ଆମେରିକାରେ ସୁନା ଓ ରୂପା ଦର ହ୍ରାସ, ଭାରତରେ ବି ହେବ ଶସ୍ତା

Published By : Prameya-News7 Bureau | July 25, 2024 IST

ନୂଆଦିଲ୍ଲୀ :  ଆମେରିକାର ନ୍ୟୁୟର୍କ କମଡିଟି ବଜାରରେ ଗୁରୁବାର ସୁନା ଓ ରୂପା ଦର ଦୁଇ ସପ୍ତାହର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। ଏହାର ପ୍ରଭାବ ଏବେ ଭାରତୀୟ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି। ନ୍ୟୁୟର୍କ କମଡିଟିର ତାଜା  ଦର ଅନୁସାରେ ଆମେରିକାରେ ସୁନା ମୂଲ୍ୟ ୨ ପ୍ରତିଶତରୁ ଅଧିକ ହ୍ରାସ ସହ ଆଉନ୍ସ ପିଛା ୨,୩୬୫ ଡଲାରରେ କାରବାର ହେଉଛି। ସେହିପରି ରୂପା ମଧ୍ୟ ୪ ପ୍ରତିଶତ ହ୍ରାସ ସହ ଆଉନ୍ସ ପିଛା ୨୮ ଡଲାରରେ କାରବାର ହେଉଛି। 

ଆମେରିକା କମଡିଟି ବଜାରର ଦର ଏବେ ଭାରତୀୟ ବଜାରମାନଙ୍କରେ ମଧ୍ୟ ଅନୁଭୂତ ହେଲାଣି। ଫଳରେ ଭାରତୀୟ ବଜାରରେ ସୁନା ଦର ପାଖାପାଖି ୨ ପ୍ରତିଶତ ହ୍ରାସ ହୋଇଛି। ଏଣୁ୧୦ ଗ୍ରାମ ପିଛା ସୁନା ଦର ଏବେ ୭୦ ହଜାରରୁ ତଳକୁ ଖସିଛି। ଏଥିରୁ ଆଗାମୀ ସମୟରେ ସୁନା ଦର ଆହୁରି ହ୍ରାସ ହୋଇପାରେ ବୋଲି ଅନୁମାନ କରାଯାଉଛି।  ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ସୁନା ଦର ୧.୭୮ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇ ୧୦ ଗ୍ରାମ ପିଛାମୂଲ୍ୟ ୬୮,୧୦୫ ଟଙ୍କାକୁ ପହଞ୍ଚି ଯାଇଛି। 

ଏହା ପୂର୍ବରୁ ଦରରେ ୧ ହଜାର ଟଙ୍କା ହ୍ରାସ ହୋଇ ୧୦ ଗ୍ରାମ ପିଛା ମୂଲ୍ୟ୭୦,୬୫୦ ହୋଇଯାଇଥିଲା। ବୁଧବାର ବଜାର ବନ୍ଦ ବେଳକୁ ସୁନା ୧୦ଗ୍ରାମ ପିଛା ଦର ୭୧,୬୫୦ଟଙ୍କାରେ ବନ୍ଦ ହୋଇଥିଲା। ଦିଲ୍ଲୀରେ ଲଗାତାର ତୃତୀୟ ଦିନ ୯୯.୯ ପ୍ରତିଶତ ଓ ୯୯.୫ ପ୍ରତିଶତ ଶୁଦ୍ଧ ସୁନା ଦରରେ ୧ ହଜାର ଟଙ୍କା ହ୍ରାସ ସହ ୭୦,୬୫୦ ଓ ୭୦,୩୦୦ ଟଙ୍କାରେ କାରବାର ହେଉଛି। କେବଳ ସୂନା ନୁହେଁ ଭାରତୀୟ ବଜାରରେ ରୂପା ମଧ୍ୟ ଚମକ ହରାଇଛି। କେଜି ପିଛା ଦରରେ ୩,୫୦୦ ଟଙ୍କା ହ୍ରାସ ହୋଇଥିବା ବେଳେ ରୂପା କେଜି ଏବେ ୮୪ ହଜାର ଟଙ୍କାରେ କାରବାର ହେଉଛି। 

୨୩ ଜୁଲାଇରୁ ଏ ପର୍ଯ୍ୟନ୍ତ ସୁନା ଦର ପାଖାପାଖି ୫ ହଜାର ଟଙ୍କା ହ୍ରାସ ହେଲାଣି। ଜୁଲାଇ ୨୩ ତାରିଖ ଦିନ ସୁନା ୧୦ ଗ୍ରାମ ପିଛା ଦର ୩,୩୫୦ ଟଙ୍କା ହ୍ରାସ ହୋଇ ୭୨,୩୦୦ ଟଙ୍କାକୁ ଆସିଥିଲା। ଯାହାକୁ ଏବେ ବର୍ଷର ସବୁଠୁ ବଡ଼ ହ୍ରାସ ବୋଲି କୁହାଯାଉଛି। ମଙ୍ଗଳବାର ସରକାର କେନ୍ଦ୍ର ବଜେଟରେ ସୁନା ଓ ରୂପା ସହିତ ଅନେକ ଉତ୍ପାଦ ଉପରେ ସୀମା ଶୁଳ୍କ ହ୍ରାସ କରିବାକୁ ଘୋଷଣା କରିଥିଲେ। ସୁନା ଓ ରୂପା ସୀମା ଶୁଳ୍କ ୧୫ ପ୍ରତିଶତରୁ ହ୍ରାସ କରି ୬ ପ୍ରତିଶତ ରଖାଯାଇଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.