ରିଟାୟରମେଣ୍ଟ ପରେ କେଉଁ ପଦବୀକୁ ଯିବେ CJI? ଫାରୱେଲ ସଭାରେ ଜଣାଇ ଦେଲେ ଓକିଲ, ଚନ୍ଦ୍ରଚୂଡ଼ ଚକିତ

Published By : Prameya-News7 Bureau | November 08, 2024 IST

ନୂଆଦିଲ୍ଲୀ ୮।୧୧: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କ ସୁପ୍ରିମକୋର୍ଟରେ ଶୁକ୍ରବାର ଶେଷ କାର୍ଯ୍ୟଦିବସ ଥିଲା। ସେ ନଭେମ୍ବର ୧୦ ତାରିଖରେ ରିଟାୟର ହେବେ। ଏଣୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ ନିମନ୍ତେ କୋର୍ଟରେ ଶୁକ୍ରବାର ଏକ ସେରେମୋନିୟଲ ବେଞ୍ଚ ବସିଥିଲା। ଏହି ବେଞ୍ଚର ଲାଇଭ ଷ୍ଟ୍ରିମିଂ ମଧ୍ୟ କରାଯାଇଛି। ସିଜେଆଇଙ୍କ ବିଦାୟ ସମ୍ବର୍ଦ୍ଧନାରେ ଅନେକ ଜଜ୍ ଏବଂ ଓକିଲ ଚନ୍ଦ୍ରଚୂଡ଼ଙ୍କ ପ୍ରଶଂସା କରିଛନ୍ତି। 

ଏହି ଅବସରରେ ନାନୀ ପାଲକୀୱାଲା ଲ କ୍ଲବର ଜନୈକ ସଦସ୍ୟ ଓକିଲ ଚନ୍ଦ୍ରଚୂଡ଼ଙ୍କୁ ରିଟାୟରମେଣ୍ଟ ପରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ୍ (ଆଇସିଜେ)ରେ ପଦବୀ ସମ୍ଭାଳିବାକୁ ଯାଉଥିବାରୁ ଅଭିନନ୍ଦନ ଜଣାଇଥିଲେ। ଏହା ଶୁଣି ସିଜେଆଇ ଚନ୍ଦ୍ରଚୂଡ଼ ଆବାକ ହୋଇ ଯାଇଥିଲେ ଓ ସାଥୀ ଜଜ୍ ମାନଙ୍କ ଆଡକୁ ଆଶ୍ଚର୍ଯ୍ୟଭରା ନଜରରେ ଅନାଇ ପଚାର ଥିଲେ କ’ଣ? ଉଲ୍ଲେଖଯୋଗ୍ୟ ଯେ ସିଜେଆଇଙ୍କୁ ନେଇ ଅନେକ ପ୍ରକାରର ଅଟକଳ କରାଯାଉଛି ଯେ ସେ ରିଟାୟରମେଣ୍ଟ ପରେ କେଉଁ ପଦବୀ ସମ୍ଭାଳିବେ?

ଚନ୍ଦ୍ରଚୂଡ଼ଙ୍କୁ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ର ଅଧ୍ୟକ୍ଷ କରାଯିବାର ମଧ୍ୟ ଚର୍ଚ୍ଚା ହେଉଛି, କାରଣ ଜୁନ ୨୦୨୪ରୁ ଏହି ପଦବୀ ଖାଲି ପଡିଛି। ତେବେ ଏହି ଅବସରରେ ଆଡିସନାଲ ସୋଲିସିଟର ଜେନେରାଲ ଏନ.ଭେଙ୍କଟରମଣ ଆପଣ ଆପଣଙ୍କ ସ୍ୱଭାବ ପାଇଁ ଫାଇଭ-ସି ଭାବେ ଜଣାଯିବେ ବୋଲି କହିଥିଲେ। ଏହା ପରେ ସେ ଫାଇଭ-ସିର ଆକ୍ଷରିକ ଅର୍ଥ ମଧ୍ୟ ବ୍ୟାଖ୍ୟା କରିଥିଲେ। ସେହିପରି ଏଏସଜି ରାଜୁ କହିଛନ୍ତି ଆପଣ ସର୍ବଦା ଆପଣଙ୍କ ନିଷ୍ପତ୍ତି ଓ ଭାଷଣ ପାଇଁ ମନେ ରହିବେ। 

ଏହି ଅବସରରେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଉତ୍ତରାଧିକାରୀ ଜଷ୍ଟିସ୍ ସଞ୍ଜୀବ ଖନ୍ନା ଆପଣ ମୋର କାମକୁ ଉଭୟ ସହଜ ଓ କଷ୍ଟକର କରିଦେଇଛନ୍ତି ବୋଲି କହିଥିଲେ। ସହଜ ଏଥି ପାଇଁ ଯେ ଆପଣ ଅନେକ ପରିବର୍ତ୍ତନ କରିଛନ୍ତି ଓ କଷ୍ଟକର ଏଥି ପାଇଁ ଯେ ସେ ସବୁକୁ ସେହି ଗତିରେ ମୁଁ ଜାରି ରଖି ନ ପାରେ। ସେ କହିଥିଲେ ଯେ ଆପଣଙ୍କ ଅଭାବ ସର୍ବଦା ଆମେ ଅନୁଭବ କରିବୁ। ଏହି ଅବସରରେ ଜଷ୍ଟିସ୍ ଖନ୍ନା କହିଥିଲେ ଯେ ଆପଣଙ୍କ ଯୌବନର ଚର୍ଚ୍ଚା କେବଳ ଏଠି ନୁହେଁ ବିଦେଶରେ ମଧ୍ୟ ହୁଏ। ଅଷ୍ଟ୍ରେଲିଆରୁ ଆସିଥିବା ଲୋକେ ମୋତେ ପଚାରିଥିଲେ ତାଙ୍କ ବୟସ କେତେ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.