କୋଲକାତା: ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାରେ ଓ୍ବାକଫ୍ ଆଇନକୁ ନେଇ ହିଂସା । ବିକ୍ଷୋଭ ପ୍ରଦର୍ଶନ ବେଳେ ପ୍ରଦର୍ଶନକାରୀ ଓ ପୋଲିସ ଧସ୍ତାଧସ୍ତି । ପୋଲିସ ଗାଡ଼ିକୁ ଭଙ୍ଗାରୁଜା କରିବା ସହିତ ପୋଡ଼ାଜଳା କରିଛନ୍ତି ଉପଦ୍ରବୀ । ଏଥିରେ କିଛି ପୋଲିସକର୍ମୀ ଓ ବିକ୍ଷୋଭକାରୀ ଆହତ ହୋଇଛନ୍ତି ।
ଶୁକ୍ରବାର ଜଙ୍ଗିପୁର କ୍ଷେତ୍ରରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକ ଓ୍ବାକଫ୍ ଆଇନକୁ ବିରୋଧ କରି ପ୍ରଦର୍ଶନ କରିଥିଲେ । ବହୁ ସଂଖ୍ୟାରେ ଲୋକ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିବା ସହିତ ନାରାବାଜି କରିଥିଲେ । ଏହି ସମୟରେ ପୋଲିସ ସେମାନଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲା ।ହେଲେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଛି । ଚାହୁଁଚାହୁଁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ପ୍ରଦର୍ଶନକାରୀମାନେ ପୋଲିସ ଗାଡ଼ିକୁ ଭଙ୍ଗାରୁଜା କରିବା ସହିତ ସେଥିରେ ନିଆଁ ଲଗାଇ ଦେଇଥିଲେ । ପୋଲିସ ଉପରକୁ ପଥରମାଡ଼ ମଧ୍ୟ କରିଥିଲେ । ଆଇନଶୃଙ୍ଖଳା ସ୍ଥିତି ବଜାୟ ରଖିବାକୁ ପୋଲିସ ଲାଠିଚାର୍ଜ କରିବା ସହିତ ଟିୟର ଗ୍ୟାସ୍ ମାଡ଼ କରିଥିଲା । ସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ସ୍ଥାନୀୟ ଅଞ୍ଚଳରେ ଅତିରିକ୍ତ ପୋଲିସବଳ ମୁତୟନ କରାଯାଇଛି । ସେହିପରି ଶାନ୍ତି ବଜାୟ ରଖିବାକୁ ପ୍ରଶାସନ ଲୋକଙ୍କୁ ଅପିଲ୍ କରିଛି । ସେପଟେ ପ୍ରଦର୍ଶନକାରୀମାନେ ଚେତାବନୀ ଦେଇ କହିଛନ୍ତି, କେନ୍ଦ୍ର ସରକାର ଓ୍ବାକଫ୍ ସଂଶୋଧନ ବିଧେୟକ ଫେରାଇ ନ ନେବା ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ଜାରି ରହିବ ।