ପାଟିଦାରଙ୍କ କ୍ୟାପ୍ଟେନ ଇନିଂସ ଓ ବୋଲରଙ୍କ ଘାତକ ବୋଲିଂ; ଚେନ୍ନାଇକୁ ୫୦ ରନ୍‌ରେ ପରାସ୍ତ କଲେ ଆରସିବି

Published By : Prameya-News7 Bureau | March 28, 2025 IST

ଚେନ୍ନାଇ: ରଜତ ପାଟିଦାରଙ୍କ କ୍ୟାପ୍ଟେନ ଇନିଂସ ଓ ବୋଲରଙ୍କ ଘାତକ ବୋଲିଂ ବଳରେ ଆରସିବି ଏକ ବଡ଼ ବିଜୟ ହାସଲ କରିଛି । ଚେନ୍ନାଇ ସୁପର କିଙ୍ଗ୍ସକୁ ୫୦ ରନ୍ ପରାସ୍ତ କରି ଆରସିବି ଲଗାତାର ଦୁଇଟି ମ୍ୟାଚ୍ ଜିତିଛି । ଚେନ୍ନାଇ ପାଇଁ ରଚିନ ରବିନ୍ଦ୍ର ସର୍ବାଧିକ ୪୧ ରନ୍ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ବଡ଼ ସ୍କୋର କରିପାରି ନଥିଲେ ।

୧୯୭ ରନ୍ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଚେନ୍ନାଇକୁ ଆରମ୍ଭରୁ ହିଁ ବଡ଼ ଝଟକା ଲାଗିଥିଲା । ଦ୍ୱିତୀୟ ଓଭରରେ ହିଁ ଟିମ୍ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହରାଇଥିଲା । ରାହୁଲ ତ୍ରିପାଠୀ (୫) ଓ କ୍ୟାପ୍ଟେନ ଋତୁରାଜ ଗାଏକୱାଡ୍ (୦) ରନ୍ କରି ଜୋଶ ହେଜଲଉଡଙ୍କ ଶିକାର ହୋଇଥିଲେ । ଏହାପରେ ଦୀପକ ହୁଡ୍ଡାଙ୍କୁ ୪ ରନରେ ଆଉଟ୍ କରାଇଥିଲେ ଭୁବନେଶ୍ୱର କୁମାର । ରଚିନ୍ ରବିନ୍ଦ୍ର ୪୧, ସାମ୍ କୁରାନ ୮, ଶିଭମ ଦୁବେ ୧୯, ଅଶ୍ୱିନ ୧୧ ରନ୍ କରି ଆଉଟ୍ ହୋଇଥିଲେ । ଧୋନୀ ୧୬ ବଲରେ ୩୦ ରନ୍ କରି ଅପରାଜିତ ରହିଥିଲେ । ବେଙ୍ଗାଲୁରୁ ପାଇଁ ଜୋଶ ହେଜଲଉଡ୍, ଲିଆମ୍ ଲିଭିଙ୍ଗଷ୍ଟନ୍, ୟଶ ଦୟାଲ ଦୁଇଟି ଲେଖାଏ ୱିକେଟ୍ ନେଇଥିଲେ । ଚେନ୍ନାଇ ୨୦ ଓଭରରେ ୮ ୱିକେଟ୍ ହରାଇ ୧୪୮ ରନ୍ କରିବାରେ ସକ୍ଷମ ହେଲା ।

ଆରସିବି ଇନିଂସ 

ଅଧିନାୟକ ରଜତ ପାଟିଦାରଙ୍କ ଅର୍ଦ୍ଧଶତକ ଓ ଶେଷ ଓଭରରେ ଟିମ୍ ଡେଭିଡଙ୍କ ଚମତ୍କାର ବୋଲିଂ ବଳରେ ଆରସିବି ସ୍କୋର ବୋର୍ଡରେ ୧୯୬ ରନ୍ ଲଗାଇଥିଲା । ଆରସିବି ପାଇଁ ଭଲ ଆରମ୍ଭ ଦେଇଥିଲେ ଦୁଇ ଓପନର ଫିଲିପ୍ପ ସଲ୍ଟ ଓ ବିରାଟ କୋହଲି । ଦୁହିଁଙ୍କ ମଧ୍ୟରେ ୪୧ ରନ୍ ଭାଗୀଦାରି ହୋଇଥିଲା । ୪୫ ରନ୍‌ରେ ଫିଲିପ୍ପ ସଲ୍ଟ ବ୍ୟକ୍ତିଗତ ୩୨ ରନ୍‌ରେ ଆଉଟ୍ ହୋଇଥିଲେ । ତାଙ୍କ ପରେ ଦେବଦତ୍ତ ପାଡିକଲ୍ ୨୭, ବିରାଟ କୋହଲି ୩୧, ଲିଆମ୍ ଲିଭିଙ୍ଗଷ୍ଟନ୍ ୧୦, ଜିତେଶ ଶର୍ମା ୧୨ କରି ଆଉଟ୍ ହୋଇଥିଲେ । ଆରସିବି ପାଇଁ କ୍ୟାପ୍ଟେନ ରଜତ ପାଟିଦାର ସର୍ବାଧିକ ୫୧ ରନ୍ କରିଥିଲେ । ଶେଷ ଓଭରରେ ଟିମ୍ ଡେଭିଡ୍ ୩ଟି ଛକା ମାରି ବ୍ୟକ୍ତିଗତ ୨୨ ରନ୍ କରି ଅପରାଜିତ ରହିଥିଲେ ।  ଚେନ୍ନାଇ ପାଇଁ ନୁର ଅହମ୍ମଦ ସବୁଠୁ ସଫଳ ବୋଲର ହୋଇଥିଲେ । ସେ ଚାରି ଓଭରରେ ୩୬ ରନ୍ ଦେଇ ୩ ୱିକେଟ୍ ନେବାରେ ସଫଳ ହୋଇଥିଲେ । ସେହିପରି ପଥିରାନା ୨, ଅଶ୍ୱିନ ୧ ଓ ଖଲିଲ୍ ଅହମ୍ମଦ ୧ ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.