ମୁମ୍ବାଇ: ଆଜି ଆଇପିଏଲ୍ ୨୦୨୫ର ୧୨ତମ ମ୍ୟାଚ୍ରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ। ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମ ଆଇପିଏଲ୍ର ଚଳିତ ସଂସ୍କରଣର ପ୍ରଥମ ମ୍ୟାଚ୍ ଆୟୋଜନ କରୁଛି। ଏହି ମଇଦାନରେ ସର୍ବଦା ହାଇ ସ୍କୋରିଂ ମୁକାବିଲା ଦେଖିବାକୁ ମିଳିଥାଏ। ବାଉଣ୍ଡରୀ ଛୋଟ ଥିବାରୁ ଏଠାରେ ଛକା-ଚୌକା ବର୍ଷା ହୋଇଥାଏ।
Also read: ଆଣ୍ଠୁରେ ଯନ୍ତ୍ରଣା, ୧୦ ଓଭର ବ୍ୟାଟିଂ କରିବା କଷ୍ଟକର....ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଏମିତି କହିଲେ କୋଚ୍
ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଏ ପର୍ଯ୍ୟନ୍ତ ମୋଟ୍ ୧୧୮ଟି ଆଇପିଏଲ୍ ମ୍ୟାଚ୍ ଖେଳା ଯାଇଛି। ଏଥିରୁ ୫୩ଟି ମ୍ୟାଚ୍ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଥିବା ବେଳେ ବିଜୟ ଲକ୍ଷ୍ୟ ପିଛା କରିଥିବା ଦଳ ୬୮ଟି ମ୍ୟାଚ୍ ଜିତିଛି। ପ୍ରଥମ ଇନିଂସରେ ହାରାହାରି ସ୍କୋର ୧୭୦ ରନ ରହିଛି। ଏହି ପିଚ୍ ଦ୍ରୁତ ବୋଲରଙ୍କୁ ବେଶ ସୁହାଇଥାଏ। କାରଣ ଏଠାକାର ପିଚ୍ କଳା ମାଟିରେ ପ୍ରସ୍ତୁତ ହୋଇଥାଏ। ୭୧ ପ୍ରତିଶତ ଓ୍ଵିକେଟ୍ ଦ୍ରୁତ ବୋଲରଙ୍କୁ ମିଳିଥିବା ବେଳେ ୨୯ ପ୍ରତିଶତ ଓ୍ଵିକେଟ୍ ସ୍ପିନରଙ୍କୁ ମିଳିଛି। ଏଥିରୁ ଅନୁମାନ କରି ପାରିବେ ଯେ, ମୁମ୍ବାଇ ଓ କୋଲକାତା ମଧ୍ୟରେ ହାଇସ୍କୋରିଂ ମୁକାବିଲା ଦେଖିବାକୁ ମିଳିପାରେ। ଉଭୟ ଦଳରେ ଅନେକ ବିସ୍ଫୋରକ ବ୍ୟାଟର ରହିଛନ୍ତି। ଓ୍ଵାଙ୍ଖେଡ଼େରେ ସୂର୍ଯ୍ୟକୁମାର ଯାଦବ ଅଲଗା ସ୍ତରରେ ବ୍ୟାଟିଂ କରିଥାନ୍ତି।
ମୁମ୍ବାଇ ଇଣ୍ଡିଆନ୍ସ ଏହି ମ୍ୟାଚ୍ ଜିତି ଚଳିତ ସିଜିନରେ ପ୍ରଥମ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପଟେ କୋଲକାତା ବିଜୟ ସହ ଲୟ ବଜାୟ ରଖିବାକୁ ଚେଷ୍ଟା କରିବ। ମୁମ୍ବାଇ ଓ କୋଲକାତା ମଧ୍ୟରେ ସର୍ବଦା ତୀବ୍ର ପ୍ରତିଦ୍ଵନ୍ଦ୍ଵିତା ଦେଖିବାକୁ ମିଳିଥାଏ। ମୁମ୍ବାଇ ଉପରେ ମ୍ୟାଚ୍ ଜିତିବାର ଚାପ ଅଧିକ ରହିବ। କାରଣ ମୁମ୍ବାଇ ଦଳ ନିଜର ଘରୋଇ ଗ୍ରାଉଣ୍ଡରେ ସିଜିନର ପ୍ରଥମ ମ୍ୟାଚ୍ ଖେଳିବାକୁ ଓହ୍ଲାଇବ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵରେ ଗତ ସିଜିନରେ ଦଳ ପ୍ଲେ ଅଫରେ ପହଞ୍ଚି ପାରି ନ ଥିଲା। ଏଥର ଦଳର ନଜର ଟପ୍ ୪ରେ ପହଞ୍ଚିବା ଉପରେ ରହିଛି।