CEC ମନୋନୟନରେ ବଡ଼ ପରିବର୍ତ୍ତନ, ଏବେ ୫ଟି ନାମରୁ ହେବ ଚୟନ, ଇସ୍ତଫା ଦେବେ ରାଜୀବ କୁମାର

Published By : Prameya-News7 Bureau | January 11, 2025 IST

ନୂଆଦିଲ୍ଲୀ ୧୧।୧: ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ପଦବୀ ନିମନ୍ତେ ନିଯୁକ୍ତି ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପରମ୍ପରାଗତ ଭାବେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଉତ୍ତରାଧିକାରୀଙ୍କୁ ପରବର୍ତ୍ତି ବରିଷ୍ଠତମ ନିର୍ବାଚନ ଆୟୁକ୍ତ ପଦବୀକୁ ପଦୋନ୍ନତୀ ଦିଆଯାଉଥିଲା। ହେଲେ ୨୦୨୩ରେ ପ୍ରସ୍ତୁତ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଅନ୍ୟ ନିର୍ବାଚନ ଆୟୁକ୍ତମାନଙ୍କ (ନିଯୁକ୍ତି, ସେବା ସର୍ତ୍ତ ଓ ପଦର କାର୍ଯ୍ୟକାଳ) ନିଯୁକ୍ତି ଅଧିନିୟମକୁ ଅଧିକ ବ୍ୟାପକ ଓ ନମନିୟ କରାଯାଇଛି। 

ଏବେକା ସିଇସି ରାଜୀବ କୁମାର ଫେବୃଆରୀ ୧୮ ତାରିଖରେ ତାଙ୍କ ପଦରୁ ଇସ୍ତଫା ଦେବେ। ନିର୍ବାଚନ ଆୟୋଗରେ ସିଇସିଙ୍କ ସହିତ ଅନ୍ୟ ୨ ଜଣ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଓ ସୁଖବୀର ସନ୍ଧୁ ମଧ୍ୟ ଅଛନ୍ତି। ଏଥି ପାଇଁ ଜ୍ଞାନେଶ କୁମାର ସିଇସି ପଦବୀ ନିମନ୍ତେ ସମ୍ଭାବିତ ପ୍ରାର୍ଥୀ ହୋଇ ପାରନ୍ତି। କିନ୍ତୁ ନୂଆ ବ୍ୟବସ୍ଥା ଅନୁସାରେ ଏବେ ମନୋନୟନ କମିଟିଙ୍କୁ ସିଇସି ବାଛିବା ପାଇଁ ୫ଟି ନାମ ଦିଆଯିବ।  ଏଥରୁ ମନୋନୟନ କମିଟି ଜଣକୁ ବାଛିବେ। 

ନୂଆ ବ୍ୟବସ୍ଥା ଅନୁସାରେ ଆଇନ ମନ୍ତ୍ରାଳୟ ଏଥି ପାଇଁ ଏକ ‘ସର୍ଚ୍ଚ କମିଟି’ ଗଢିବେ। ଏହି କମିଟି ପ୍ୟାନେଲ ତିଆରି କରିବେ। ଏହି କମିଟିର ଅଧ୍ୟକ୍ଷ ନିଜେ ଆଇନ ମନ୍ତ୍ରୀ ରହିବେ। ଏଥିରେ ୨ଜଣ ଅନ୍ୟ ସଦସ୍ୟ ସାମିଲ ହେବେ ଯେଉଁମାନେ ଭାରତ ସରକାରଙ୍କ ସଚୀବ ସ୍ତରୀୟ ଅଧିକାରୀ ହୋଇଥିବେ। ଏହି ପ୍ୟାନେଲକୁ ପୁଣି ଚୟନ କମିଟି ସମକ୍ଷରେ ରଖାଯିବ, ଯେଉଁଥିରେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବିରୋଧୀ ଦଳ ନେତା ସାମିଲ ହେବେ। ଚୟନ କମିଟି ପ୍ୟାନେଲରୁ କୌଣସି ଗୋଟିଏ ନାମକୁ ବାଛି ପାରିବେ ଅଥବା କୌଣସି ବାହାରର ବ୍ୟକ୍ତିଙ୍କ ନାମକୁ ମଧ୍ୟ ବିଚାରକୁ ନେଇ ପାରିବେ। 

