ରାଉରକେଲା: ହକି ଇଣ୍ଡିଆ ଲିଗ୍ରେ ବେଙ୍ଗଲ ଟାଇଗର୍ସକୁ ଟାଇଟଲ ତାଜ୍ । ଫାଇନାଲ ଫାଇଟ୍ରେ ହାଇଦ୍ରାବାଦ ତୁଫାନ୍ସକୁ ୪-୩ ଗୋଲରେ ହରାଇ ଚାମ୍ପିଅନ ହୋଇଛି ଦଳ । ଶନିବାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଏଚଆଇଏଲ୍ ଫାଇନାଲ୍ ମୁକାବିଲା ହୋଇଥିଲା । ମ୍ୟାଚ୍ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ରହିଥିଲା । ମାତ୍ର ଶେଷରେ ବେଙ୍ଗଲ ଟାଇଗର୍ସ ଚାମ୍ପିଅନ ହୋଇଛି । ତେବେ ମ୍ୟାଚ୍ ପୂର୍ବରୁ ଭରପୁର ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇଥିଲା । ବାଲିଉଡ ନାୟିକା ସାରା ଅଲ୍ଲି ଖାନଙ୍କ ଡ୍ୟାନ୍ସରେ ମତୁଆଲା ହୋଇଥିଲେ ଦର୍ଶକ । ବିଶ୍ବ ସବୁଠୁ ବଡ଼ ହକି ଷ୍ଟାଡିୟମରେ ଦର୍ଶକଙ୍କ ଜବରଦସ୍ତ ଭିଡ଼ ଦେଖିବାକୁ ମିଳିଥିଲା ।
ଫାଇନାଲ ମ୍ୟାଚ୍ ଓ ଉଦଯାପନୀ ଉତ୍ସବ ବେଶ୍ ସ୍ମରଣୀୟ ରହିଥିଲା । ଟାଇଟଲ୍ ଲଢ଼େଇରେ ମୁହାଁମୁହିଁ ହୋଇଥିଲେ ବେଙ୍ଗଲ ଟାଇଗର୍ସ ଏବଂ ହାଇଦ୍ରବାଦ ତୁଫାନ୍ସ । ଫାଇନାଲ୍ରେ ବେଙ୍ଗଲ ଟାଇଗର୍ସ ୪-୩ ଗୋଲ୍ରେ ତୁଫାନ୍ସକୁ ହରାଇ ଚାମ୍ପିଅନ୍ ହୋଇଛି । ମ୍ୟାଚ୍ର ପ୍ରତିଟି ମୂହୁର୍ତ୍ତ ରହିଥିଲା ରୋମାଞ୍ଚରେ ଭରପୁର । ଖେଳାଳିଙ୍କ ପ୍ରତିଟି କୌଶଳରେ ଉପସ୍ଥିତ ଦର୍ଶକ ଉତ୍ସାହିତ ହୋଇପଡ଼ୁଥିଲେ । ଉଦ୍ଯାପନୀ ଦିବସ ଭାରତୀୟ ହକି ପାଇଁ ସ୍ମରଣୀୟ ରାତିରେ ପରିଣତ ହାଇଥିଲା । ହକି ଇତିହାସରେ ପ୍ରଥମ ଥର ପାଇଁ କୌଣସି ଷ୍ଟାଡିୟମରେ ପାଖାପାଖି ୩୦,୦୦୦ ଦର୍ଶକ ଏକତ୍ରିତ ହୋଇ ମ୍ୟାଚ୍ର ମଜା ନେଇଥିଲେ । କେବଳ ଷ୍ଟାଡିୟମ ଗ୍ୟାଲେରୀ ନୁହେଁ, ଷ୍ଟାଡିୟମ ପରିସରର କୋଣ ଅନୁକୋଣରେ ପ୍ରଶଂସକମାନେ ରୁଣ୍ଡ ହୋଇ ଫାଇନାଲ୍ ମ୍ୟାଚ୍କୁ ଉପଭୋଗ କରିଥିଲେ ।
ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ଉଭୟ ଦଳକୁ ଶୁଭେଚ୍ଛା ଜଣାଇଥିଲେ । ହକି ପ୍ରତି ଆଦରକୁ ନେଇ ମୁଖ୍ୟମନ୍ତ୍ରୀ ଦର୍ଶକଙ୍କୁ ଧନ୍ୟବାଦ ଦେଇଥିଲେ । ଭାରତରେ ହକିର ବିକାଶ କ୍ଷେତ୍ରରେ ପ୍ରଶଂସକଙ୍କ ସମର୍ଥନ ଏବଂ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।