ବିହାର ସିରିଜ୍ ବ୍ରିଜ୍ ଭୁଶୁଡ଼ିବା ଘଟଣା, ୧୬ ଇଞ୍ଜିନିୟର ସସ୍‌ପେଣ୍ଡ; ଠିକାଦାରଙ୍କ ଟଙ୍କାରେ ତିଆରି ହେବ ପୋଲ !

Published By : Prameya-News7 Bureau | July 05, 2024 IST

ପାଟନା: ବିହାରରେ ବ୍ରିଜ୍ ଭୁଶୁଡ଼ିବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚିତ ଖବର ହୋଇ ରହିଛି । ବ୍ରିଜ୍ ତିଆରିରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି । ଏହାରି ଭିତରେ ସରକାରଙ୍କ ଚେତା ଫେରିଛି । ବିହାରରେ ଗତ ଦୁଇ ସପ୍ତାହରେ ଭିତରେ ୧୨ ପୋଲ ଭୁଶୁଡ଼ିବା ପରେ ନୀତୀଶ ସରକାର ଜଳ ସମ୍ପଦ ବିଭାଗର ୧୬ ଜଣ ଇଞ୍ଜିନିୟରଙ୍କୁ ନିଲମ୍ୱନ କରିଛନ୍ତି । ଏହାସହ ପୁଣି ଥରେ ବ୍ରିଜ ନିର୍ମାଣ ପାଇଁ ଆଦେଶ ଜାରି କରାଯାଇଛି । ବଡ଼ କଥା ହେଉଛି, ତଦନ୍ତରେ ବ୍ରିଜ୍ ଭୁଣୁଡ଼ିବା ପାଇଁ ଯେଉଁ ଠିକାରଦାର ଦାୟୀ ବାହାରିବେ ସେମାନଙ୍କ ଟଙ୍କାରେ ହିଁ ନୂଆ ବ୍ରିଜ୍ ନିର୍ମାଣ କରାଯିବ ।

ଠିକାଦାରମାନେ ପୋଲଗୁଡ଼ିକର ସଠିକ ରକ୍ଷଣାବେକ୍ଷଣ କରିନଥିବାରୁ ରାଜ୍ୟରେ ଏଭଳି ସ୍ଥିତି ଉପୁଜିଛି ବୋଲି ଜଳ ସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଚୈତନ୍ୟ ପ୍ରସାଦ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପ୍ରସାଦ କହିଛନ୍ତି, ‘ଉଭୟ ଇଞ୍ଜିନିୟର ଏବଂ ଠିକାଦାର ପୋଲ ଭୁଶୁଡ଼ିବା ପାଇଁ ଦାୟୀ ।’ 

ଗୁରୁବାର ବିହାରର ସାରନ ଜିଲ୍ଳାରେ ପୋଲ ଭୁଶୁଡ଼ିବା ପରେ ୧୭ ଦିନରେ ଏହି ସଂଖ୍ୟା ୧୨ରେ ପହଞ୍ଚିଥିଲା । ରିପୋର୍ଟ ଅନୁସାରେ ରାଜ୍ୟର ସିୱାନ, ସାରନ, ମଧୂବନୀ, ଅରାରିଆ, ପୂର୍ବ ଚମ୍ପାରନ ଏବଂ କିଷନଗଞ୍ଜ ଜିଲ୍ଲାରେ ୧୦ଟି ବ୍ରିଜ୍ ଭୁଶୁଡ଼ି ପଡ଼ିଛି । ସେପଟେ ଆରଜେଡି ନେତା ତେଜସ୍ୱୀ ଦାବି କରିଛନ୍ତି ଯେ ଗତ ଜୁନ୍ ୧୮ ପରଠୁ ରାଜ୍ୟରେ ୧୨ଟି ପୋଲ ଭୁଶୁଡ଼ି ପଡ଼ିଛି । ଏହାରି ଭିତରେ ବିହାର ରାସ୍ତା ନିର୍ମାଣ ବିଭାଗ ବ୍ରିଜ୍ ରକ୍ଷଣାବେକ୍ଷଣ ନୀତି ପ୍ରସ୍ତୁତ କରିଛି ଏବଂ ଗ୍ରାମ୍ୟ ୱାର୍କ ବିଭାଗକୁ ଯୋଜନା ଚୂଡ଼ାନ୍ତ ପାଇଁ କହିଛି ।

ସେପଟେ ପୋଲ ଭୁଶୁଡ଼ିବାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏଥିପାଇଁ ନୀତୀଶ କୁମାର ସରକାରଙ୍କୁ ବିରୋଧୀ ଦାୟୀ କରିଥିବା ବେଳେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଅବହେଳା ନେଇ ମଧ୍ୟ ଅଭିଯୋଗ ହୋଇଛି । ତେଜସ୍ୱୀ ପୂର୍ତ୍ତ ବିଭାଗର ମନ୍ତ୍ରୀ ଥିବା ବେଳେ ପୋଲଗୁଡ଼ିକର ସଠିକ୍ ମେଣ୍ଟେନାନ୍ସ ହୋଇନଥିବା ମନ୍ତ୍ରୀ ଅଶୋକ କୁମାର ଚୌଧୁରୀ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.