ଏପରି ପରିବର୍ତ୍ତନର ଉଦ୍ଦେଶ୍ୟ ନିର୍ବାଚନ ଆୟୋଗର ପାରଦର୍ଶିତା ଓ ନିରପେକ୍ଷତା ରକ୍ଷା କରିବା। ବିରୋଧୀ ଦଳମାନେ ନିର୍ବାଚନ ଆୟୋଗଙ୍କ ନିରପେକ୍ଷତା ଉପରେ ପ୍ରାୟତଃ ପ୍ରଶ୍ନ ଉଠାଉଛନ୍ତି। ଏଣୁ ଏଥିରେ ଏପରି ପରିବର୍ତ୍ତନ କରାଯାଇଛି। ତେବେ ପୂର୍ବତନ ସିଇସି ଓ.ପି. ରାବତ ଏହି ପରିବର୍ତ୍ତନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ଏହା ଦ୍ୱାରା ନିର୍ବାଚନ ଆୟୋଗଙ୍କ ବିଶ୍ୱସନୀୟତା ଉପରେ ପ୍ରଭାବ ପଡିପାରେ, ଖାସ କରି ଯଦି ସରକାର ବଦଳିବା ପରେ ସିଇସିଙ୍କ ଚୟନ ନିୟମ ବଦଳି ଯାଏ। ଏହା ଦ୍ୱାରା ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିର ସ୍ୱାଧୀନତା ଉପରେ ପ୍ରଭାବ ପଡିପାରେ। 

ବିରୋଧୀ ଦଳମାନେ ଓ କେତେକ ପୂର୍ବତନ ନିର୍ବାଚନ ଅଧିକାରୀ ଏହି ନୂଆ ପରିବର୍ତ୍ତନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେମାନେ ଭାବୁଛନ୍ତି ଆୟୋଗଙ୍କ ନିରପେକ୍ଷତା କୁ ପ୍ରଭାବିତ କରିପାରେ। ଏଣୁ ନୂଆ ଆଇନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ ଦାଖଲ ହୋଇଛି। ଏହା ଉପରେ ଫେବୃଆରୀ ୨୦୨୫ରେ ଶୁଣାଣି ହେବ। ଯେଉଁଥିରେ ସିଇସି ଚୟନରେ ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ବହିଷ୍କରଣ ଉପରେ ବିଶେଷ ଧ୍ୟାନ ଦିଆଯିବ। 

ତେବେ ଏହି ପରିବର୍ତ୍ତନ ସୁପ୍ରିମକୋର୍ଟଙ୍କ ସୁରାରିଶ ଆଧାରରେ କରାଯାଇଥିଲା। ୨୦୧୫-୨୦୨୨ ମଧ୍ୟରେ ରୁଜୁ ଆବେଦନର ବିଚାର କରି ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ବାଚନ ଆୟୁକ୍ତ ନିଯୁକ୍ତିରେ ପୂର୍ଣ୍ଣ ଅଧିକାର ନ ରଖିବାକୁ ପରାମର୍ଶ ଦେଇଥିଲେ। ମାର୍ଚ୍ଚ ୨୦୨୩ରେ କୋର୍ଟ ରାୟ ଦେଇଥିଲେ ଯେ ସିଇସି ଓ ଅନ୍ୟ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ରାଷ୍ଟ୍ରପତିଙ୍କ ଦ୍ୱାରା କରାଯିବ ଓ ଏଥି ପାଇଁ ଏକ ଚୟନ କମିଟି ଗଠନ କରାଯିବ। ଏହି ଚୟନ କମିଟିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ଭାରତର ମୁଖ୍ୟ ନ୍ୟାୟାଧୀଶ ସାମିଲ ରହିବେ। ତେବେ ନୂଆ ଆଇନରେ ସିଜେଆଇଙ୍କୁ ସିଇସି ଚୟନ କମିଟିରୁ ହଟାଇ ଦିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.