ଭୋପାଳର ଫ୍ୟାକ୍ଟ୍ରିରୁ ୧୮୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ, ୨ ଗିରଫ

Published By : Prameya-News7 Bureau | October 06, 2024 IST

indiatoday

ନୂଆଦିଲ୍ଲୀ: ବିମାନ ବନ୍ଦର ଠାରୁ ଆରମ୍ଭ କରି ଫ୍ୟାକ୍ଟ୍ରି ପର୍ଯ୍ୟନ୍ତ, ସହର ଠାରୁ ଆରମ୍ଭ କରି ଭାରତର ଗାଁ ଗଣ୍ଡାରେ ପହଞ୍ଚିଲାଣି ଡ୍ରଗ୍ସ। ନିଶାରେ ବୁଡ଼ିଲେଣି ଭାରତୀୟ ଯୁବକ। ମଧ୍ୟପ୍ରଦେଶର ଭୋପାଳର ଏକ ଫ୍ୟାକ୍ଟ୍ରିରେ ୧୮୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଛି। ଗୁଜରାଟର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଓ ଆଣ୍ଟି ଟେରୋରିଜମ ସ୍କ୍ୱାଡ(ଏଟିଏସ୍) ଏହି ଡ୍ରଗ୍ସ ଜବତ କରିଛି। ଡବତ ହୋଇଥିବା ଡ୍ରଗ୍ସ ହେଲା ମେଫୋଡ୍ରୋନ୍। ଏଗୁଡ଼ିକ ଏହି ଫ୍ୟାକ୍ଟ୍ରିରେ ତିଆରି ହେଉଥିଲା। ବେଆଇନ ଡ୍ରଗ୍ସ ଉତ୍ପାଦନ ଅଭିଯୋଗରେ କମ୍ପାନୀରେ ରେଡ୍ ହୋଇଥିଲା। ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

ଗୁଜରାଟର ପୁଲିସର ଟିମ୍‌ର ଏହି ସଫଳତା ପାଇଁ ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ହର୍ଷ ସାଂଘବୀ ପ୍ରଶଂସା କରିଛନ୍ତି। ଡ୍ରଗ୍ସ ବିରୋଧରେ ନିରନ୍ତର ପ୍ରୟାଶ ପାଇଁ ସଫଳତା ମିଳିଛି ବୋଲି ମନ୍ତ୍ରୀ କହିଛନ୍ତି। 

ସପ୍ତାହକ ତଳେ ଦିଲ୍ଲୀ ପୋଲିସ ଏକ ରାଜଧାନୀର ସବୁଠାରୁ ବଡ ଡ୍ରଗ୍ ଆଡ୍ଡା ଉପରେ ଚଢ଼ାଉ କରିଥିଲା।  ଦକ୍ଷିଣ ଦିଲ୍ଲୀର ମହିପାଲପୁରରୁ ୫୬୦ କିଲୋଗ୍ରାମରୁ ଅଧିକ କୋକେନ ଏବଂ ୪୦ କିଲୋଗ୍ରାମ ହାଇଡ୍ରୋପୋନିକ ଗଞ୍ଜେଇ ଜବତ କରିଥିଲା। ଯାହାର ମୂଲ୍ୟ ପ୍ରାୟ ୫,୬୨୦ କୋଟି ଟଙ୍କା ହେବ। ଜବତ ହୋଇଥିବା ଗଞ୍ଜେଇ ଥାଇଲ୍ୟାଣ୍ଡର ଫୁକେଟରୁ ବିମାନ ଯୋଗେ ଭାରତକୁ ଅଣାଯାଇଛି। ପଶ୍ଚିମ ଏସିଆ ଦେଶ ତଥା ବିଭିନ୍ନ ଭାରତୀୟ ରାଜ୍ୟରୁ କୋକେନ ଆସିଥିଲା ବୋଲି ପୁଲିସ କହିଥିଲା। ଡ୍ରଗ୍ସ ଆଣି ବିକିବାକୁ ଅଭିଯୁକ୍ତମାନଙ୍କୁ କ୍ରିପ୍ଟୋ କରେନ୍ସିରେ ପେଡ୍ କରାଯାଇଥିଲା। 

ଏହି ଘଟଣାରେ ପାଞ୍ଚ ଜଣ ତୁଶାର ଗୋୟଲ (୪୦), ଜିତେନ୍ଦ୍ର ପାଲ ସିଂ, ଓରଫ ଜସି (୪୦), ହିମାଂଶୁ କୁମାର (୨୭), ଔରଙ୍ଗଜେବ ସିଦ୍ଦିକି (୨୩), ଏବଂ ଭାରତ କୁମାର ଜୈନ (୪୮)ଙ୍କୁ ଗିରଫ କରାଯାଇଛି। ତୁଷାର କୁମାର ଚୋରାଚାଲାଣର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଥିଲା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.