ଅଯୋଗ୍ୟ ପାଉଛନ୍ତି ପ୍ରଧାନମନ୍ତ୍ରୀ ଆବାସ, ଦୁର୍ନୀତି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଯୋଗ୍ୟ ହିତାଧିକାରୀ

Published By : Prameya-News7 Bureau | July 20, 2021 IST

ନୀଳଗିରି ୨୦।୭: ଯୋଗ୍ୟ ହିତାଧିକାରୀ ପାଉ ନାହାନ୍ତି ପ୍ରଧାନମନ୍ତ୍ରୀ ଆବାସ। ପ୍ରିୟାପ୍ରୀତି ତୋଷଣ କରି ଅଯୋଗ୍ୟ ହିତାଧିକାରୀ ଲୁଟି ନେଇଛନ୍ତି ଏହି ଯୋଜନା। ବାରମ୍ବାର ଅଭିଯୋଗ ପରେ ବି କୌଣସି ସୁଫଳ ନମିଳିବାରୁ ଆଜି ଯୋଗ୍ୟ ହିତାଧିକାରୀ ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି।

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ନୀଳଗିରି ଗୋଟିଏ ଆଦିବାସୀ ବ୍ଲକ୍। ୭୦ଭାଗରୁ ଉର୍ଦ୍ଧ୍ବ ଲୋକ ଚାଷ କାର୍ଯ୍ୟ ଉପରେ ନିର୍ଭର କରନ୍ତି। ଅନେକ ଦିନ ମଜୁରିଆ ଭାବେ ମଧ୍ୟ କାର୍ଯ୍ୟ କରନ୍ତି। ଆଦିବାସୀ ବହୁଳ ଅଂଚଳକୁ ଆସୁଥିବା ଯୋଜନା ସଠିକ ରୂପାୟନ ହେଉନଥିବାରୁ ଆଜି ପ୍ରକୃତ ହିତାଧିକାରୀ ଦୁର୍ଦ୍ଦିନରେ ସଢୁଛନ୍ତି। ଏଭଳି ଏକ ଘଟଣା ଛତ୍ରପୁର ଅଞ୍ଚଳରେ ଅଭିଯୋଗ ଆସିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ କୋଠାଘର, ଚାରି ଚକିଆ ଓ ଦୁଇ ଚକିଆ ଯାନ ଥିବା ପରିବାର ଲୋକେ ପ୍ରିୟାପ୍ରୀତି ତୋଷଣ କରି ଲୁଟି ନେଇଥିବା ଅଭିଯୋଗ ହୋଇଛି। ଭଙ୍ଗା ଚାଳିଆ ଘରେ ରହୁଥିବା ଦିନ ମଜୁରିଆମାନେ ବର୍ଷା ଦିନରେ ମୁଣ୍ଡ ଗୁଞ୍ଜିବାକୁ ଟିକେ ଜାଗା ନଥିବା ବେଳେ ବାରମ୍ବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରୁଥିଲେ ମଧ୍ୟ ଏଥିରୁ ବଞ୍ଚିତ ହୋଇ ଆସୁଛନ୍ତି। ଆଜି ଛତ୍ରପୁର ପଞ୍ଚାୟତର ଯୋଗ୍ୟ ହିତାଧିକାରୀମାନେ ନୀଳଗିରି ଗସ୍ତରେ ଆସିଥିବା ବେଳେ ସମସ୍ତ ଘଟଣାକୁ ଦୃଷ୍ଟି ଆକର୍ଷଣ କରିଥିଲେ।  ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ମଧ୍ୟ ଗୁରୁତର ସହ ଘଟଣାକୁ ନେଇ ନୀଳଗିରି ବିଡ଼ିଓଙ୍କୁ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.