ମୁମ୍ବାଇ: ଆଇପିଏଲ ୨୦୨୫ ମହାସମର । କୋଲକାତା ନାଇଟ୍ ରାଇଡର୍ସକୁ ମାତ୍ ଦେଲା ମୁମ୍ବାଇ ଇଣ୍ଡିଆନ୍ସ । ୧୧୭ ରନ୍ ଟାର୍ଗେଟକୁ ସହଜରେ ଜିତି ନେଇଛି ଏମଆଇ । ମାତ୍ର ୧୨.୫ ଓଭରରେ ଦୁଇଟି ଓ୍ବିକେଟ୍ ହରାଇ ବିଜୟ ହାସଲ କରିଛି । ଦୁଇଟି ମ୍ୟାଚ୍ ହାରିବା ପରେ ଚଳିତ ସିଜିନରେ ବିଜୟ ଖାତା ଖୋଲିଛି ଦଳ ।
ସୋମବାର ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବଲା ହୋଇଥିଲା । ଏମଆଇ ଟସ୍ ଜିତି ବ୍ୟାଟିଂ ପାଇଁ ପ୍ରଥମେ କେକେଆରକୁ ଆମନ୍ତ୍ରଣ କରିଥିଲା । ପଡିଆକୁ ଓହ୍ଲାଇଥିଲେ ଦୁଇ ଦକ୍ଷ ଓପନର କ୍ବିଣ୍ଟନ ଡି କକ୍ ଓ ସନିଲ ନାରିନ୍ । ହେଲେ ପ୍ରଥମ ଓଭରରେ ପ୍ରାରମ୍ଭିକ ଝଟକା ଦେଇଥିଲେ ଟେଣ୍ଟ ବୋଲ୍ଟ । ସେ ସୁନିଲ୍ ନାରିନଙ୍କ ଶିକାର କରିଥିଲେ । ପରେ ଦୀପକ ଚହର କ୍ବିଣ୍ଟନ ଡି କକ୍ଙ୍କୁ ଆଉଟ୍ କରି କେକେଆରକୁ ବ୍ୟାକ୍ ଫୁଟକୁ ଠେଲି ଦେଇଥିଲେ । ଏହା ପରେ ମୁମ୍ବାଇର ଡେବ୍ୟୁ ବୋଲରଙ୍କ ଯାଦୁ ଆରମ୍ଭ ହୋଇଥିଲା । ଯୁବ ବୋଲର ଅଶ୍ବନୀ କୁମାରଙ୍କ ଘାତ ବୋଲିଂରେ ମାଟି କାମୁଡିଛନ୍ତି ନାଇଟ୍ ରାଇଡର୍ସର ବ୍ୟାଟର । ଆଇପିଏଲର ପ୍ରଥମ ମ୍ୟାଚରେ ୪ଟି ଓ୍ବିକେଟ୍ ନେଇଥିଲେ ସେ । ଫଳରେ କୋଲକାତା ଦଳ କୋଡିଏ ଓଭରରେ ମାତ୍ର ୧୧୬ ରନ କରିବାକୁ ସକ୍ଷମ ହୋଇଥିଲା ।
ଦ୍ବିତୀୟ ଇନିଂସରେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ରୋହିତ୍ ଶର୍ମା ଓ ରିକେଲ୍ଟନ । ହେଲେ ହିଟ୍ ମ୍ୟାନ୍ ମାତ୍ର ୧୩ ରନ କରି ଆଉଟ୍ ହୋଇଥିଲେ । ଏହାପରେ ରିକେଲ୍ଟନ ଦମଦାର ଇନିଂସ ଖେଳିଥିଲେ । ସେ ମାତ୍ର ୪୧ ବଲରୁ ୬୨ ରନ ସଂଗ୍ରହ କରିଥିଲେ । ଏଥିରେ ଗୋଟିଏ ଚୌକା ଓ ୫ଟି ଛକା ରହିଛି । ଶେଷରେ ସୂର୍ଯ୍ୟକୁମାର ଯାଦବ ଆସି ୨୬ରନ ପାଳି ଖେଳିଥିଲେ । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ୧୨.୫ ଓଭରରେ ମ୍ୟାଚକୁ ଜିତି ନେଇଛି । ମୁମ୍ବାଇ ପକ୍ଷରୁ ଡେବ୍ୟୁଟାଣ୍ଟ ଅଶ୍ବନୀ କୁମାର ମ୍ୟାନ୍ ଅଫ୍ ଦି ପ୍ଲେୟାର ହୋଇଛନ୍ତି ।...