ପେନ୍‌ସନ୍‌ ପ୍ରଦାନରେ ବିଳମ୍ୱ କଲେ ବ୍ୟାଙ୍କ ଦେବେ ୮ ପ୍ରତିଶତ ସୁଧ, RBIର ନୂଆ ନିର୍ଦ୍ଦେଶ

Published By : Prameya-News7 Bureau | April 08, 2025 IST

ନୂଆଦିଲ୍ଲୀ: ପେନ୍‌ସନ୍‌କୁ ନେଇ ଆରବିଆଇ ପକ୍ଷରୁ ଏକ ବଡ଼ ନିର୍ଦ୍ଦେଶ ଜାରି କରାଯାଇଛି । କେନ୍ଦ୍ର ଓ ରାଜ୍ୟ କର୍ମଚାରୀଙ୍କ ପେନ୍‌ସନ୍‌ରେ କୌଣସି ପ୍ରକାର ବିଳମ୍ୱ ହେଲେ ଦାୟୀ ବ୍ୟାଙ୍କ ୮ ପ୍ରତିଶତ ହାରରେ ସୁଧ ଦେବ ବୋଲି ଏଥିରେ କୁହାଯାଇଛି । RBIର ମାଷ୍ଟର ସର୍କୁଲାରରେ କୁହାଯାଇଛି ଯେ ଏହି ନିୟମର ଉଦ୍ଦେଶ୍ୟ ପେନସନଭୋଗୀଙ୍କ ବକେୟା ବିଳମ୍ୱରେ କ୍ଷତିପୂରଣ ପ୍ରଦାନ କରିବା ।

ଆରବିଆଇର ସର୍କୁଲାର୍ ଅନୁସାରେ, ପେନ୍‌ସନ୍ ପୈଠ କରୁଥିବା ବ୍ୟାଙ୍କକୁ ପେନ୍‌ସନ୍ କିମ୍ୱା ବକେୟା ରାଶି ଜମା କରିବାରେ ବିଳମ୍ୱ ପାଇଁ ବାର୍ଷକ ୮ ପ୍ରତିଶତ ହାରର କ୍ଷତିପୂରଣ ଦେବାକୁ ପଡ଼ିବ । ସର୍କୁଲାରରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଏହି କ୍ଷତିପୂରଣ ପେନସନର୍ସଙ୍କୁ ବିନା କୌଣସି ଦାବିରେ ସ୍ୱତଃ ପ୍ରଦାନ କରାଯିବ । ପେନ୍‌ସନ୍ ପେମେଣ୍ଟ ଡେଟ୍ ପରେ ଯେକୌଣସି ବିଳମ୍ୱ ପାଇଁ ଏହି କ୍ଷତିପୂରଣ ଦେବାକୁ ପଡ଼ିବ । ଆରବିଆଇ ଦ୍ୱାରା ଏହି ନିୟମ ଅଣାଯିବାର ଉଦ୍ଦେଶ୍ୟ, କର୍ମଚାରୀଙ୍କୁ ବିନା ବିଳମ୍ୱରେ ପେନସନ୍ ପ୍ରଦାନ କରିବା ।

ଏହା ବ୍ୟତୀତ, ଆରବିଆଇ ବ୍ୟାଙ୍କଗୁଡ଼ିକୁ ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ବରିଷ୍ଠ ପେନସନର୍ସଙ୍କ ସହ ଠିକ୍ ଭାବେ କଥାବର୍ତ୍ତା କରି ସୁବିଧା ଦେବା ପାଇଁ କୁହାଯାଇଛି । ଆରବିଆଇର ଏହି ନିର୍ଦ୍ଦେଶ ପୂରା ଭାରତରେ ପେନସନ୍ ବିତରଣର ବିଶ୍ୱସନୀୟତା ଓ ଦକ୍ଷତାକୁ ବଢାଇବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.