ମହଙ୍ଗା ମାଡରେ ଚେପା ଜନତା: ଇଣ୍ଟରନେଟ୍‌ରେ ଟ୍ରେଣ୍ଡ ହେଉଛି ବୟକଟ ଜିଓ ଏବଂ BSNL ଘରବାହୁଡା

Published By : Prameya-News7 Bureau | July 08, 2024 IST

internet

ନୂଆଦିଲ୍ଲୀ: ଜିଓ ଏୟାର ଟେଲ୍ ଭଳି ଟେଲିକମ କମ୍ପାନୀଗୁଡ଼ିକ ଲାଭ ସତ୍ତ୍ୱେ ବି ଟାରିଫ ମହଙ୍ଗା କରି ଗ୍ରାହକଙ୍କ ପକେଟ୍ ଖାଲି କରିବାରେ ବ୍ୟସ୍ତ। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଟେଲିକମ୍ କମ୍ପାନୀଗୁଡ଼ିକ ବିରୋଧରେ ଅସନ୍ତୋଷ ପ୍ରକାଶ ପାଇଛି। ସୋସିଆଲ୍ ମିଡିଆରେ ବୟକଟ୍‌ ର ନାରା ବି ଲଗାଉଛନ୍ତି ଗ୍ରାହକ। ତା’ ବଦଳରେ ସମସ୍ତେ ଏବେ ବିଏସ୍‌ଏନ୍‌ଏଲ୍ ମୁହାଁ ହେଲେଣି। ଯେତେ ଶୀଘ୍ର ବିଏସ୍ଏନ୍ଏଲ୍‌ ୪ଜି ସେବା ରୋଲ୍ ଆଉଟ୍ କରିବ ସେତେ ଶୀଘ୍ର ଗ୍ରାହକ ଜିଓ ଓ ଏୟାରଟେଲ୍‌ ଠାରୁ ଦୂରେଇ ଯିବେ ବୋଲି କୁହାଯାଉଛି।
ଜୁଲାଇ ୩ ତାରିଖ ଠାରୁ ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍ ଓ ଭୋଡାଫୋନ ଆଇଡିଆଓ ଟାରିଫ ବୃଦ୍ଧି କରିଛନ୍ତି। ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ କେନ୍ଦ୍ର ସରକାର ହାତ ଟେକି ଦେଇଛନ୍ତି। ଫଳରେ ମୋଦୀ ସରକାରର ତୃତୀୟ ପାଳିରେ ଲୋକଙ୍କୁ ମହଙ୍ଗା ମାଡ଼ ସହିବାକୁ ପଡ଼ୁଛି। ଏହା ଚାପରେ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ୟୁଜର ଜିଓ ବୟକଟର ନାରା ଲଗାଇଲେଣି। ଏକ୍ସରେ ପ୍ରାୟ ୪୦ ହଜାରରୁ ଅଧିକ ପୋଷ୍ଟରେ ‘ଜିଓବୟକଟ’ ନାରା ଲଗାଯାଇଛି। ସେହିପରି ବିଏସ୍‌ଏନ୍‌ଏଲ୍ ସ୍ୱଳ୍ପ ଦାମରେ ସେବା ଯୋଗାଉଥିବାରୁ ବିଭିନ୍ନ ୟୁଜର ଏହାକୁ ପ୍ରମୋଟ କରୁଥିବା ଦେଖିବାକୁ ମିଳୁଛି। 

