ଭରତପୁର ଥାନା ବିବାଦ ମାମଲା, ସମସ୍ତଙ୍କୁ ହାଜର ହେବା ପାଇଁ ନୋଟିସ୍

Published By : Prameya-News7 Bureau | November 14, 2024 IST

News7

ଭୁବନେଶ୍ୱର ୧୪।୧୧ : ଭୁବନେଶ୍ୱର ଭରତପୁର ଥାନାରେ ପୋଲିସ-ସେନା ଅଫିସର ବିବାଦ ମାମଲା । ଘଟଣାରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତି ଥିବା ସମସ୍ତଙ୍କୁ ହାଜର ପାଇଁ ତଦନ୍ତ କମିଶନଙ୍କ ନୋଟିସ । ସକାଳ ୧୦ଟା ୩୦ ସୁଦ୍ଧା କମିଶନଙ୍କ ନିକଟରେ ହାଜର ହେବା ପାଇଁ ନୋଟିସ ହୋଇଛି । 

ନୋଟିସ ଅନୁସାରେ, ଗୁରୁବାର ଦିନ କମିଶନଙ୍କ ନିକଟରେ ହାଜର ହେବେ ସମସ୍ତ ନିଲମ୍ବିତ ୫ ପୋଲିସ କର୍ମଚାରୀ । ଏହି ପୋଲିସ କର୍ମଚାରୀଙ୍କ ମଧ୍ୟରେ ଭରତପୁରର ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର ମଧ୍ୟ ଅଛନ୍ତି । ସେନା ଅଫିସର ଏବଂ ତାଙ୍କ ବାନ୍ଧବୀଙ୍କୁ ହାଜର ହେବାକୁ ମଧ୍ୟ ନୋଟିସ୍‌ ହୋଇଛି ।  ଏହାସହ ରାସ୍ତାରେ ଆକ୍ରମଣ କରିଥିବା ଯୁବକଙ୍କୁ ମଧ୍ୟ ହାଜର ହେବା ପାଇଁ ନୋଟିସ୍‌ ହୋଇଛି । ସମସ୍ତ ବ୍ୟକ୍ତିଗତ ଭାବେ କିମ୍ବା ଓକିଲ ଜରିଆରେ କମିଶନଙ୍କ ନିକଟରେ ହାଜର ହେବା ପାଇଁ ନୋଟିସରେ ଦର୍ଶାଯାଇଛି । ସକାଳ ୧୦ଟା ୩୦ ସୁଦ୍ଧା କମିଶନଙ୍କ ନିକଟରେ ହାଜର ହେବେ ସମସ୍ତେ । 

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ପୁରୁଷ ବନ୍ଧୁଙ୍କ ସହ ତାଙ୍କ ବାନ୍ଧବୀ ରାତି ୧ଟା ବେଳେ ଅଭିଯୋଗ କରିବାକୁ ଯାଇଥିବା ବେଳେ ପୋଲିସ ଆକ୍ରମଣ କରିବା ସହ ଥାନା ଆଇଆଇସିଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଘଟଣାରେ ତତ୍କାଳୀନ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଜାରି ରଖିଛି । ଏହାସହ ଘଟଣାର ତ୍ୱରିତ ତଦନ୍ତ ପାଇଁ ତଦନ୍ତ କମିଶନ ମଧ୍ୟ ଗଠନ କରାଯାଇଛି। 

ଭରତପୁର ଥାନା ବିବାଦ ମାମଲାର ଶୁଣାଣି : ମାର୍ଚ୍ଚ ୩୧ ସୁଦ୍ଧା ସବୁ ଥାନାରେ CCTV ଲଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.