ଭୁବନେଶ୍ୱର ୧୦।୦୬ : ନିର୍ବାଚନୀ ସାଇଡ୍ ଇଫେକ୍ଟ । ପରାଜୟ ପରେ ପଦ ଛାଡୁଛନ୍ତି ହେଭିଓ୍ୱେଟ୍ । ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦ ଛାଡିଛନ୍ତି ବରିଷ୍ଠ ନେତା ଭକ୍ତ ଦାସ । ଏଆଇସିସି ସଭାପତିଙ୍କ ନିକଟକୁ ପଠାଇଲେ ନିଜର ଇସ୍ତଫା ପତ୍ର ।
ଖବର ଅନୁଯାୟୀ, ସରିଛି ୨୦୨୪ ସାଧାରଣ ନିର୍ବାଚନ । ଓଡିଶାରେ ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ କଂଗ୍ରେସ ଆଶା ଅନୁସାରେ ପ୍ରଦର୍ଶନ କରିପାରିନାହିଁ । ୨୦୨୪ ନିର୍ବାଚନରେ ମାତ୍ର ଜଣେ ସାଂସଦ ଏବଂ ୧୪ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି । ଚଳିତ ନିର୍ବାଚନରେ ଦଳ ଅଧିକରୁ ଅଧିକ ସିଟ୍ ଜିତିବ ବୋଲି ଦାବି କରୁଆସୁଥିଲା । ହେଲେ ଏହି ପ୍ରଚାରରେ ସଫଳ ହୋଇନଥିଲା କଂଗ୍ରେସ । ପୂର୍ବ ନିର୍ବାଚନ ଅପେକ୍ଷା ବିଧାନସଭାରେ ଦଳର ସିଟ୍ ସଂଖ୍ୟା ବଢିଛି ଏବଂ ନିର୍ବାଚନରେ ଭୋଟ ପ୍ରତିଶତ ବଢିଛି । ହେଲେ ଅଧିକ ସିଟ୍ ଜିତିବାରେ ସକ୍ଷମ ହୋଇନଥିଲା ଦଳ ।
ତେବେ ନିର୍ବାଚନ ପରେ ଆରମ୍ଭ ହୋଇଛି ପଦପଦବୀ ଛାଡିବା ନୀତି । ପ୍ରଦେଶ କଂଗ୍ରେସ କମିଟି ପ୍ରଚାର କମିଟି ଅଧ୍ୟକ୍ଷ ପଦ ଛାଡିଛନ୍ତି ବରିଷ୍ଠ ନେତା ଭକ୍ତ ଦାସ । ଏନେଇ ସେ ଏକ ଚିଠି ଜରିଆରେ ଏଆଇସିସି ସଭାପତିଙ୍କୁ ଜଣାଇଛି । ୨୨ ମାର୍ଚ୍ଚ ୨୦୨୪ରେ ଦଳ ଦେଇଥିବା ଦାୟିତ୍ୱରୁ ମୁକ୍ତ ହୋଇଛନ୍ତି ଭକ୍ତ ଦାସ ।