ନୂଆଦିଲ୍ଲୀ: ବ୍ୟାଙ୍କ ବୁଡ଼ିଗଲେ ଜମାକାରୀଙ୍କୁ ମିଳିବ ଟଙ୍କା । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମାରାଶି ସୁରକ୍ଷିତ ରହିବ । ଜମାରାଶି ଗ୍ୟାରେଣ୍ଟି ବୃଦ୍ଧି ପାଇଁ ବିଚାର କରୁଛନ୍ତି କେନ୍ଦ୍ର ସରକାର । ଡିପୋଜିଟ୍ ଇନ୍ସ୍ୟୋରାନ୍ସ ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେଶନ୍ ଆକ୍ଟ ଅଧୀନରେ ମିଳୁଥିବା ବୀମା ରାଶିକୁ ବଢ଼ାଇପାରନ୍ତି । ଏନେଇ ଅର୍ଥ ମନ୍ତ୍ରାଳୟର ଜଣେ ଅଧିକାରୀ ଏଭଳି କିଛି ସୂଚନା ଦେଇଛନ୍ତି । ଡିଆଇସିଜିସି ଅଧୀନରେ ବ୍ୟାଙ୍କ ବନ୍ଦ ହୋଇଗଲେ କିମ୍ବା ବୁଡ଼ିଗଲେ ଗ୍ରାହକଙ୍କ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମାରାଶି ସୁରକ୍ଷିତ ରହୁଛି । ଜମାକାରୀଙ୍କୁ ଏ ରାଶି ୯୦ ଦିନ ମଧ୍ୟରେ ମିଳିଥାଏ ।
ଜଣେ ଜମାକାରୀଙ୍କ ବ୍ୟାଙ୍କରେ ୧୦ ଲକ୍ଷ ଟଙ୍କାର ଜମାରାଶି ଅଛି । ଯଦି ବ୍ୟାଙ୍କ୍ କୌଣସି କାରଣରୁ ବନ୍ଦ ହୋଇଯାଏ ତେବେ ଜମାକାରୀଙ୍କୁ ୫ ଲକ୍ଷ ଟଙ୍କା ହିଁ ମିଳିବ, ତା’ଠାରୁ ଅଧିକ ନୁହେଁ । ଡିଆଇସିଜିସି ଜମାକାରୀଙ୍କଠାରୁ ବୀମା ଉପରେ କୌଣସି ପ୍ରିମିୟମ ସିଧାସଳଖ ନେଇ ନ ଥାଏ । ଏହି ପ୍ରିମିୟମ ବ୍ୟାଙ୍କ୍ ହିଁ ଭରିଥାଏ । ଜମା ଗ୍ୟାରେଣ୍ଟି କେବଳ ବ୍ୟାଙ୍କ୍ ବନ୍ଦ ହେବା ସ୍ଥିତିରେ ଲାଗୁ ହୋଇଥାଏ । ଯଦି କୌଣସି ଜମାକାରୀଙ୍କର ୪ ଲକ୍ଷ ଟଙ୍କାର ଜମା ରହିଛି ତେବେ ବ୍ୟବସ୍ଥା ଅନୁସାରେ ଏହି ସମ୍ପୂର୍ଣ୍ଣ ରାଶି ବୀମା କଭର ଆକାରରେ ମିଳିଥାଏ ।
ଗ୍ୟାରେଣ୍ଟି ରାଶି ବଢ଼ିବା ଦ୍ୱାରା ବ୍ୟାଙ୍କଗୁଡ଼ିକରେ ଲୋକେ ଗ୍ୟାରେଣ୍ଟି ରାଶି ସହ ସମାନ ଜମା ରଖିଲେ କୌଣସି ସମସ୍ୟାର ସାମ୍ନା କରିବେ ନାହିଁ । ଫଳରେ ବ୍ୟାଙ୍କିଙ୍ଗ ସିଷ୍ଟମ୍ ଉପରେ ଲୋକଙ୍କ ଭରସା ବଢ଼ିବ । ସଞ୍ଚୟ ବଢ଼ିବା ଦ୍ୱାରା ବ୍ୟାଙ୍କଗୁଡ଼ିକ ଅଧିକ ଋଣ ଦେଇପାରିବେ ।