ଦାନରେ ରେକର୍ଡ ଭାଙ୍ଗିଲା ଅଯୋଧ୍ୟା ରାମମନ୍ଦିର, ଜାଣନ୍ତୁ ଭକ୍ତ ଅର୍ପଣ କରିଛନ୍ତି କେତେ?

Published By : Prameya-News7 Bureau | February 17, 2025 IST

ଅଯୋଧ୍ୟା ୧୭।୨: ପ୍ରୟାଗରାଜ ମହାକୁମ୍ଭକୁ ଆଗମନ ସହିତ ଅଯୋଧ୍ୟାସ୍ଥିତ ରାମ ମନ୍ଦିର ଶ୍ରଦ୍ଧାଳୁଙ୍କ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳରେ ପରିଣତ ହୋଇଛି। ଏବେ ମନ୍ଦିର ଦାନ ଅର୍ଜନ କରିବାରେ ମଧ୍ୟ ରେକର୍ଡ କରିଛି। ଗତ କିଛିମାସ ହେଲା ଅଯୋଧ୍ୟାକୁ ଶ୍ରଦ୍ଧାଳୁଙ୍କ ଆଗମନ ଢେର ବଢିଛି। ବିଶେଷ କରି ରାମ ମନ୍ଦିରରେ ଭଗବାନ ରାମଙ୍କ ଦର୍ଶନ ନିମନ୍ତେ ଆସୁଥିବା ଭକ୍ତଙ୍କ ସଂଖ୍ୟାରେ ଆଶ୍ଚର୍ଯ୍ୟଜନକ ବୃଦ୍ଧି ଦେଖାଯାଇଛି। ଏହି ବୃଦ୍ଧି ନା କେବଳ ଭକ୍ତଙ୍କ ସଂଖ୍ୟାରେ ରାମ ମନ୍ଦିର ଆୟରେ ମଧ୍ୟ ବୃଦ୍ଧି  କରିଛି। 

ଅଯୋଧ୍ୟା ଶ୍ରୀରାମ ମନ୍ଦିର ଏବେ ଦେଶର ସବୁଠୁ ଅଧିକ ଆୟ କରୁଥିବା ମନ୍ଦିରମାନଙ୍କ ସୂଚୀର ୩ ନମ୍ବର ସ୍ଥାନକୁ ପହଞ୍ଚିଛି। ଗତ ୨୨ଜାନୁୟାରୀ୨୦୨୪ରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ପରଠାରୁ ମନ୍ଦିରକୁ ଦର୍ଶନ ନିମନ୍ତେ ପହଞ୍ଚୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଏହି ସମୟରେ ମନ୍ଦିରର ବାର୍ଷିକ ଆୟ ୭୦୦ କୋଟି ଟଙ୍କାରୁ ମଧ୍ୟ ଅଧିକ ହୋଇଛି। ଆୟର ଏହି ତଥ୍ୟରୁ ଏହା ସ୍ପଷ୍ଟ ଜଣାପଡୁଛି ଯେ ଆଯୋଧ୍ୟା ରାମ ମନ୍ଦିର ଦାନ ଆୟରେ ଅମୃତସରର ସ୍ୱର୍ଣ୍ଣମନ୍ଦିର, ବୈଷ୍ଣୋଦେବୀ ଓ ସିରିଡି ସାଇବାବା ମନ୍ଦିରଠାରୁ ମଧ୍ୟ ଆଗକୁ ବଢି ଯାଇଛି। 

