ଶିକ୍ଷା ଅଧିକାରୀଙ୍କ ନୋଟ୍ ଦେଖି ହୋସ୍ ଉଡ଼ିଲା; ବେଡ୍ ତଳେ ବିଡ଼ା ବିଡ଼ା ଟଙ୍କା, ଗଣିବା ପାଇଁ ଆସିଲା ମେସିନ୍

Published By : Prameya-News7 Bureau | January 23, 2025 IST

ପାଟନା: ଜିଲ୍ଲା ଶିକ୍ଷାଧିକାରୀଙ୍କ ଘରେ ପୁଳା ପୁଳା ଟଙ୍କା । ନୋଟ୍ ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଉଡ଼ିଗଲା ହୋସ୍ । ଟଙ୍କା ହାତରେ ଗଣି ପାରିଲେନାହିଁ, ଶେଷରେ ମେସିନ୍ ମଗାଇବାକୁ ପଡ଼ିଲା । ବିହାରରୁ ସାମ୍ନାକୁ ଆସିଛି ଏଭଳି ଦୃଶ୍ୟ । ବେତିହା ଜିଲ୍ଲାର ଶିକ୍ଷା ଅଧିକାରୀ ରଜନୀକାନ୍ତ ପ୍ରବୀଣଙ୍କ ଘରେ ଗୁରୁବାର ଭିଜିଲାନ୍ସ ରେଡ୍ ମାରିଥିଲା । ଏହି ଚଢ଼ାଉ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିଲା ।  ମାତ୍ର ରେଡ୍ ବେଳେ ଡିଇଓଙ୍କ ଘରୁ ପୁଳା ପୁଳ ନଗଦ ଟଙ୍କା ମିଳିଛି । ତାଙ୍କ ଶୋଇବା ବେଡ୍ ତଳେ ବିଡ଼ା ବିଡ଼ା ଟଙ୍କା ଲୁଚାଇ ରଖିଥିଲେ ଶିକ୍ଷା ଅଧିକାରୀ ।

ରଜନୀକାନ୍ତ ପ୍ରବୀଣ ଗତ ତିନି ବର୍ଷ ହେଲା ବେତିହା ଜିଲ୍ଲାରେ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରତ ରହିଛନ୍ତି । ବସନ୍ତ ବିହାରରେ ଥିବା ବାସଭବନରେ ପୋଲିସ ସହିତ ଭିଜିଲାନ୍ସ ଟିମ୍ ରେଡ୍ ମାରିଥିଲା । ଏବେବି ଡିଇଓ ଘରେ ଛାନଭୀନ ଜାରି ରହିଛି । ବର୍ତ୍ତମାନ ସୁଦ୍ଧ କେତେ ଟଙ୍କା ଜବତ ହୋଇଛି ଏନେଇ ଭିଜିଲାନ୍ସ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ମାତ୍ର କୋଟିଏରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଏନେଇ ଭିଜିଲାନ୍ସ ପକ୍ଷରୁ ଟଙ୍କା ଗଣିବା ମେସିନ୍ ମଧ୍ୟ ମଗାଯାଇଛି ।

କିଛି ଦିନ ପୂର୍ବରୁ ବିହାରର ଶିକ୍ଷା ବିଭାଗରେ ଅନିୟମିତତା ନେଇ ଖବର ଆସିଥିଲା । କିଛି ଡିଇଓ ଏବଂ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ଶିକ୍ଷା ବିଭାଗର ମୁଖ୍ୟ ସଚିତ ଏମ୍ ସିଦ୍ଧାର୍ଥ କିଶାନଗଞ୍ଜ ଜିଲ୍ଲା ଏବଂ ପୂର୍ବ ଚମ୍ପାରଣ ଜିଲ୍ଲାରେ ମଧ୍ୟ ଡିଇଓ ଏବଂ ଅନ୍ୟ ଅଧିକାରୀଙ୍କ ବିରୋଧରେ ସ୍କୁଲର ଟେବୁଲ୍ ଏବଂ ବେଞ୍ଚ କିଣାରେ ଅନିୟମିତତା ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିଲେ । ବେତିହା ଜିଲ୍ଲା ଶିକ୍ଷା ଅଧିକାରୀ ରଜନୀକାନ୍ତ ପ୍ରବୀଣ ୨୦୦୫ରୁ ଏବେ ସୁଦ୍ଧା ୧, ୮୭,୨୩, ୬୨୫ ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ସୂଚନା ରହିଛି ।...

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.