ମହାରାଷ୍ଟ୍ରରେ ଆରମ୍ଭ ହେଲା ପିଙ୍କ ଇ-ରିକ୍ସା ଯୋଜନା, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କଲେ ଉଦଘାଟନ

Published By : Prameya-News7 Bureau | October 06, 2024 IST

ମୁମ୍ବାଇ ୬।୧୦:  ମହାରାଷ୍ଚ୍ର ସରକାର ପିଙ୍କ ଇ-ରିକ୍ସା ଯୋଜନା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରବିବାର ସମ୍ଭାଜୀ ନଗରରେ ଏହି ଯୋଜନାର ଅଧିକାରୀକ ଉଦଘାଟନ କରିଛନ୍ତି। ଏହି ଯୋଜନାରେ ମହାରାଷ୍ଟ୍ରରେ ଯୋଗ୍ୟ ମହିଳାମାନଙ୍କୁ ଇ-ରିକ୍ସା କ୍ରୟ କରିବାକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ଯୋଜନାରେ ସାରା ରାଜ୍ୟର ୧୭ ସହରାଞ୍ଚଳର ପାଖାପାଖି ୧୦ ହଜାର ମହିଳା ଲାଭବାନ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। 

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଯୋଜନା ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ଆଜ ଏକ ଖୁସିର ଦିନ, ଦେଶରେ ନବରାତ୍ରି ଚାଲିଛି ଏହି ଅବସରରେ ପିଙ୍କ ଇ-ରିକ୍ସା ଯୋଜନାର ଶୁଭାରମ୍ଭ କରୁଛି। ଏହା ପୂର୍ବରୁ ରାଜ୍ୟରେ ଲାଡଲୀ ବହନା ଯୋଜନା ଆରମ୍ଭ କରିଥିଲି, ଏହା ଦ୍ୱାରା ୨.୫ କୋଟି ମହିଳାଙ୍କୁ ଏହାର ଲାଭ ମିଳିଛି। ଆଜି ଅନେକ ଭଉଣୀଙ୍କୁ ଇ-ରିକ୍ସା ଯୋଜନାରେ ପିଙ୍କ ଇ-ରିକ୍ସା ପ୍ରଦାନ କରାଯାଇଛି। 


ଇ-ରିକ୍ସା ଯୋଜନାରେ ଯେଉଁ ମହିଳାମାନେ ରିକ୍ସା କିଣିବାକୁ ଆଗ୍ରହୀ ହେବେ ସେମାନଙ୍କୁ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏଥି ପାଇଁ ଯେଉଁ ଯୋଗ୍ୟତା ରଖାଯାଇଛି ସେଥିରେ ମହିଳା ମହାରାଷ୍ଟ୍ରର ସ୍ଥାୟୀ ବାସିନ୍ଦା ହୋଇଥିବା ସହିତ ତାଙ୍କର ବୈଧ ଡ୍ରାଇଭିଂ ଲାଇସେନ୍ସ ଥିବା ଜରୁରି। ଏହି ଯୋଜନାରେ ହିତାଧିକାରୀଙ୍କୁ ମାତ୍ର ୨୦ ପ୍ରତିଶତ ଯୋଗଦାନ ଦେବାକୁ ପଡିବ। ୭୦ ପ୍ରତିଶତ ବ୍ୟାଙ୍କ ଋଣ ମିଳିବାକୁ ଥିବା ବେଳେ ବାକି ସହାୟତା ରାଜ୍ୟ ସରକାର କରିବେ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.