କେତେ ସମ୍ୱେଦନ ସରକାର ? କର୍ଣ୍ଣାଟକରେ ୧୫ ମାସରେ ୧୨୦୦ ଚାଷୀ କରିଛନ୍ତି ଆତ୍ମହତ୍ୟା

Published By : Prameya-News7 Bureau | July 08, 2024 IST

ବେଙ୍ଗୁଲୁରୁ: ଚାଷୀଙ୍କ ନାଁରେ ଶହ ଶହ ଯୋଜନା । ଚାଷୀଙ୍କ ପାଇଁ ଦରଦ ଦେଖାନ୍ତି ସବୁ ସରକାର । ରାଜନୀତି ବି କରନ୍ତି । କିନ୍ତୁ କର୍ଣ୍ଣାଟକରୁ ଯେଉଁ ତଥ୍ୟ ସାମନାକୁ ଆସିଛି, ତାହା ଚାଷୀଙ୍କ ପାଇଁ ସରକାର କେତେ ସମ୍ୱେଦନ ତାର ପୋଲ ଖୋଲିଛି । କର୍ଣ୍ଣାଟକରେ ଗତ ୧୫ ମାସରେ ୧୧୮୨ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ରାଜ୍ୟର ରାଜସ୍ୱ ବିଭାଗ ତଥ୍ୟରୁ ଏହା ସାମନାକୁ ଆସିଛି । ଚାଷୀଙ୍କ ଆତ୍ମହତ୍ୟା ପଛରେ ମରୁଡ଼ି, ଫସଲ ନଷ୍ଟ ଏବଂ ଅତ୍ୟଧିକ ଋଣ ପ୍ରମୁଖ କାରଣ ବୋଲି ବିଭାଗ ନିଜ ରିପୋର୍ଟରେ ଦର୍ଶାଇଛି ।   

ରିପୋର୍ଟ ଅନୁସାରେ, କର୍ଣ୍ଣାଟକର ତିନି ଜିଲ୍ଲାରେ ସର୍ବାଧିକ ଚାଷୀ ଆତ୍ମହତ୍ୟା ଘଟଣା ସାମନାକୁ ଆସିଛି । ବେଲଗାଭି, ହାଭେରି ଏବଂ ଧରୱାଡରେ ଯଥାକ୍ରମେ ୧୨୨, ୧୨୦ ଏବଂ ୧୦୧ ଚାଷୀ ଆତ୍ମହତ୍ୟା ଘଟଣା ରେକର୍ଡ କରାଯାଇଛି । ଚିକମଗଲୁରରେ ୮୯, କାଲାବୁର୍ଗିରେ ୬୯ ଏବଂ ୟାଦାଗିରିରେ ଏହି ଅବଧିରେ ୬୮ଟି ଚାଷୀ ଆତ୍ମହତ୍ୟା ମାମଲା ସାମନାକୁ ଆସିଛି ।   

କର୍ଣ୍ଣାଟକର ୩୧ ଜିଲ୍ଲା ମଧ୍ୟରୁ ୨୭ ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଇଥାନ୍ତି । ତେବେ ଏଥିରୁ ମାତ୍ର ୬ଟି ଜିଲ୍ଲାରେ ହିଁ ଏହି ସଂଖ୍ୟା ଦୁଇ ଅଙ୍କ ମଧ୍ୟରେ ରହିଛି । ଅନ୍ୟ ୨୧ଟି ଜିଲ୍ଲାରେ ସ୍ଥିତି ଅତି ସଙ୍ଗୀନ ରହିଛି । ଏହି ସବୁ ଜିଲ୍ଲାରେ ୩୦ରୁ ଅଧିକ ଚାଷୀ ଆତ୍ମହତ୍ୟା ଘଟଣା ରେକର୍ଡ କରାଯାଇଛି ।

ଗତ ବର୍ଷ ସେପ୍ଟେମ୍ୱର ମାସରେ କର୍ଣ୍ଣାଟକର ମନ୍ତ୍ରୀ ଶିବାନନ୍ଦ ପାଟିଲ ଏକ ବୟାନ ଦେଇଥିଲେ, ଯାହା ବଡ଼ ବିବାଦ ସୃଷ୍ଟି କରିଥିଲା । ସେ କହିଥିଲେ ଯେ ରାଜ୍ୟ ସରକାର କ୍ଷତିପୂରଣ ରାଶିକୁ ୫ ଲକ୍ଷ ଟଙ୍କା କରିବା ପରେ ରାଜ୍ୟରେ ଚାଷୀ ଆତ୍ମହତ୍ୟା ମାମଲା ଅସାଧାରଣ ଭାବେ ବୃଦ୍ଧି ପାଇଛି । କିନ୍ତୁ ପରେ ମନ୍ତ୍ରୀ ନିଜ ବୟାନରୁ ଓହରି ଯାଇଥିଲେ । ଅନ୍ୟପଟେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଥିଲେ ଯେ ଯେଉଁମାନେ ଆତ୍ମହତ୍ୟା କରନ୍ତି ସେମାନେ ବ୍ୟକ୍ତିଗତ କାରଣ ପାଇଁ କରନ୍ତି ଏବଂ ସେମାନଙ୍କୁ ଚାଷୀ କୁହାଯାଇ ପାରିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.