କେବଳ ସେତେକି ନୁହେଁ ପୁରୁଣା ଶୈଳୀରେ ୫ଜି ପ୍ରତି ଲୋକଙ୍କୁ ଆଣିବାକୁ ଦେଉଥିବା ମାଗଣା ୫ଜି ସେବାକୁ ମଧ୍ୟ ଜିଓ ଓ ଏୟାରଟେଲ୍ ହଟାଇ ଦେଇଛନ୍ତି। ମହଙ୍ଗା ପ୍ରତିବାଦରେ ଇଣ୍ଟରନେଟ୍‌ରେ ଜିଓବୟକଟ ନାରା ଦିଆଯାଉଥିବା ବେଳେ ‘ବିଏସଏନ୍‌ଏଲ୍ ଘରୱାପସି’ ଅର୍ଥାତ ବିଏସଏନଏନଲର ଘରବାହୁଡ଼ା ହ୍ୟାସ ଟ୍ୟାଗ୍ ଟ୍ରେଣ୍ଡ କରୁଛି। ପାଖାପାଖି ୪୫ ହଜାର ପୋଷ୍ଟରେ ଏହା ହ୍ୟାସ୍‌ଟ୍ୟାଗ୍ ଟ୍ରେଣ୍ଡ କରୁଛି। ଲୋକେ ୫ଜି ସେବା ଛାଡ଼ି ବିଏସଏନଏଲ୍‌କୁ ଯିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ବରଂ ଇଣ୍ଟରନେଟ୍ ସ୍ଲୋ ହେଉ କିନ୍ତୁ ଖର୍ଚ୍ଚ ଅସମ୍ଭାଳ ହେଉଛି। ବିଏସ୍ଏଏନଏଲ୍‌ ମାତ୍ର ୧୯୮ ଟଙ୍କାରେ ଦୈନିକ ୨ ଜିବି ୪୦ ଦିନ ପାଉଁ ଦେଉଥିବା ବେଳେ ଏୟାରଟେଲ୍‌ ୩୭୯ ଟଙ୍କାରେ ମାସକୁ ୨ଜିବି ଡାଟା ଦେଉଛି। ସେହିପରି ଯିଓ ୩୪୯ ଟଙ୍କାରେ ୨୮ ଦିନ ପାଇଁ ୨ ଜିବି ଡାଟା ଦେଉଛି। ଏହିପରି ପ୍ରାୟ ସବୁ ପ୍ଲାନ୍‌ଗୁଡିକର ବିଏସଏନ୍‌ଏଲ ରିଚାର୍ଜ କମ ରହିଛି। 

ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ସେମାନଙ୍କ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ପ୍ଲାନ୍‌ର ମୂଲ୍ୟ ୬୦୦ ଟଙ୍କା ବୃଦ୍ଧି କରିଛି। ଉଭୟ ଏୟାରଟେଲ୍ ଓ ଜିଓର ବାର୍ଷିକ ରିଚାର୍ଜ ପ୍ଲାନ୍‌ରେ ସବୁଠାରୁ ଅଧିକ ମୂଲ୍ୟ ବୃଦ୍ଧି ହୋଇଛି। ଏୟାରଟେଲ ଏବଂ ଜିଓର ୨,୯୯୯ ଟଙ୍କାର ବାର୍ଷିକ ରିଚାର୍ଜ ପ୍ଲାନ୍‌କୁ ୩, ୫୯୯ ଟଙ୍କାକୁ ବୃଦ୍ଧି କରାଯାଇଛି।

କମ୍ପାନୀଗୁଡିକର ଲାଭ ହେଉଥିବା ସତ୍ତ୍ୱେ ବି ଲାଭଖୋର ମାନସିକତା ଯୋଗୁ ଏତେ ଦାମ ବଢ଼ାଯାଉଛି ବୋଲି ବିଏସ୍‌ଏନ୍‌ଏଲ୍ ଅଭିଯୋଗ କରୁଛି। ହେଲେ ଦାମ ବଢ଼ାଇଥିବା ଟେଲିକମ କମ୍ପାନୀ କହୁଛନ୍ତି ଉପଭୋକ୍ତା ପ୍ରତି ହାରାହାରି ରାଜସ୍ୱ(ARPU) ଠିକ୍ ରଖିବାକୁ ଦାମ ବଢ଼ାଯାଉଛି। 

ଦରବୃଦ୍ଧିକୁ ବିଏସ୍‌ଏନ୍ଏଲର ବିରୋଧ

ଘରୋଇ  କମ୍ପାନୀଗୁଡ଼ିକର ରିଚାର୍ଜ ପ୍ଲାନ୍ ବୃଦ୍ଧିକୁ ନେଇ କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖିଛି BSNL ଏମ୍ପଲୟମେଣ୍ଟ ୟୁନିୟନ ବା ଇୟୁ । ଏହି ଚିଠିରେ ଘରୋଇ ଟେଲିକମ୍‌ କମ୍ପାନିଙ୍କ ଟାରିଫ୍‌ ବୃଦ୍ଧିକୁ ଅବାଞ୍ଚିତ ବୋଲି କହିବା ସହ, ବିଏସଏନଏଲ ଏମାନଙ୍କ ସହ ଟକ୍କର ଦେଇପାରୁନଥିବାରୁ ଏଭଳି ଟାରିଫ୍‌ ବୃଦ୍ଧି କରାଯାଉଛି ବୋଲି କହିଛି ସଂଘ। ୪ଜି ଏବଂ ୫ଜି ସେବା ନ ଯୋଗାଇପାରିବାରୁ BSNL ଟେଲିକମ୍‌ ସେବା ଦେବାରେ ପଛରେ ପଡ଼ି ଯାଇଛି। ଏଥିପାଇଁ ସରକାରଙ୍କ ଉଦାସୀନତା ଦାୟୀ ବୋଲି ସଂଘ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.