ନୂଆଦିଲ୍ଲୀ ୧୪।୧୧: ବିଶ୍ୱର ତୃତୀୟ ସର୍ବ ବୃହତ୍ତ ଅଶୋଧିତ ତୈଳ ଆମଦାନୀକାରୀ ଭାରତ ଆଶା କରୁଛି ଆମେରିକା ଓ କାନାଡା ଭଳି ପାଶ୍ଚାତ୍ୟ ଦେଶ ଅଧିକ ତୈଳ ଉତ୍ପାଦନ କରନ୍ତୁ। ଏହା ଦ୍ୱାରା ବଜାରରେ ଶାନ୍ତି ରହିବା ସହିତ ମୂଲ୍ୟରେ ମଧ୍ୟ ସ୍ଥିରତା ଆସିବ। ଏହା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ। ଗୁରୁବାର କନଫେଡରେସନ ଅଫ ଇଣ୍ଡିଆଇ ଇଣ୍ଡଷ୍ଟ୍ରି (ସିଆଇଆଇ)ର ଦ୍ୱାଦଶ ପିଏସଇ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ସେ ଏହା କହିଛନ୍ତି।
ପୁରୀ କହିଛନ୍ତି ଯେ ପଶ୍ଚିମ ଗୋଲାର୍ଦ୍ଧର ଦେଶମାନେ ଏବେ ଅଧିକ ଉତ୍ପାଦନ କରୁଛନ୍ତି। ଏଣୁ ପେଟ୍ରୋଲିୟମ ରପ୍ତାନୀକାରୀ ଦେଶଙ୍କ ସଙ୍ଗଠନ ‘ଓପେକ’ ମଧ୍ୟ ଉତ୍ପାଦନ ବୃଦ୍ଧି କରିବାକୁ ବାଧ୍ୟ ହୋଇପାରେ। ଏହା ଦ୍ୱାରା ସେମାନଙ୍କର ଅଧିକ ଉପାର୍ଜନ ହୋଇ ପାରିବ। ତୈଳ ଦର ତଳ ଉପର ହେବା ଆବଶ୍ୟକତା ପୂରଣ ପାଇଁ ଆମଦାନୀ ଉପରେ ନିର୍ଭର କରୁଥିବା ଅର୍ଥ ବ୍ୟବସ୍ଥାଙ୍କୁ ସମସ୍ୟାରେ ପକାଉଛି। କାରଣ ଏହା ନା କେବଳ ଇନ୍ଧନ କ୍ରୟ ପାଇଁ ଅତିରିକ୍ତ ଖର୍ଚ୍ଚ କରିବାକୁ ପଡୁଛି ବରଂ ଏହା ଯୋଗୁ ମୁଦ୍ରାସ୍ପିତି ମଧ୍ୟ ପ୍ରଭାବିତ ହେଉଛି।
ସେ କହିଛନ୍ତି ଯେ ଆଜି ବୈଶ୍ୱିକ ବଜାରକୁ ପଶ୍ଚିମ ଗୋଲାର୍ଦ୍ଧାରୁ ଅଧିକ ଉତ୍ପାଦନ ଆସୁଛି। ବ୍ରାଜିଲ, ଗୁଏନା, କାନାଡା ଓ ଆମେରିକା ଅଧିକ ଉତ୍ପାଦନ କରୁଛନ୍ତି। ଅଧିକରୁ ଅଧିକ ତେଲ ଆସୁଥିବାରୁ ଆଶା କରାଯାଉଛି ବଜାରର ପରିସ୍ଥିତି ଶାନ୍ତ ପଡିବ। ପୁରୀ କହିଛନ୍ତି ଯେ ଏହା ଦ୍ୱାରା କିଛିକାଂଶରେ ସେହି ଉତ୍ପାଦକଙ୍କୁ ଲାଭ ହେବ ଯେଉଁମାନେ ତୈଳ ଉତ୍ପାଦନ କାଟ କରିଛନ୍ତି, ଯାହା ଦ୍ୱାରା ଅଧିକ ରାଜସ୍ୱ ଅର୍ଜନ କରିବା ଲାଗି ଅଧିକ ଉତ୍ପାଦନ କରାଯାଇ ପାରିବ।
ଅଶୋଧିତ ତୈଳ ରପ୍ତାନୀକାରୀ ଦେଶଙ୍କ ସଙ୍ଗଠନ ଓ ଋଷିଆ ନେତୃତ୍ୱାଧୀନ ସଙ୍ଗଠନ ଓପେକ ପ୍ଲସ୍ ୨୦୨୨ ଶେଷ ସମୟରୁ ମୂଲ୍ୟ ବଢାଇବା ଓ ଚାହିଦା ପୂରଣ କରିବା ପାଇଁ ଉତ୍ପାଦନ ହ୍ରାସ କରିଛନ୍ତି। ଓପେକ ପ୍ଲସ ସଦସ୍ୟମାନେ ବର୍ତ୍ତମାନ ମୋଟ ୫୮.୬ ଲକ୍ଷ ବ୍ୟାରଲ ପ୍ରତିଦିନ ଅର୍ଥାତ ବୈଶ୍ୱିକ ଚାହିଦାର ୫.୭ ପ୍ରତିଶତ ଉତ୍ପାଦନ କାଟ କରିଛନ୍ତି। ତେବେ ପୁରୀ କହିଛନ୍ତି ଯେ ଓପେକ୍ ପ୍ଲସ୍ ଦେଶମାନେ ଉତ୍ପାଦନ ହ୍ରାସ ଲାଗି ନିଷ୍ପତ୍ତିକୁ ଏବେ ସକ୍ରିୟତାର ସହ ବିଚାର କରୁଛନ୍ତି। ମାସେ ଅଥବା ୨ ମାସ ମଧ୍ୟରେ ପ୍ରସଙ୍ଗରେ ସେମାନେ ନିଷ୍ପତ୍ତି ନେଇ ପାରନ୍ତି।