ନୂଆଦିଲ୍ଲୀ: ଅକ୍ଟୋବର ୧୨ରେ ବାବା ସିଦ୍ଦିକିଙ୍କୁ ହତ୍ୟା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଏନସିପି ନେତାଙ୍କୁ ତାଙ୍କ ନିଜ ପୁଅର କାର୍ଯ୍ୟାଳୟ ବାହାରେ ହିଁ ଗୁଳି ମାରି ହତ୍ୟା କରିବା ଘଟଣା ସାରା ଦେଶରେ ଆଲୋଡ଼ ସୃଷ୍ଟି କରିଥିଲା। ଆଉ ଏହି ହତ୍ୟା ପଛରେ ମୁଖ୍ୟ କାର୍ପଟଦାର ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ୍ ଜଣାପଡ଼ିବା ପରେ ଚର୍ଚ୍ଚା ଆହୁରି ବଢ଼ିଯାଇଥିଲା। ଅବଶ୍ୟ ଘଟଣାରେ ସଂପୃକ୍ତ ଥିବା କିଛି ଅଭିଯୁକ୍ତ ଧରାପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ବୁଧବାର ଗିରଫ ହୋଇଥିବା ୨୩ ବର୍ଷୀୟ ଅଭିଯୁକ୍ତ ଗୌରବ ବିଲାସର ବଡ଼ ବୟାନ ସାମ୍ନାକୁ ଆସିଛି। ସେ କହିଛି ବାବା ସିଦ୍ଦିକିକୁ ମାରିବା ପାଇଁ ପ୍ଲାନ ବି ପ୍ରସ୍ତୁତ ରହିଥିଲା।
ସୂଚନା ଅନୁଯାୟୀ, ଗୌରବ ବିଲାସକୁ ବୁଧବାର ଗିରଫ କରାଯାଇଥିଲା। ସେ ଏହି ମାମଲାରେ ଜଡ଼ିତ ୧୬ ତମ ଅଭିଯୁକ୍ତ। ପଚରା ଉଚରାରେ ସେ ପୋଲିସକୁ କହିଛି ଯେ, ଗୁଳି ଚଳାଇବା ଅଭ୍ୟାସ ପାଇଁ ସେ ଝାଡ଼ଖଣ୍ଡ ଯାଇଥିଲା।
ସେଠାରୁ ଫେରିବା ପରେ ସେ ଓ୍ବାଣ୍ଟେଡ ଥିବା ଅଭିଯୁକ୍ତ ଶୁଭମ ଲୋନକର ଏବଂ ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତ କନୌଜିୟାର ଯୋଗାଯୋଗରେ ଥିଲା। ମାଷ୍ଟରମାଇଣ୍ଡ ଏ ଦୁହିଁଙ୍କୁ ମଧ୍ୟ ଝାଡ଼ଖଣ୍ଡ ପଠାଇଥିଲା।
ମୁମ୍ବାଇ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୌରବ ଏବଂ ଅନ୍ୟ ଅଭିଯୁକ୍ତ ମୋହୋଲ ୨୮ ଜୁଲାରେ ଝାଡ଼ଖଣ୍ଡ ଯାଇଥିଲେ। ସେଠାରେ ଗୋଟିଏ ଦିନ ସେମାନଙ୍କର ଟ୍ରେନିଂ ହୋଇଥିଲା। ଏହା ପରଦିନ ସେମାନେ ପୁଣେ ଫେରିଆସିଥିଲେ। ଉଭୟ ଲୋନକରର ଯୋଗାଯୋଗରେ ରହିଥିଲେ। ଝାଡ଼ଖଣ୍ଡ ଯିବା ପୂର୍ବରୁ ଗୌର ନିଜ ପରିବାର ଲୋକଙ୍କୁ କହିଥିଲା ଯେ, ସେ ଜଣେ ବନ୍ଧୁଙ୍କୁ ଦେଖାକରିବାକୁ ଉଜ୍ଜୈନ ଯାଉଛନ୍ତି। ଯାଞ୍ଚରେ ଜଣାପଡ଼ିଛି ଯେ, ବିଶ୍ନୋଇ ଗ୍ୟାଙ୍ଗ ପ୍ଲାନ ଅନୁଯାୟୀ, ୬ ସୁଟରଙ୍କୁ ନିୟୋଜିତ କରିଥିଲା।
ଗିରଫ ଅଭିଯୁକ୍ତ କହିଛି ଯେ, ଲୋନକର ତାଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ କହିଥିଲା। ଏହା ବାଦ୍ ଦୁବାଇ ଟ୍ରିପ, ଗୋଟିଏ ଫ୍ଲାଟ୍ ଏବଂ ଗାଡ଼ି ଦେବ ବୋଲି ମଧ୍ୟ କହିଥିଲା। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇର ସାନ ଭାଇ ଅନମୋଲ ବିଶ୍ନୋଇର ମଧ୍ୟ ଏହି ହତ୍ୟାରେ ହାତ ଥିଲା। ଗତ ମାସରେ ଅନମୋଲକୁ ଏନଆଇଏ ନିଜ ଓ୍ବାଣ୍ଟେଡ ତାଲିକାରେ ସାମିଲ କରାଯାଇଥିଲା ଏବଂ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି। ତା’ ନାଁରେ ଅନ୍ୟ ରାଜ୍ୟ ମଧ୍ୟ ଅନେକ ମାମଲା ରହିଛି।