ନୂତନ ଆୟକର ବିଧେୟକ ଉପରେ ଚର୍ଚ୍ଚା ପାଇଁ ଗଠନ ହେଲା ସିଲେକ୍ଟ କମିଟି, ବୈଜୟନ୍ତ ପଣ୍ଡା ହେଲେ ଅଧ୍ୟକ୍ଷ

Published By : Prameya-News7 Bureau | February 15, 2025 IST

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍ ବିର୍ଲା ନୂତନ ଆୟକର ବିଧେୟକ, ୨୦୦୫ ଉପରେ ବିଚାରବିମର୍ଶ କରିବା ପାଇଁ ଶୁକ୍ରବାର ୩୧ ସଦସ୍ୟ ବିଶିଷ୍ଟ ସିଲେକ୍ଟ କମିଟି ଗଠନ କରିଛନ୍ତି । ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଯାଇଛି । ଲୋକସଭା ବୁଲେଟିନ୍ ଅନୁସାରେ, ଏହି ସମୟରେ ବିଜେପିର ୧୪, କଂଗ୍ରେସର ୬, ସମାଜବାଦୀ ପାର୍ଟିର ଦୁଇ, ଟିଏମସି, ଡିଏମକେ, ଟିଡିପି, ଜେଡିୟୁ, ଶିବସେନା ୟୁବିଟି ଏବଂ ଏନସିପି ଶରଦଚନ୍ଦ୍ର ପାୱାର ପାର୍ଟିର ଜଣେ ଲେଖାଏ ସଦସ୍ୟ ସାମିଲ ଅଛନ୍ତି । କିଛି କ୍ଷୁଦ୍ର ଦଳକୁ ଏହି ଗୁରୁତ୍ୱପୂର୍ଣ୍ଣ କମିଟିରେ ସାମିଲ କରାଯାଇଛି ।

ସିଲେକ୍ଟ କମିଟିରେ ବିଜେପିରୁ ବୈଜୟନ୍ତ ପଣ୍ଡାଙ୍କ ବ୍ୟତୀତ ନିଶିକାନ୍ତ ଦୁବେ, ଜଗଦୀଶ ସେଟ୍ଟାର, ସୁଧୀର ଗୁପ୍ତା, ପିପି ଚୌଧୁରୀ ଏବଂ ନବୀନ ଜିନ୍ଦଲଙ୍କ ନେତା ସାମିଲ ଅଛନ୍ତି । ଅନ୍ୟପଟେ କଂଗ୍ରେସରୁ ଦୀପେନ୍ଦ୍ର ହୁଡ୍ଡା, ଅମର ସିଂହଙ୍କ ସମେତ ଛଅ ସାଂସଦ ସାମିଲ ଅଛନ୍ତି । ସମାଜବାଦୀ ପାର୍ଟିରୁ ଲାଲଜୀ ବର୍ମା ଏବଂ ପ୍ରିୟା ସରୋଜ, ଟିଏମସିରୁ ମହୁଆ ମୋଇତ୍ରାଙ୍କୁ କମିଟିରେ ସଦସ୍ୟ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ନୂତନ ଆୟକର ବିଲ୍ (ଇନ୍‌କମ୍ ଟ୍ୟାକ୍ସ ବିଲ୍, ୨୦୨୫) ଫେବ୍ରୁଆରୀ ୧୩ରେ ଲୋକସଭାରେ ଆଗତ ହୋଇଥିଲା । ଗତ ସପ୍ତାହରେ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ପରେ ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବିଲ୍ ଉପସ୍ଥାପନ କରିଥିଲେ । ନୂତନ ଆୟକର ବିଲ୍‌ରେ ସାଧାରଣ ଲୋକଙ୍କ ପାଇଁ ଇନ୍‌କମ୍ ଟ୍ୟାକ୍ସ ସହ ଜଡ଼ିତ ନିୟମକୁ ଅଧିକ ସରଳ ଏବଂ ସୁଲଭ କରାଯାଇଛି । ଏହି ବିଲ୍, ବର୍ତ୍ତମାନରେ ପ୍ରଚଳିତ ଆୟକର ଟିକସ ଆକ୍ସ ୧୯୬୧ର ସ୍ଥାନ ନେବ । ନୂଆ ବିଲ୍‌ରେ ମୋଟ ୫୩୬ ଧାରା ରହିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ରେ ବଜେଟ୍ ଉପସ୍ଥାପନ ବେଳେ ନୂଆ ଆୟକର ଆଇନ ଆସିବା ନେଇ ଘୋଷଣା କରିଥିଲେ ।

ନୂଆ ବିଲ୍‌ର ଉଦ୍ଦେଶ୍ୟ କଠିନ ଶବ୍ଦ ଏବଂ ଆବଶ୍ୟକ ନଥିବା ଆଇନକୁ ହଟାଇ, ଛୋଟ ଏବଂ ସରଳ କରିବା । ଉଦାହରଣ ପାଇଁ ଏଥିରେ 'ଟ୍ୟାକ୍ସ ଇୟର' ନାଁରେ ଏକ ନୂଆ ଶବ୍ଦ ବ୍ୟବହାର କଥା ଉଲ୍ଲେଖ ରହିଛି, ଯାହା 'ପ୍ରିଭିୟସ ଇୟର' ଏବଂ 'ଆସେସମେଣ୍ଟ ଇୟର' ପରି ଜଟିଳ ଶବ୍ଦର ସ୍ଥାନ ନେବ  ।

ନୂଆ ଇନ୍‌କମ୍ ଟ୍ୟାକ୍ସ ବିଲ୍‌ରେ ମୋଟ ୬୨୨ ପୃଷ୍ଠା ରହିବ । ଏଥିରେ ୫୩୬ ଧାରା, ୨୩ ଚାପ୍ଟର ଏବଂ ୧୬ ଅନୁସୂଚୀ ସାମିଲ ରହିଛି । ବର୍ତ୍ତମାନରେ ପ୍ରଚଳିତ ଆୟକର ବିଲ୍‌ ୧୯୬୧ରେ ୨୯୮ ଧାରା, ୨୩ ଚାପ୍ଟର ଏବଂ ୧୪ ଅନୁସୂଚୀ ରହିଛି । ଆୟକର ବିଲ୍‌ ୧୯୬୧ରେ ମୋଟ ୮୮୦ ପୃଷ୍ଠା ଥିଲା । ଏହାସହ ଆୟକର ଅଧିନିୟମ ୧୯୬୧ରେ ଅନେକ ଥର ବ୍ୟବହାର କରାଯାଇଥିବ ଶବ୍ଦ ‘ବାବଜୁଦ’କୁ ନୂଆ ବିଧେୟକରୁ ହଟାଯାଇଛି ଏବଂ ଏହା ସ୍ଥାନରେ ପ୍ରାୟ ସବୁ ସ୍ଥାନରେ ‘ଅପରିହାର୍ଯ୍ୟ’ ଶବ୍ଦ ବ୍ୟବହାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.