ଉଚ୍ଛେଦ ପରେ ମିଳୁନି ଥଇଥାନର ଠିକଣା, ଜବର ଦଖଲ ପରେ ବେକାରୀ ସମସ୍ୟା ଉତ୍କଟ

Published By : Prameya-News7 Bureau | December 16, 2024 IST

ଭଦ୍ରକ ୧୬/୧୨: ଟାଉନ ଗ୍ରାମ ପଞ୍ଚାୟତ ଥିବା ବେଳୁ ଆରମ୍ଭ ହେଲା ବ୍ୟବସାୟର ପେଣ୍ଠସ୍ଥଳୀ । ୧୯୫୦ ମସିହାରୁ ଦେଉଥିଲେ ଖଜଣା । ମିଳିଥିଲା ବର୍ସିକିଆ ଜମି ପଟ୍ଟା । କିନ୍ତୁ ଏବେ ଉଚ୍ଛେଦ ପରେ ମିଳୁନାହିଁ ଥଇଥାନର ଠିକଣା । କିଏ ଦୋକାନ ଘର ହରାଇ ବେକାର ହେଲେଣି ତ କିଏ ପୁଣି ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଗଲେଣି । 

ସୂଚନା ଥାଉକି, ସରକାରୀ ଜମିରୁ ଜବର ଦଖଲ ପରେ ଏବେ ଉତ୍କଟ ବେକାରୀ ସମସ୍ୟା । ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଅନେକ କର୍ମଚାରୀ ମଧ୍ୟ ବେକାର । ଭଦ୍ରକ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଜବର ଦଖଲ ଉଛେଦ ପ୍ରକ୍ରିୟାରେ ପ୍ରାୟ ୭୦୦ରୁ ଅଧିକ ବ୍ୟବସାୟୀକ ପ୍ରତିଷ୍ଠାନ ଉଚ୍ଛେଦ ହୋଇଛି । ଅବିଭକ୍ତ ବାଲେଶ୍ଵର ଜିଲ୍ଲା ଥିବା ବେଳେ ଜଗନ୍ନାଥ ସଡ଼କ ନିକଟ ଘୋଷରା ବଜାର ଯାହାକୁ ଏବେ କଚେରି ବଜାର ଭାବେ ଜଣାଯାଏ ତାହା ଥିଲା ଜିଲ୍ଲାର ପ୍ରଥମ ବ୍ୟବସାୟର ପେଣ୍ଠସ୍ଥଳୀ । 


ଏହି ଦୋକାନୀମାନେ ୧୯୫୦ ମସିହାରେ ବାର୍ଷିକ ୧ ଟଙ୍କା ୨୦ ପଇସାର ଖଜଣା ଦେଉଥିଲେ । ପରେ ୧୯୭୦ ମସିହାରେ ଭଦ୍ରକ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପରେ ଦୋକାନୀ ମାନେ ବାର୍ଷିକ ୩୬ ଟଙ୍କାର ଖଜଣା ଦେଉଥିଲେ । ସେହି ସମୟରେ ସ୍ଥାନୀୟ ଦୋକାନୀଙ୍କୁ ମଧ୍ୟ ଚୁକ୍ତିରେ ବାର୍ଷିକ ପାଇଁ ପଟ୍ଟା ଦିଆଯାଇଥିଲା । 

୨୦୦୬ ମସିହାରେ ମଧ୍ୟ ପୌରପାଳିକାର ନୋଟିସ ଅନୁଯାୟୀ ନାଳର ମରାମତି ପାଇଁ ଦୋକାନୀଙ୍କୁ ମଧ୍ୟ ୫୦ ହଜାର ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଥିଲା । କେତେକ ବ୍ୟବସାୟୀ ଏହି ଟଙ୍କା ମଧ୍ୟ ଦାଖଲ କରିଥିବା କୁହନ୍ତି । ୧୯୭୨ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଥିବା ବେଳେ ବଣିକ ସଙ୍ଘ ସ୍ଥାୟୀ ହେବା ପାଇଁ ଦାବି କରିଥିଲା । 

ଏହି ଦାବି ପତ୍ରରେ ତତ୍କାଳୀନ ଏନ୍‌ଏସି ଅଧ୍ୟକ୍ଷ ନରେନ୍ଦ୍ର ଚନ୍ଦ୍ର ସେନ ଓ ଉପାଧ୍ୟକ୍ଷ ଅବଦୁଲ ବାରି ମଧ୍ୟ ନିଜେ ଦାବିପତ୍ରରେ ଦସ୍ତଖତ କରିଥିଲେ । କିନ୍ତୁ ଏବେ ଉଚ୍ଛେଦକୁ ୫ ମାସ ବିତିଲାଣି କିନ୍ତୁ ମାତ୍ର ୪୬ଟି ଦୋକାନ ଘର ବଣ୍ଟାଯାଇଛି । ଏବେ ପର୍ଯ୍ୟନ୍ତ ଅନ୍ୟ ଦୋକାନୀ ଓ ଦୋକାନ କର୍ମଚାରୀ ମାନେ ଥଇଥାନ ଅଭାବରୁ ବେକାର ହୋଇଛନ୍ତି । ଅନେକ ଏବେ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଭାବେ ମଧ୍ୟ ବାହାରି ଗଲେଣି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.