ ପ୍ରାଣ ରକ୍ଷା ହୋଇ ଯାଇଛି। 


ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ପ୍ରାକୃତିକ ଅଘଟଣ ଯୋଗୁ କୌଣସି ଧନଜୀବନ ହାନୀ ହୋଇ ନାହିଁ ଓ କେଦାରନାଥ ମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ତେବେ କେଦାରନାଥ ଧାମ ଉପରେ ବିପଦ କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ମଧ୍ୟ କେଦାରନାଥରେ ପ୍ରାକୃତିକ ବିପର୍ଯ୍ୟୟ ହୋଇଛି। ୨୦୧୩ରେ ହୋଇଥିବା ଜଳ ପ୍ରଳୟକୁ ଏହାକର ଉଦାହରଣ ଭାବେ ନିଆ ଯାଇପାରେ। ମନ୍ଦିର ଠାରୁ ଅନେକ କିଲୋମିଟର ଉପରେ ଥିବା ଚୋରାବାଡି ହ୍ରଦରେ ବାଦଲ ଫାଟିବା ଯୋଗୁ ମନ୍ଦାକିନୀ ନଦୀରେ ବନ୍ୟା ଆସି ଏହି ବିପର୍ଯ୍ୟୟ ସୃଷ୍ଟି  କରିଥିଲା। 


ଉଲ୍ଲେଖଯୋଗ୍ୟ ଗତ ମାର୍ଚ୍ଚ ୧୦ ତାରିଖରୁ ଚାରିଧାମ ଯାତ୍ରା ଆରମ୍ଭ ହୋଇଛି। ଅକ୍ଷୟ ତୃତୀୟାରେ ଗଙ୍ଗୋତ୍ରୀ, ୟମୁନେତ୍ରୀ ଓ କେଦାରନାଥଙ୍କ କବାଟ ଖୋଲିଥିଲା। ଏହା ପରେ ମେ ୧୨ ତାରିଖ ଦିନ ବଦ୍ରି ନାଥ ଓ ମେ ୨୫ ତାରିଖରେ ହେମକୁଣ୍ଡ ସାହିବର ଦ୍ୱାର ଫିଟି ଥିଲା। ସେବେଠାରୁ ଆରମ୍ଭ ହୋଇଥିବା ଚାରିଧାମ ଯାତ୍ରା ଜାରି ଥିବା ବେଳେ ଏବେବି ପ୍ରତ୍ୟହ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ନିମନ୍ତେ କେଦାରନାଥ ପହଞ୍ଚୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.