ମିଳୁଥିବା ଏହି ତଥ୍ୟ ଜାନୁୟାରୀ ୨୦୨୪ରୁ ଜାନୁୟାରୀ ୨୦୨୫ ପର୍ଯ୍ୟନ୍ତ ବର୍ଷକର। ଏହି ସମୟରେ ୧୩ କୋଟିରୁ ଅଧିକ ଭକ୍ତ ଅଯୋଧ୍ୟା ଆସି ଶ୍ରୀରାମଙ୍କୁ ଦର୍ଶନ କରିଛନ୍ତି। ରାମ ମନ୍ଦିରକୁ ଦୈନିକ ପାଖାପାଖି ୪ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ ନିମନ୍ତେ ପହଞ୍ଚୁଛନ୍ତି। ଏଣୁ ମନ୍ଦିରକୁ ମିଳୁଥିବା ଦାନ ମଧ୍ୟ ସେହି ଅନୁସାରେ ବୃଦ୍ଧିହେବାରେ ଲାଗିଛି। ମନ୍ଦିର ଟ୍ରଷ୍ଟ ଅନୁସାରେ ରାମ ମନ୍ଦିରର ୧୦ଟି କାଉଣ୍ଟରରେ ଦୈନିକ ୧୦ଲକ୍ଷ ଟଙ୍କାରୁ ଅଧିକ ଦାନ ସଂଗୃହୀତ ହେଉଛି। ରାମଲଲାଙ୍କ ସମ୍ମୁଖରେ ରଖାଯାଇଥିବା ଦାନ ପାତ୍ରରେ ମଧ୍ୟ ମୋଟା ରକମର ରାଶି ଜମା ହେଉଛି। 

କୁମ୍ଭମେଳା ଆରମ୍ଭ ହେବା ଦିନଠାରୁ ଏ ପର୍ଯ୍ୟନ୍ତ ୧୩ କୋଟି ଟଙ୍କାର ଦାନ ଏକତ୍ର ହୋଇ ପାରିଛି। ଯଦି ଏଇଭଳି ଭାବେ ରାମ ମନ୍ଦିରକୁ ଦର୍ଶନାର୍ଥୀଙ୍କ ସଂଖ୍ୟା ବଢେ ଦାନର ପରିମାଣ ମଧ୍ୟବ ଢିବଢି ଚାଲିବ ବୋଲି ଆକଳନ କରାଯାଉଛି। ଅଯୋଧ୍ୟା ଶ୍ରୀରାମ ମନ୍ଦିର ଆୟ ମାମଲାରେ ଦେଶର ପ୍ରମୁଖ ମନ୍ଦିରମାନଙ୍କୁ ପଛରେ ପକାଇ ଦେଇଛି। ସବୁଠୁ ଅଧିକ ଆୟକରୁଥିବା ମନ୍ଦିର ମଧ୍ୟରେ ଆନ୍ଧ୍ରପ୍ରଦେଶରେ ଥିବା ତିରୁପତି ଭେଙ୍କଟେଶ୍ୱର ମନ୍ଦିର ବାର୍ଷିକ ୧୫ଶହରୁ ୧୬୫୦କୋଟି ଟଙ୍କା ଆୟ କରୁଛି। ଏହା ପଛକୁ କେରଳର ପଦ୍ମନାଭ ସ୍ୱାମୀ ମନ୍ଦିର ବାର୍ଷିକ ୭୫୦ରୁ ୮୦୦ କୋଟି ଟଙ୍କା ଆୟ କରୁଛି। 

ଅମୃତସର ସ୍ୱର୍ଣ୍ଣମନ୍ଦିରର ଆୟ ୬୫୦କୋଟି ଟଙ୍କା ହୋଇଥିବା ବେଳେ ବୈଷ୍ଣୋଦେବୀ ମନ୍ଦିରର ଆୟ ୬୦୦ କୋଟି ଓ ଶିରିଡି ସାଇ ମନ୍ଦିରର ଆୟ ୫୦୦ କୋଟି ଟଙ୍କା। ଏହି ତଥ୍ୟ ଆଧାରରେ ଦେଖିଲେ ଅଯୋଧ୍ୟ ରାମ ମନ୍ଦିରର ବଢୁଥିବା ଆୟରୁ ମନ୍ଦିର ଉପରେ ଭକ୍ତଙ୍କ ଆସ୍ଥା ଓ ଦାନ ଉଭୟ ବଢିବାରେ ଲାଗିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.